ସ୍ୱାସ୍ଥ୍ୟ ବିଭାଗରେ ମାଳ ମାଳ ଯୋଜନା

ତଥାପି ରୋଗୀ ସେବା ଓ ଡାକ୍ତର ଅଭାବକୁ ନେଇ ଚର୍ଚ୍ଚାରେ
ଚଳିତ ଶିକ୍ଷା ବର୍ଷରୁ ବାଲେଶ୍ୱର ଓ ବଲାଙ୍ଗୀର ମେଡିକାଲ କଲେଜରେ ନାମ ଲେଖା

ଭୁବନେଶ୍ୱର : ଗୋଟିଏ କି ଦୁଇଟି ନୁହେଁ, ଉତ୍ତମ ମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ନିକଟରେ ୮ଟି ସ୍ୱାସ୍ଥ୍ୟ ଯୋଜନା ଆରମ୍ଭ କରିଛନ୍ତି। ଏହାସହ କେତେକ ସ୍ୱାସ୍ଥ୍ୟ ଯୋଜନାକୁ ସଂପ୍ରସାରଣ କରାଯାଇଛି। ୧୦୮ ଓ ୧୦୨ ଆମ୍ବୁଲାନ୍‌ସଠାରୁ ଆରମ୍ଭ କରି ନିଦାନ, ସହାୟ, ସୁନେତ୍ର, ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିସନ୍‌, ଦମନ ଓ ଆମ କ୍ଲିନିକ୍‌ ଭଳି ଯୋଜନାର ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି। କେବଳ ସେତିକି ନୁହେଁ, ଏ ମଧ୍ୟରେ ରାଜ୍ୟରେ ୬ଟି ନୂଆ ସବ-ଡିଭିଜନସ୍ତରୀୟ ହସ୍ପିଟାଲ, ୫ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ୧୫ଟି ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ସେହପରି ଝାରସୁଗୁଡ଼ା ଓ ମାଲକାନଗିରିରେ ୨ଟି ୩ଶହ ଶଯ୍ୟା ବିଶିଷ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିକାଶ ହୋଇଥିବା ବିଭାଗ ଦର୍ଶାଇଛି।

ହେଲେ ମାଳ ମାଳ ଯୋଜନା ସତ୍ତ୍ୱେ ଚର୍ଚ୍ଚାରୁ କିନ୍ତୁ ବାହାରି ପାରିନାହିଁ ସ୍ୱାସ୍ଥ୍ୟ ବିଭାଗ। ସ୍ୱାସ୍ଥ୍ୟ ବିଭାଗର ସ୍ୱାସ୍ଥ୍ୟ ଏଯାଏ ସୁଦୃଢ ହୋଇପାରିନାହିଁ। ଏମିତି ଯେ ନିରାମୟ ଯୋଜନା ଠାରୁ ଆରମ୍ଭ କରି ଆମ୍ବୁଲାନ୍‌ସ ସେବା ଯାଏ ବିଭିନ୍ନ ଯୋଜନାର କାର୍ଯ୍ୟାନ୍ଵୟନରେ ତ୍ରୁଟି ସରକାରଙ୍କୁ ଯେତିକି ଅଡୁଆରେ ପକାଉଛି, ଡାକ୍ତର ଅଭାବ ମଧ୍ୟ ଦୁର୍ଗମ ଓ ପଛୁଆ ଅଞ୍ଚଳ ପାଇଁ ଚିନ୍ତାର କାରଣ ସାଜିଛି। ସବୁଠାରୁ ବଡ଼ କଥା ହେଉଛି, ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ସ୍ୱାସ୍ଥ୍ୟ ବିଭାଗ ବେଶ୍‌ ଆଗକୁ ଯାଇଥିଲେ ହେଁ, ବିଭିନ୍ନ ମେସିନ୍‌ ପରିଚାଳନା, ରୋଗୀଙ୍କୁ ଉତ୍ତମ ସେବା ଯୋଗାଇବା ଆଦି କ୍ଷେତ୍ରରେ ସେଭଳି ଆଖିଦୃଶିଆ ବିକାଶ ହୋଇପାରିନାହିଁ। ଏସବୁ ଏବେ ସ୍ୱାସ୍ଥ୍ୟ ବିଭାଗ ପାଇଁ ଆହ୍ଵାନ ପାଲଟିଛି। ସେହିଭଳି ମେଡିକାଲ କଲେଜ ସଂଖ୍ୟା ବୃଦ୍ଧି ପାଉଥିଲେ ହେଁ, ସମାନ୍ତରାଳ ଭାବେ ମେଡିକାଲ କଲେଜରେ ଆନ୍ଦୋଳନ ରୋଗୀଙ୍କୁ ନାହିଁ ନଥିବା ଦୁର୍ଦଶା ଭିତରକୁ ଠେଲି ଦେଉଛି।

ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ, ରାଜ୍ୟରେ ୪୧ଟି ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ୧୯ଟି ନୂତନ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ୩୪୦ଟି ଉପଖଣ୍ଡସ୍ତରୀୟ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ରାଜ୍ୟର ୩ଟି ପୁରାତନ ମେଡିକାଲ କଲେଜର ସିଟ୍‌ ସଂଖ୍ୟା ୬୫୦କୁ ବୃଦ୍ଧି କରାଯାଇଛି। ଏହାସହିତ କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ୧୦୦ଟି ଲେଖାଏଁ ଏମ୍‌ବିବିଏସ୍‌ ସିଟ୍‌ ଖୋଲିଛି। ଚଳିତ ଶିକ୍ଷାବର୍ଷରୁ ବାଲେଶ୍ୱର ଓ ବଲାଙ୍ଗୀର ମେଡିକାଲ କଲେଜରେ ନାମ ଲେଖା ହେବ। ଏହାସହ ପୁରୀ, କେନ୍ଦୁଝର, ତାଳଚେର, ସୁନ୍ଦରଗଡ଼ ଓ ଭବାନୀପାଟଣାରେ ୫ଟି ନୂତନ କଲେଜ ଖୋଲିବାକୁ ଯାଉଛି। ପୁରୀ ଓ ସୁନ୍ଦରଗଡ଼ରେ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ କେନ୍ଦୁଝର ଓ ତାଳଚେରରେ ନିର୍ମାଣ କାର୍ଯ୍ୟ ଜାରି ରହିଛି।

ଏଠାରେ ଉଲ୍ଲେଖଥାଉକି, ‘ନିର୍ମଳ’ ଯୋଜନାରେ ହସ୍ପିଟାଲ ଓ ଜନସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ ପରିମଳ, ଲଣ୍ଡ୍ରି, ନିରାପତ୍ତା ଓ ଲିଫ୍‌ଟ ଭଳି ଆନୁସାଙ୍ଗିକ ସେବାଗୁଡ଼ିକୁ ସୁଦୃଢ଼ କରିବା ପାଇଁ ୧୨୦କୋଟି ଟଙ୍କାର ବଜେଟ୍‌ କରାଯାଇଛି। ସୁନେତ୍ର ଯୋଜନାରେ ମାଗଣାରେ ସ୍କ୍ରିନିଂ ବ୍ୟବସ୍ଥା ସହିତ ସମସ୍ତ ପ୍ରକାର ଚକ୍ଷୁ ରୋଗର ଚିକିତ୍ସା କରାଯାଉଛି। ‘ଭିଜନ୍‌ କ୍ଲିନିକ୍‌’ ଜରିଆରେ ଅତ୍ୟାଧୁନିକ ଜ୍ଞାନ କୌଶଳରେ ଚକ୍ଷୁ ରୋଗ ଚିକିତ୍ସାକୁ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ୧୨୦କୋଟି ଟଙ୍କାର ବ୍ୟୟ ଅଟକଳ ରହିଛି।

