ସରକାରୀ ଅଧିକାରୀ ଲଗାମଛଡ଼ା ହୋଇ ବିଜେଡି ପାଇଁ କାମ କରୁଛନ୍ତି: ଧ‌ର୍ମେନ୍ଦ୍ର

ସିଇଓଙ୍କୁ ଭେଟି ଫେରାଦ ଦେଲେ, ବୁଥ୍‌ଗୁଡ଼ିକରେ ଆତଙ୍କରାଜ ପରିସ୍ଥିତିର ଆଶଙ୍କା ପ୍ରକଟ କଲେ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ଯୋଜନା ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କୁ ଭେଟିବାର କିଛି ସମୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେଠାରେ ପହଞ୍ଚିଥିଲେ। କିଛି ସରକାରୀ ଅଧିକାରୀଙ୍କ ବିରୋଧରେ ସେ ସିଇଓଙ୍କ ନିକଟରେ ଫେରାଦ ହେବା ବୁଥ୍‌ଗୁଡ଼ିକରେ ଶାସକ ଦଳ ପକ୍ଷରୁ ଆତଙ୍କରାଜ ସୃଷ୍ଟି ହେବା ନେଇ ଆଶଙ୍କା ପ୍ରକଟ କରିଥିଲେ। ଏ ଦିଗରେ ଦୃଷ୍ଟି ଦେବାକୁ ସେ ସିଇଓଙ୍କୁ ଅନୁରୋଧ କରିଥିଲେ। ଗଣମାଧ୍ୟମକୁ ଶ୍ରୀ ପ୍ରଧାନ କହିଲେ, ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ କିଛି ନିର୍ଦ୍ଦିଷ୍ଟ ସରକାରୀ ଅଧିକାରୀ ଲଗାମଛଡ଼ା ଅବସ୍ଥାରେ ଅଛନ୍ତି। ସବୁ ବିଧି ବ୍ୟବସ୍ଥାକୁ ଉଲ୍ଲଂଘନ କରି ରାଜନୈତିକ କର୍ମୀ ଭାବେ କାମ କରୁଛନ୍ତି। ତେଣୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମତଦାନ ନେଇ ଭୟ ଓ ଆଶଙ୍କା ଦେଖାଯାଇଛି। ଗତକାଲି ଗଞ୍ଜାମ ଜିଲ୍ଲାରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ବେଳେ ଚିକିଟି ବିଧାନସଭାରେ ସ୍ଥାନୀୟ ପ୍ରଶାସକ ସହାୟତାରେ ଶାସକ ଦଳର କର୍ମୀମାନେ ଆତଙ୍କରାଜ ଚଳେଇ ଆସୁଥିବା ଦେଖାଯାଇଥିଲା। ଏ ବିଷୟରେ ସିଇଓଙ୍କୁ ଓ ଡିଜିଙ୍କୁ ଦଳ ପକ୍ଷରୁ ଗତକାଲି ଅବଗତ କରାଯାଇଥିଲା। ଆଜି ପୁନର୍ବାର ଏ ବିଷୟରେ ସିଇଓଙ୍କୁ ଅବଗତ କରାଯାଇ ସ୍ଥାନୀୟ ସ୍ତରରେ ନିର୍ବାଚନ ପର୍ଯ୍ୟବେକ୍ଷକମାନେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ମିଳିତ ତତ୍ତ୍ବାବଧାନରେ ବୁଥ୍‌ଗୁଡ଼ିକରେ ଲୁଟ୍ କିମ୍ବା ଆତଙ୍କରାଜ ପରିସ୍ଥିତି ନ ହେବା ପାଇଁ ଦୃଷ୍ଟି ଦେବାକୁ ଅନୁରୋଧ କରାଯାଇଛି। ମୁଖ୍ୟମନ୍ତ୍ରୀ କାଳିଆ ଯୋଜନା ନେଇ ସିଇଓଙ୍କୁ ଫେରାଦ ହେବା ପ୍ରଶ୍ନରେ କେନ୍ଦ୍ର ମନ୍ତ୍ରୀ କହିଲେ, ଗଞ୍ଜାମ, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି ଓ ନୂଆପଡ଼ାରେ ସରକାରୀ ଅଧିକାରୀଙ୍କୁ ଡର ଦେଖାଇବା ପାଇଁ ମୁଖ୍ୟମନ୍ତ୍ରୀ ସିଇଓଙ୍କ ଅଫିସ୍‌କୁ ଆସିଥିଲେ। କାଳିଆ ଶାସକ ଦଳ ପାଇଁ କାଳ ହେବ। ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଉଭୟ ବଜେଟ୍‌ରେ ଟଙ୍କା ଓ ତାଲିକା ଅଛି। ମାତ୍ର କାଳିଆ ଯୋଜନାରେ ଏହି ବ୍ୟବସ୍ଥା ରାଜ୍ୟ ସରକାର କରି ନାହାନ୍ତି। କେବଳ ଓଡ଼ିଆ ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ଏହା ପ୍ରଚାର ସର୍ବସ୍ବ ଯୋଜନା। କାଳିଆ ଯୋଜନା‌େର କିଏ ଟଙ୍କା ପାଇଛନ୍ତି ଓ କିଏ ଟଙ୍କା ପାଇବେ, ତାହାର ତାଲିକା ସାର୍ବଜନୀନ କରାଯାଉ ନାହିଁ। କାଳିଆ ଯୋଜନାରେ ମନ୍ତ୍ରୀ, ବିଧାୟକଙ୍କ ପରିବାର ଥିବା କଥା ଗଣମାଧ୍ୟମ ଦେଖାଇବା ପରେ ଏହାକୁ ସରକାର ହଟାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର