ପୌର ଆଇନରେ ସଂଶୋଧନ ହେବ!

ସଂରକ୍ଷଣ ୫୦% ଟପିବନି, ପ୍ରକ୍ରିୟା ଆରମ୍ଭ କଲା ନଗର ଉନ୍ନୟନ ବିଭାଗ, ପ୍ରଶାସକଙ୍କ ହାତରେ ପୌରସଂସ୍ଥାର ଭାଗ୍ୟ

ଭୁବନେଶ୍ବର: ପୌର ନିର୍ବାଚନରେ ସଂରକ୍ଷଣକୁ ନେଇ ଚାଲିଥିବା ଲମ୍ବା ଆଇନଗତ ଲଢ଼େଇ ତୁଟି ନାହିଁ। ନିର୍ବାଚନ ହୋଇପାରୁ ନ ଥିବାରୁ ପ୍ରଶାସକଙ୍କ ହାତରେ ପୌର ସଂସ୍ଥାଗୁଡ଼ିକର ଭାଗ୍ୟ ଛାଡ଼ି ଦିଆଯାଇଛି। କିନ୍ତୁ ଏପଟେ ସରକାର ୫୦% ଭିତରେ ସଂରକ୍ଷଣକୁ ସୀମିତ ରଖିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏନେଇ ଥିବା ଦୁଇଟି ଆଇନ୍‌ରେ ସଂଶୋଧନ କରିବାକୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ସମ୍ଭବତଃ ଆସନ୍ତା ବିଧାନସଭା ଅଧିବେଶନରେ ସଂଶୋଧନ ପ୍ରସ୍ତାବ ଆସିପାରେ। ପ୍ରଚଳିତ ଆଇନ୍‌‌େର ଥିବା ବ୍ୟବସ୍ଥା ଅନୁଯାୟୀ ଵାର୍ଡ ସ୍ତରରେ ଯେଉଁ ସ˚ରକ୍ଷଣ ବ୍ୟବସ୍ଥା ଲାଗୁ ହୋଇଛି, ‌ସେଥିରେ ସଂରକ୍ଷଣର ପରିମାଣ ୫୦%ରୁ ଅଧିକ ହେଉଛି। ଏ ନେଇ ମାମଲା ହେବାରୁ ହାଇକୋ‌ର୍ଟ ୫୦ ପ୍ରତିଶତ ଭିତରେ ସଂରକ୍ଷଣ ବ୍ୟବସ୍ଥା ସୀମିତ ରଖିବାକୁ ନିର୍ଦ୍ଦେଶ ଦେଲେ। ସରକାର ଏହା ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ ବି ହାଇକୋର୍ଟଙ୍କ ରାୟ ବଳବତ୍ତର ରହିଲା। ତାହା ପରେ ସରକାର ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ୍‌ ଦାଖଲ କରିଛନ୍ତି।

ସରକାରଙ୍କ ପାଖରେ ବର୍ତ୍ତମାନ ଆଉ ଏକ ବିକଳ୍ପ ଖୋଲା ରହିଛି। ୫୦% ଭିତରେ ସଂରକ୍ଷଣ ସୀମିତ ରଖିବାକୁ ସୁପ୍ରିମକୋର୍ଟ ଦେଇଥିବା ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ହେଲେ ଦୁଇଟି ଆଇନ୍‌ରେ ସଂଶୋଧନର ଆବଶ୍ୟକତା ରହିଛି। ଓଡ଼ିଶା ମ୍ୟୁନିସିପାଲ୍‌ଟି ଆକ୍ଟ, ୧୯୫୦ ଓ ଓଡ଼ିଶା ମ୍ୟୁନିସିପାଲ୍‌ କର୍ପୋରେସନ୍ ଆକ୍ଟ ୨୦୦୩ରେ ସଂଶୋଧନ ଆ‌ଣିବାକୁ ପଡ଼ିବ। କାରଣ ଏହି ଦୁଇଟି ଆଇନ୍‌ରେ ଥିବା ସଂରକ୍ଷଣ ବ୍ୟବସ୍ଥା ଅନୁଯାୟୀ ପୌରସଂସ୍ଥାରେ ୱାର୍ଡ ସଂରକ୍ଷଣ କରାଯାଉଛି। ଦୀର୍ଘ ବର୍ଷ ଧରି ଏହି ଜାରି ରହିଛି। ବର୍ତ୍ତମାନ ସରକାର ଏହି ବିକଳ୍ପ ଉପରେ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଦୁଇଟି ଆଇନ୍‌ରେ ସଂଶୋଧନ ଆଣିବାକୁ ପ୍ରସ୍ତାବ ଦିଆଯାଇଛି। ଏ ନେଇ ବିଭାଗ ପକ୍ଷରୁ ମନ୍ତ୍ରୀଙ୍କ ନିକଟକୁ ଫାଇଲ୍‌ ଯାଇଛି। ତେଣୁ ଆସନ୍ତା ବିଧାନସଭା ଅଧିବେଶନରେ ଏ ସଂକ୍ରାନ୍ତୀୟ ପ୍ରସ୍ତାବ ଆଗତ ହେବାର ସମ୍ଭାବନା ରହିଛି। ଯଦି ବିଧାନସଭାରେ ତାହା ପାରିତ ହୁଏ, ତାହା ପରେ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ଯିବ। ସଂ‌େଶାଧିତ ଆଇନ ଅନୁଯାୟୀ ପୌର ସଂସ୍ଥା କର୍ତ୍ତୃପକ୍ଷ ଆସନ ସଂରକ୍ଷଣ ତାଲିକା ପ୍ରସ୍ତୁତ କରିବେ।

ତେଣୁ ଏହା ଏକ ଲମ୍ବା ସାମ୍ବିଧାନିକ ପ୍ରକ୍ରିୟା ହୋଇଥିବାରୁ ପୌର ନିର୍ବାଚନ ଆଉ କିଛି ମାସ ବିଳମ୍ବ ହେବାର ସମ୍ଭାବନା ରହିଛି। ଚଳିତ ବର୍ଷ ଶେଷ ଆଡ଼କୁ କିମ୍ବା ୨୦୨୦ ଆରମ୍ଭରେ ପୌର ନିର୍ବାଚନ ହୋଇପାରେ। ଗତ ସେପ୍ଟମ୍ବର ମାସରୁ ବର୍ତ୍ତମାନ ମଧ୍ୟରେ ଯେତେ‌େବ‌େଳେ ଯେଉଁ ପୌର ସଂସ୍ଥାର କାର୍ଯ୍ୟକାଳ ଶେଷ ହେଉଛି, ସେଠାରେ ପ୍ରଶାସକ ନିଯୁକ୍ତି ଦିଆଯାଉଛି। ୨୦୧୮ ମସିହା ସେପ୍ଟମ୍ବର ୨୯ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୬୬ ପୌରସଂସ୍ଥାର କାର୍ଯ୍ୟକାଳ ଶେଷ ହୋଇଥିଲା ଓ ସେଠାରେ ପ୍ରଶାସକ ନିଯୁକ୍ତି କରାଯାଇଥିଲା। ତାହା ପରେ ବିଭିନ୍ନ ପର୍ଯ୍ୟାୟରେ ଅନ୍ୟ ପୌରସଂସ୍ଥାରେ ପ୍ରଶାସକ ନିଯୁକ୍ତି କରାଯାଇଛି। ନିର୍ବାଚନ ନିର୍ଦ୍ଧାରିତ ସମୟରେ ହୋଇଥିଲେ ବିଭିନ୍ନ ପୌର ସଂସ୍ଥାର ନିର୍ବାଚନ ଭିନ୍ନ ଭିନ୍ନ ସମୟରେ ହୋଇଥା’ନ୍ତା। ଯେହେତୁ ବହୁ ସଂସ୍ଥାର କାର୍ଯ୍ୟକାଳ ଏହା ମଧ୍ୟରେ ଶେଷ ହେଲାଣି, ତେଣୁ ଏକା ସଙ୍ଗେ ବଡ଼ ଧରଣର ପୌର ନିର୍ବାଚନ ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ସୁଦ୍ଧା ପାଖାପାଖି ୧୦୦ ମହାନଗର ନିଗମ, ପୌରପାଳିକା ଓ ଏନ୍‌ଏସିରେ ପ୍ରଶାସକ ନିଯୁକ୍ତି ହୋଇସାରିଲେଣି।

ସମ୍ବନ୍ଧିତ ଖବର