ସରକାରୀ ଅନୁଷ୍ଠାନରେ ପ୍ରସବ କରିଥିବା ମା’ ଓ ନବାଗତ ଶିଶୁଙ୍କୁ ‘ସଂପୂର୍ଣ୍ଣ ସୁରକ୍ଷା କବଚ’ ଯୋଜନାରେ ବିଭିନ୍ନ ଅତ୍ୟାବଶ୍ୟକ ସାମ୍ରଗୀର କିଟ୍‌ ଯୋଗାଇ ଦିଆଯିବ। ଏଥିପାଇଁ ବାର୍ଷିକ ୬୯କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ‘ନିଦାନ’ ଯୋଜନା ମଧ୍ୟ ଆରମ୍ଭ ହୋଇଛି। ସରକାରୀ-ଘରୋଇ ସହଭାଗିତାରେ ବିନା ମୂଲ୍ୟରେ ୧୫ଟି ଅତ୍ୟାଧୁନିକ ଡାଏଗ୍ନୋଷ୍ଟିକ୍‌ ସେବା ମିଳିପାରିବ। ଏଥିପାଇଁ ରାଜ୍ୟ ସରକାର ୧୧୦କୋଟି ଟଙ୍କା ଖର୍ଚ କରିବେ।

‘ସହାୟ’ ଯୋଜନାରେ ରାଜ୍ୟବାସୀଙ୍କୁ ମାଗଣାରେ ଡାଏଲିସିସ୍‌ ସେବା ଉପଲବ୍ଧ ହେବ। ପ୍ରଥମ ପର୍ଯ୍ୟାୟରେ ଅନୁଗୁଳ, ବାଲେଶ୍ୱର ଓ ବଲାଙ୍ଗୀର ଜିଲ୍ଲା ହସ୍ପିଟାଲ ଓ କ୍ୟାପିଟାଲ ହସ୍ପିଟାଲରେ ପିପିପି ମୋଡରେ ଆରମ୍ଭ ହୋଇଛି। ଆଗାମୀ ଦିନରେ ୨୨ଟି ଜିଲ୍ଲାରେ ଏହି ସୁବିଧା ଉପଲବ୍ଧ ହେବ। ଏଥିପାଇଁ ବର୍ଷକୁ ୧୦କୋଟି ଟଙ୍କା ରାଜ୍ୟ ସରକାର ଖର୍ଚ କରିବେ। ରାଜ୍ୟରେ କିଶୋରୀମାନଙ୍କ ସ୍ୱାସ୍ଥ୍ୟ ଓ ବ୍ୟକ୍ତିଗତ ପରିଚ୍ଛନ୍ନତା ପାଇଁ ସରକାର ‘ଖୁସି’ ଯୋଜନା ଆରମ୍ଭ କରିଛନ୍ତି। ମ୍ୟାଲେରିଆ ନିୟନ୍ତ୍ରଣ କ୍ଷେତ୍ରରେ ‘ଦମନ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସେହିପରି ରାଜ୍ୟରେ କର୍କଟ ରୋଗର ଚିକିତ୍ସା ଜିଲ୍ଲାସ୍ତରରେ ଆରମ୍ଭ ହୋଇଛି। ୨୫ଟି ଜିଲ୍ଲା ସଦର ମହକୁମା ଚିକିତ୍ସାଳୟରେ ୬ଶଯ୍ୟା ବିଶିଷ୍ଟ ଡେ’କେୟାର କେମୋଥେରାପି ଆରମ୍ଭ ହୋଇଛି।

ଅନ୍ୟପକ୍ଷରେ ରାଜ୍ୟର ଦୁର୍ଗମ ଅଞ୍ଚଳର ଲୋକଙ୍କୁ ଆବଶ୍ୟକ ସମୟରେ ତ୍ୱରିତ ସେବା ପାଇଁ ବାଇକ ଆମ୍ବୁଲାନ୍‌ସ ବ୍ୟବସ୍ଥା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି ଓ ରାୟଗଡ଼ା ଆଦି ଜିଲ୍ଲାରେ ୫ଟି ବାଇକ୍‌ ଆମ୍ବୁଲାନସ ଚାଲୁଥିବା ବେଳେ ରାଜ୍ୟର ଅନ୍ୟ ଅଞ୍ଚଳ ପାଇଁ ୯୨ଟି ବାଇକ ଆମ୍ବୁଲାନ୍‌ସ ଚାଲୁ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି। ରାଜ୍ୟରେ ମିଳିମିଳା ଓ ରୁବେଲା ପ୍ରତିଷେଧକ ଟିକାକରଣ କରାଯାଇଥିବା ବେଳେ ରାଜ୍ୟର ୧୩ଟି ଜିଲ୍ଲାରେ ଜେଇ ଟିକାକରଣ ହୋଇଛି।

ସମ୍ବନ୍ଧିତ ଖବର