୨୫୦୦ରୁ ଅଧିକ ମଣ୍ଡପରେ ମା’ଙ୍କ ପୂଜାର୍ଚ୍ଚନା

ଭୁବନେଶ୍ୱର : ଅଧର୍ମ ଉପରେ ଧର୍ମର ବିଜୟ ବାର୍ତା ନେଇ ଧରାପୃଷ୍ଠକୁ ଆସିଛନ୍ତି ମା’। ମହାପାର୍ବଣରେ ପୁରପଲ୍ଲୀଠୁ ନେଇ ସହର ବଜାର ସବୁଠି ଉତ୍ସାହ ଓ ଉଲ୍ଲାସ। ଝଲସୁଛି ପୂଜାମଣ୍ଡପ। କେଉଁଠି ଆଖିଝଲସା ତୋରଣର ସୁଦୃଶ୍ୟ ସମ୍ଭାର ତ ପୁଣି କେଉଁଠି ଚାନ୍ଦି ଓ ସୁନା ଅଳଙ୍କାର ଓ ମେଢ଼ର ଅଘୋଷିତ ପ୍ରତିଯୋଗିତା। ରାଜ୍ୟରେ ଏଥର ପ୍ରାୟ ୨୫୦୦ ସାର୍ବଜନୀନ ମଣ୍ଡପରେ ଚାଲିଛି ଶାରଦୀୟ ପୂଜା। କେଉଁଠି ମା’ ମହିଷାମର୍ଦ୍ଦିନୀଙ୍କ ପୂଜା ଚାଲିଛି ତ କେଉଁଠି କେଉଁଠି ହରପାର୍ବତୀ ପୂଜା ପାଉଛନ୍ତି।

ତେବେ ଏହି ପାର୍ବଣ ପାଳନରେ ସର୍ବାଗ୍ରେ ରହିଛି ରାଜଧାନୀ ଭୁବନେଶ୍ୱର। ଚଳିତ ବର୍ଷ ଭୁବନେଶ୍ୱର ଓ ଏହାର ଆଖପାଖରେ ୧୭୨ଟି ମଣ୍ଡପରେ ଚାଲିଛି ପୂଜାର୍ଚ୍ଚନା। ଭୁବନେଶ୍ୱରରେ ସୁଦୃଶ୍ୟ ତୋରଣ ସାଙ୍ଗକୁ ଆଲୋକମାଳା ସହରକୁ ରଙ୍ଗିନ୍‌ କରିଛି। ନୟାପଲ୍ଲୀ, ରସୁଲଗଡ଼, ସହିଦନଗର, ଝାରପଡ଼ା, ପୁରୁଣା ଷ୍ଟେସନ୍‌ ବଜାର, ବମିଖାଲ, ବରମୁଣ୍ଡା ଭଳି ପୂଜା ମଣ୍ଡପର ସୁଦୃଶ୍ୟ ତୋରଣ ଏବଂ ସେଥିରେ ଉପସ୍ଥାପିତ କଳା ଚାତୁରୀ ଶ୍ରଦ୍ଧାଳୁଙ୍କୁ ଘଣ୍ଟାଘଣ୍ଟା ବାନ୍ଧି ରଖୁଛି। ଦ୍ୱିତୀୟ ସ୍ଥାନରେ ରହିଛି କଟକ। ଏଠାରେ ଚଳିତ ବର୍ଷ ୧୬୦ଟି ପୂଜା ମଣ୍ଡପରେ ଚାଲିଛି ପୂଜାର୍ଚ୍ଚନା। ତେବେ ୨୪ଟି ସ୍ଥାନରେ ଚାନ୍ଦି ମେଢ଼ ସାଙ୍ଗକୁ ୮ଟି ସ୍ଥାନରେ ସୁନା ଅଳଙ୍କାରରେ ସୁସଜ୍ଜିତ ଦେବୀଙ୍କୁ ଦର୍ଶନ ପାଇଁ ବେଶ୍‌ ଉତ୍ସାହ ପରିଲକ୍ଷିତ ହେଉଛି। ରାଉରକେଲାରେ ମଧ୍ୟ ଏଥର ପୂର୍ବବର୍ଷ ଭଳି ୧୦୪ଟି ମେଢ଼ ଦେଖିବାକୁ ମିଳିଛି। ଜିଲ୍ଲା ଭିତ୍ତିରେ ବାଲେଶ୍ୱରରେ ସର୍ବାଧିକ ସ୍ଥାନରେ ପୂଜା ଅନୁଷ୍ଠିତ ହେଉଛି। ୨୯୦ରୁ ଊର୍ଧ୍ୱ ସ୍ଥାନରେ ଦୁର୍ଗାପୂଜା ଅନୁଷ୍ଠିତ ହେଉଛି। ଗଂଜାମ ଓ ଭଂଜନଗରରେ ୧୯୩ଟି ମଣ୍ଡପରେ ପୂଜା ଅନୁଷ୍ଠିତ ହେଉଛିି। ତେବେ ଗଞ୍ଜାମର ଭୈରବୀ, ତାରାତାରିଣୀ, ନାରାୟଣୀ ଓ ସିଂହାସିନୀ ଶକ୍ତିପୀଠରେ ଶ୍ରଦ୍ଧାଳୁଙ୍କ ବିପୁଳ ସମାଗମ ହେଉଛି। ଯାଜପୁର ଜିଲ୍ଲାରେ ୧୦୦ରୁ ଊର୍ଧ୍ୱ ସ୍ଥାନରେ ପୂଜା ହେଉଥିବା ବେଳେ କେନ୍ଦ୍ରାପଡ଼ାରେ ୯୦ରୁ ଊର୍ଧ୍ୱ ପୂଜା ମଣ୍ଡପରେ ପୂଜାର୍ଚନା କରାଯାଉଛି।

ପଟ୍ଟାମୁଣ୍ଡାଇରେ ପୂଜା ଆକର୍ଷଣ ସାଜୁଥିବା ବେଳେ ବଙ୍ଗାଳି ସାହିରେ ସଂପୂର୍ଣ୍ଣ ବଙ୍ଗୀୟ ରୀତିରେ ପୂଜାର୍ଚନା କରାଯାଉଛି। ନୟାଗଡ଼ରେ ୮୩ଟି ପୂଜା ମଣ୍ଡପରେ ପୂଜା ଅନୁଷ୍ଠିତ ହେଉଛି। ପୁରୀ ସହରରେ ଗୋସାଣୀଙ୍କୁ ମିଶାଇ ୧୫ଟି ସ୍ଥାନରେ ପୂଜା ହେଉଥିବା ବେଳେ ଜିଲ୍ଲାରେ ୫୫ରୁ ଊର୍ଧ୍ୱ ପୂଜା ମଣ୍ଡପରେ ପୂଜା ଅନୁଷ୍ଠିତ ହେଉଛି। ବାଟ ମଙ୍ଗଳା, ଉତ୍ତରାୟଣୀ ପୀଠ ଆଦିରେ ଭକ୍ତଙ୍କ ସମାଗମ ହେଉଛି। କେଉଁଝରରେ ୫୬ଟି ମଣ୍ଡପରେ ମା’ଙ୍କ ଆବାହନ କରାଯାଇଛି। ଏଥିସହ ମା’ ତାରିଣୀଙ୍କ ଦର୍ଶନ ପାଇଁ ଭିଡ଼ ଲାଗୁଛି। ଢେଙ୍କାନାଳରେ ୪୫ଟି ସ୍ଥାନରେ ପୂଜା ହେଉଛି। ଭଦ୍ରକରେ ୬୦ରୁ ଊର୍ଧ୍ୱ ମଣ୍ଡପ, ଅନୁଗୁଳରେ ୨୭ରୁ ଊର୍ଧ୍ୱ, ଖୋର୍ଧା ସହରରେ ୭ଟି ସ୍ଥାନରେ ପୂଜା ହେଉଛି। ଜିଲ୍ଲାର ବାଣପୁରର ପ୍ରତ୍ୟକ୍ଷ ଠାକୁରାଣୀ ଭଗବତୀଙ୍କ ପୀଠକୁ ଭକ୍ତଙ୍କ ସୁଅ ଛୁଟୁଛି। ଜଗତସିଂହପୁରରେ ୭୭ ପୂଜା ମଣ୍ଡପରେ ପୂଜା ହେଉଥିବା ବେଳେ ଝଙ୍କଡ଼ ସାରଳା ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ସୁନ୍ଦରଗଡ଼ରେ ୩୨, ଗଜପତିରେ ୨୯ଟି, ବଲାଙ୍ଗୀରରେ ୪୯ଟି, କନ୍ଧମାଳରେ ୧୫ଟି ପୂଜା ମଣ୍ଡପରେ ପୂଜା ହେଉଛି। ଗଜପତିରେ ନୀଳିମାମନ୍ଦିର, ବଲାଙ୍ଗୀରର ସମଲେଇ ଓ ପାଟଣେଶ୍ୱରୀ ପୀଠରେ ନବରାତ୍ରୀ ପର୍ବ ମହା ଆଡ଼ମ୍ବରରେ ପାଳିତ ହେଉଛି।

ସମ୍ବଲପୁରରେ ୫୪ଟି ପୂଜା ମଣ୍ଡପ ସମେତ ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ୱରୀ ପୀଠରେ ଦର୍ଶନାର୍ଥୀଙ୍କ ସମାଗମ ହେଉଛି, ଝାରସୁଗୁଡ଼ା ସହରରେ ୨୫ରୁ ଊର୍ଧ୍ୱ ମେଢ଼ ହେଉଥିବା ବେଳେ ଜିଲ୍ଲାରେ ୫୦ରୁ ଊର୍ଧ୍ୱ ମଣ୍ଡପରେ ପୂଜା ହେଉଛି। ବରଗଡ଼ରେ ୫୦ରୁ ଊର୍ଧ୍ୱ ପୂଜା ମଣ୍ଡପରେ ପୂଜା ହେଉଥିବା ବେଳେ ନଦୀପଡ଼ାରେ ପୂଜା ୭୮ ବର୍ଷରେ ପଦାର୍ପଣ କରିଛି। ସୋନପୁରରେ ୩୨ଟି ମଣ୍ଡପ ସମେତ ସୁରେଶ୍ୱର, ଖମ୍ବେଶ୍ୱରୀ ଓ ସମଲେଶ୍ୱରୀ ପୀଠରେ ଭିଡ଼ ହେଉଛି। ବୌଦ୍ଧରେ ୨୨ଟି ମଣ୍ଡପରେ ମା’ଙ୍କୁ ଆବାହନ କରାଯାଇଥିବା ବେଳେ ଭେରବୀ ପୀଠରେ ୧୬ଦିନାତ୍ମକ ଗୁପ୍ତ ପୂଜା କରାଯାଉଛି। କଳାହାଣ୍ଡିରେ ୫୦ଟି ପୂଜା ମଣ୍ଡପ ସମେତ ମାଣିକେଶ୍ୱରୀ, ଲକ୍ଷେଶ୍ୱରୀ ଓ କନକଦୁର୍ଗା ପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି।

ସେହିପରି ନବରଙ୍ଗପୁରରେ ୪୦ଟି ମେଢ଼ ସମେତ ମା ଭଣ୍ଡାରଘରଣୀ ପୀଠରେ ଜାକଜମକରେ ପୂଜା ହେଉଛି। କୋରାପୁଟରରେ ୫୫, ରାୟଗଡ଼ାରେ ୨୫ରୁ ଊର୍ଧ୍ୱ, ମୟୂରଭଂଜରେ ୨୧ଟି, ଦେବଗଡ଼ରେ ୧୦, ମାଲକାନଗିରିରେ ୧୦ଟି ପୂଜା ମଣ୍ଡପରେ ପୂଜା ଅନୁଷ୍ଠିତ ହେଉଥିବା ବେଳେ ଦେବୀ ପୀଠରେ ନବରାତ୍ରୀ ଉତ୍ସବ ସାରା ରାଜ୍ୟକୁ ଏକ ଆଧ୍ୟାତ୍ମିକ ପରିବେଶରେ ଆଚ୍ଛନ୍ନ କରି ରଖିଛି। ଗାଁ’ରୁ ସହର ଦେବୀମୟ ହୋଇଛି।

ଆଜି ଏହିସବୁ ସାର୍ବଜନୀନ (ଅସ୍ଥାୟୀ) ମଣ୍ଡପରେ ଦେବୀଙ୍କ ମହାଷ୍ଟମୀ ପୂଜା ସଂପନ୍ନ ହୋଇଛି। ରାଜ୍ୟର ବିଭିନ୍ନ ଦେବୀପୀଠରେ ନବମୀ ପୂଜା କରାଯାଉଛି। ତେବେ ଶନିବାରର ବିଜୟା ଦଶମୀ ଓ ରାବଣପୋଡ଼ିକୁ ସମସ୍ତେ ଅତି ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି।

ସମ୍ବନ୍ଧିତ ଖବର