ଆରମ୍ଭ ହେଲା ବିଜେପିର ଜନ ଅଦାଲତ କାର୍ଯ୍ୟକ୍ରମ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଦୁର୍ନୀତି ଆଉ ଅପାରଗତା ବିରୋଧରେ ବିଜେପିର ‘ଜନ ଅଦାଲତ’ କାର୍ଯ୍ୟକ୍ରମ ଆଜି ଠାରୁ ଆରମ୍ଭ ହୋଇଛି। ଏହା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିନରେ ବ୍ରହ୍ମପୁର, ପୁରୀ ଓ କଳାହାଣ୍ଡିରେ ଏହାର ଆୟୋଜନ କରାଯାଇଥିଲା। ରାଜ୍ୟର ୨୧ଟି ସଂସଦୀୟ ନିର୍ବାଚନମଣ୍ଡଳୀରେ ଏହା କରାଯିବାର କାର୍ଯ୍ୟକ୍ରମ ରହିଛି।

ଏ ସମ୍ପର୍କରେ ସୂଚନା ଦେଇ ବିଜେପିର ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି, ୧୯ ବର୍ଷର ସ୍ଥାଣୁ, ଅପାରଗ ଓ ଦୁର୍ନୀତିଖୋର ସରକାର ବିରୋଧରେ ଦୁର୍ନୀତି ଭ୍ରଷ୍ଟାଚାର ଠାରୁ ଆରମ୍ଭ କରି ପ୍ରିୟାପ୍ରୀତି ତୋଷଣ ପର୍ଯ୍ୟନ୍ତ ଏସବୁର ଲମ୍ବା ତାଲିକା ପ୍ରସ୍ତୁତ ହୋଇଛି। ଏହି ଲମ୍ବା ତାଲିକାକୁ ଲୋକଙ୍କ ପାଖକୁ ପହଞ୍ଚାଇବା ପାଇଁ ବିଜେପି ପକ୍ଷରୁ ଆଜି ଠାରୁ ଜନ ଅଦାଲତ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମ ‌େବଳେ ପ୍ରତ୍ୟେକ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୭ଟି ବିଧାନସଭା ନିର୍ବ‌ାଚନମଣ୍ଡଳୀର ସ୍ଥାଣୁତା ଓ ଅପାରଗତାକୁ ସାମ୍ନାକୁ ଅଣାଯିବ। ଜନ ପ୍ରତିନିଧିମାନଙ୍କ ଦୁର୍ନୀତି ଯୋଗୁ ସାଧାରଣ ଲୋକମାନେ କିପରି ଅବହେଳିତ ହୋଇଛନ୍ତି, ତାହାର ଏକ ୧୫ ମିନିଟ୍‌ର ଚାକ୍ଷୁସ ପ୍ରମାଣ ଲୋକମାନଙ୍କୁ ଦେଖାଯିବ।

ଜନ ଅଦାଲତ କାର୍ଯ୍ୟକ୍ରମରେ ଜନସାଧାରଣଙ୍କୁ ଏକ କୋର୍ଟ ରୁମ୍ ପରିସର ପରି ଜଣଙ୍କୁ ସାଙ୍କେତିକ ଭାବେ ବିଚାରପତି କରାଯାଇ ବସାଯିବାର ବ୍ୟବସ୍ଥା କରାଯାଇଛି। ଉପସ୍ଥିତ ଥିବା ଜନସାଧାରଣ ସ୍ଥାନୀୟ ପ୍ରତିନିଧିଙ୍କ ଉଦ୍ଦେଶ୍ୟରେ ସେମାନଙ୍କର ଅଭିଯୋଗ କହିବେ। ବିଚାରପତି ତାହାର ଶୁଣାଣି କରିବେ। ପରେ ବିଚାରପତି ଓ ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମାଧ୍ୟମରେ ଏହି ସରକାର ପରିବର୍ତ୍ତନ କରିବାକୁ ଶପଥ ନିଆଯିବ।

ସମ୍ବନ୍ଧିତ ଖବର