୧୧ରେ ଦିଲ୍ଲୀରେ ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସମ୍ମିଳନୀ

ଭୁବନେଶ୍ୱର: ଆସନ୍ତା ୧୧ତାରିଖରେ ନୂଆଦିଲ୍ଲୀର ଜନ୍ତରମନ୍ତରରେ ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସମ୍ମିଳନୀ ଅନୁଷ୍ଠିତ ହେବ। ରାଜ୍ୟରୁ ୫ହଜାରର ଅଧିକ ଚାଷୀ ଓ ପ୍ରତିନିଧିଙ୍କୁ ମିଶାଇ ଦେଶର ୨୨ଟି ରାଜ୍ୟର ୧୦ହଜାରରୁ ଅଧିକ ବ୍ୟକ୍ତିବିଶେଷ ଏଥିରେ ସାମିଲ ହେବେ। ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜନ୍ମ ତିଥିରେ ଏହି ରାଷ୍ଟ୍ରୀୟ ସମ୍ମିଳନୀର ଆୟୋଜନ କରାଯାଉଥିବା କହିଛନ୍ତି ସଂଗଠନର ରାଜ୍ୟ ସଂଯୋଜକ ଅକ୍ଷୟ କୁମାର।
ଆଜି ଉତ୍କଳ ସାମ୍ବାଦିକ ସଂଘ ପରିସରରେ ସଂଗଠନ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ କୁମାର କହିଲେ, ଆସନ୍ତା ୮ ତାରିଖରେ ୪ଟି ଟ୍ରେନ୍‌ ଯୋଗେ ରାଜ୍ୟରୁ ୫ହଜାର ଚାଷୀ ଓ ଅନ୍ୟ ପ୍ରତିନିଧି ଦିଲ୍ଲୀ ଯାତ୍ରା କରିବେ। ସଂପର୍କକ୍ରାନ୍ତି, ପୁରୁଷୋତ୍ତମ ଓ ଉତ୍କଳ ଏକ୍ସପ୍ରେସ୍‌ ଓ ପଶ୍ଚିମ ଓଡ଼ିଶାରୁ ସମତାକ୍ରାନ୍ତି ଯୋଗେ ଦିଲ୍ଲୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏ ପର୍ଯ୍ୟନ୍ତ ୧ହଜାର ବ୍ୟକ୍ତି ଟ୍ରେନରେ ସିଟ୍‌ ସଂରକ୍ଷଣ କରି ସାରିଛନ୍ତି। ଓଡ଼ିଶା ସମେତ ଉତ୍ତର ପ୍ରଦେଶ, ହରିୟାନାକୁ ମିଶାଇ ୨୨ଟି ରାଜ୍ୟର ଚାଷୀମାନେ ଏଥିରେ ଯୋଗ ଦେବେ। ଏହି ସମ୍ମିଳନୀକୁ ବିଶିଷ୍ଟ ଗାନ୍ଧୀବାଦୀ ନେତା ଆନ୍ନା ହଜାରେ ଉଦ୍‌ଘାଟନ କରିବେ। ଅନ୍ୟମାନଙ୍କ ମଧ୍ୟରେ ଜଳ ପୁରୁଷ ରାଜେନ୍ଦ୍ର ସିଂ, ରମଣ ମାଗାସେସେ ପୁରସ୍କାର ବିଜେତା ସନ୍ଦୀପ ପାଣ୍ଡେ, ସାଂସଦ ରାଜୁ ସେଟ୍ଟି ଓ ଅନ୍ୟ ଚାଷୀ ସଂଗଠନର ନେତୃମଣ୍ଡଳୀ ଏଥିରେ ସାମିଲ ହେବାର ହେବାର କାର୍ଯ୍ୟକ୍ରମ ରହିଛି। ଶ୍ରୀ କୁମାର ଆହୁରି ମଧ୍ୟ କହିଲେ ଯେ, ଗତ ୭ବର୍ଷ ଧରି ସଂଗଠନ ପକ୍ଷରୁ ଆନ୍ଦୋଳନ କରାଯିବା ପରେ ରାଜ୍ୟ ବିଧାନସଭାରେ ସର୍ବଦଳୀୟ ସହମତିରେ ଧାନ କ୍ୱିଣ୍ଟାଲ ପିଛା ୨୯୩୦ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା। ଏହାକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି କରାଯିବ। ଯଦି ଆସନ୍ତା ୬ମାସ ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରା ନ ଯାଏ ତେବେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ସେ ଚେତାବନୀ ଦେଇଥିଲେ। ଏହି ସାମ୍ବାଦିକ ସମ୍ମିନଳରେ ସଂଗଠନର ସହ ସଂଯୋଜକ ଶେଷଦେବ ନନ୍ଦ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଉମାକାନ୍ତ ଭାରତ, ନିମାଇଁ ରାୟ, ଯୁବଛାତ୍ର ଆବାହକ ମନଓ୍ଵର ଅଲ୍ଲୀ, ପ୍ରସନ୍ନ କୁଅଁର ଓ ରଶ୍ମିରଂଜନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର