ନବନିଯୁକ୍ତ କର୍ମଚାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ : ଓପିଟିସିଏଲ୍‌ରେ ୮୧ଜଣଙ୍କୁ ନିଯୁକ୍ତିପତ୍ର ବଣ୍ଟାଗଲା

Chief Minister Shri Naveen Patnaik handing over the appointment letters to newly recruited of OPTCL

ଭୁବନେଶ୍ୱର : ଓଡ଼ିଶା ବିଦ୍ୟୁତ ଶକ୍ତି ସଂଚାରଣ ନିଗମ ଲିଃ ବା ଓପିଟିସିଏଲ ପକ୍ଷରୁ ଆଜି ଜୟଦେବ ଭବନରେ ନବନିଯୁକ୍ତ କର୍ମଚାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ୮୧ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ, ଗତ ୨ବର୍ଷ ହେବ ଓପିଟିସିଏଲ ପକ୍ଷରୁ ନିଯୁକ୍ତି ପାଇଁ ସ୍ୱଚ୍ଛ ପ୍ରକ୍ରିୟା ଅବଲମ୍ବନ କରାଯାଇଛି। ଅନଲାଇନ୍‌ କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ ବା ସିବିଟି ଜରିଆରେ ଖାଲି ଥିବା ପଦବିରୁ ନିଯୁକ୍ତି ଦିଆଯାଇଛି। ୨୦୧୦ରୁ ଆଜିକୁ ମିଶାଇ ଓପିଟିସିଏଲରେ ବିଭିନ୍ନ କ୍ଷେତ୍ରରୁ ୧୬୬୨ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ଆଜି ନିଯୁକ୍ତ ହୋଇଥିବା ୮୧ଜଣ ଅର୍ଥ, ଇଲେକ୍ଟ୍ରିକାଲ ଓ ପ୍ରଶାସନିକ କ୍ଷେତ୍ରରେ କାର୍ଯ୍ୟ କରିବେ। ରାଜ୍ୟ ସରକାର ଅଧିକରୁ ଅଧିକ ନିଯୁକ୍ତି ଉପରେ ଜୋର ଦେଉଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବନିଯୁକ୍ତି କର୍ମଚାରୀଙ୍କୁ ଟିମ୍‌ ଓ୍ଵାର୍କ, ଟ୍ରାନ୍‌ସପାରେନ୍ସି ଓ ଟେକ୍‌ନୋଲୋଜି ବା ଥ୍ରିଟିର୍‌ ମନ୍ତ୍ର ଦେଇଥିଲେ।

ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ କହିଲେ, ମୁଖ୍ୟମନ୍ତ୍ରୀ ପ୍ରତି ମାସରେ ଶକ୍ତି ବିଭାଗର ସମୀକ୍ଷା କରୁଛନ୍ତି। ଗତ ୨ବର୍ଷରେ ଓପିଟିସିଏଲ୍‌ ୪ଥର ଏଭଳି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରିଛି। ନିକଟରେ ଓପିଟିସିଏଲର କର୍ମଚାରୀଙ୍କ ପାଇଁ ସପ୍ତମ ବେତନ କମିସନ୍‌ ସୁପାରିସ କରାଯାଇଛି। ଅନ୍ୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ତୁଳନାରେ ଓପିଟିସିଏଲ୍‌ରେ ଭତ୍ତା ଓ ଅନ୍ୟାନ୍ୟ ସୁବିଧା ବେଶ ଭଲ ବୋଲି ଶ୍ରୀ ସିଂ କହିଥଇଲେ।

ଓପିଟିସିଏଲ୍‌ର ପରିଚାଳନା ନିର୍ଦେଶକ ହେମନ୍ତ ଶର୍ମା କହିଲେ, ଓପିଟିସିଏଲ ପକ୍ଷରୁ ୩୮୪୩କୋଟି ଟଙ୍କାର ଓଡିଏସ୍‌ଏସ୍‌ପି କାର୍ଯ୍ୟକାରୀ କରାଯାଇଛି। ୨୦୧୪ ମସିହାରେ ରାଜ୍ୟରେ ୪୪ଟି ଗ୍ରିଡ ଥିବା ବେଳେ ଆସନ୍ତା ୨୦୧୮/୧୯ରେ ଆହୁରି ୧୬ଟି ଗ୍ରିଡ୍‌ ସାମିଲ ହେବାକୁ ଲକ୍ଷ୍ୟ ରଖାଯାଇଥିବା ଶ୍ରୀ ଶର୍ମା କହିଥିଲେ। ଓପିଟିସିଏଲର ନିର୍ଦେଶକ(ମାନବ ସମ୍ବଳ) ରାଜେନ୍ଦ୍ର ସେନାପତି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର