ବରଗାଁରେ ଗୋଷ୍ଠୀ ସଂଘର୍ଷ: ୨ ଗୁରୁତର ଆହତ ମେଡିକାଲ୍‌ରେ

ବେଲଗୁଣ୍ଠା: ଗତକାଲି ରାତିରେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଫାଣ୍ଡି ଅଧୀନ ବରଗାଁରେ ଦେବୀ ପଟୁଆର ପରିକ୍ରମା ବେଳେ ଗୋଷ୍ଠୀ ସଂଘର୍ଷ ଘଟି ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଏକ ପ୍ଲାଟୁନ୍‌ ଫୋର୍ସ ସହ ୪ ଜଣ ଅଫିସର ରହିଥିବା ବେଳେ ପୁଲିସ ଭଞ୍ଜନଗର ଥାନାରେ ୬ଜଣଙ୍କୁ ଅଟକ ରଖିଛି ।
ଖବରରୁ ପ୍ରକାଶ, ଗ୍ରାମରେ ଦଶହରାରୁ କୁମାର ପୂର୍ଣ୍ଣମା ପର୍ଯ୍ୟନ୍ତ ଅନୁଷ୍ଠିତ ଗ୍ରାମଦେବୀଙ୍କ ବାର୍ଷିକ ଉତ୍ସବରେ ସାହିବୁଲାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ସୋମବାର ରାତି ସାଢ଼େ ୧୦ଟାରେ ତଳସାହି ଲୋକେ ମା’ଙ୍କ ପଟୁଆର ପରିକ୍ରମା ବେଳେ ମଝି ସାହିରେ ବହୁ ସମୟ ଧରି ଡି.ଜେ ବଜାଇବା ସହ ବାଣ ଫୁଟାଇଥିଲେ। ମଝି ସାହିର କିଛି ଲୋକ ଏହାକୁ ବିରୋଧ କରିଥିଲେ। ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ ମୁଥ ମରାମରି, ପଥର ଓ ଛୁରାରେ ପରସ୍ପରକୁ ଆକ୍ରମଣ ହୋଇଥିଲା। ଛୁରା ମାଡ଼ରେ ଗୁରୁତର ଆହତ ମନୋଜ ତରାଇଙ୍କୁ ପ୍ରଥମେ ଭଞ୍ଜନଗର ଓ ପରେ ବ୍ରହ୍ମପୁର ବଡ଼ ମେଡିିକାଲକୁ ସ୍ଥାନାନ୍ତର କରାଯାଇଛି । ସେହିଭଳି ଠେଙ୍ଗା ଓ ପଥର ମାଡ଼ରେ ଅନ୍ୟ ଗୋଷ୍ଠୀର ସୁବାଷ ପରିଡ଼ାଙ୍କ ହାତ, ପିଠି ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି । ସୁବାଷଙ୍କୁ ଏବେ ଭଞ୍ଜନଗର ମେଡିିକାଲରେ ଭର୍ତ୍ତି କରାଯାଇଛି। ଉଭୟ ପକ୍ଷର ଟେକା ପଥର ମାଡ଼ରେ ୧୦ରୁ ଅଧିକ ସାମାନ୍ୟ ଆହତ ହୋଇଛନ୍ତି।

ସମ୍ବନ୍ଧିତ ଖବର