ଏସ୍‌ସିବିକୁ ଘାରିଲାଣି ଏମ୍‌ସିଆଇ ଚିନ୍ତା

କଟକ : ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ୮ଟି ବିଭାଗର ପିଜି ସିଟ୍‌ ସଂପର୍କରେ ତଦାରଖ ପାଇଁ ଆସିବେ ଏମ୍‌ସିଆଇ ଟିମ୍‌। ହେଲେ ମେଡିକାଲ କଲେଜରେ ଖାଲି ପଡିଥିବା ବିଶେଷଜ୍ଞ ପଦବି ପୂରଣ ହେବା ବଦଳରେ ଖାଲି ପଦବି ସଂଖ୍ୟା ବଢିବାରେ ଲାଗିଛି। ଖାଲି ପଦବି ପୂରଣ ହୋଇପାରୁନି। ଏହାକୁ ନେଇ ଏସ୍‌ସିବି କର୍ତ୍ତୃପକ୍ଷ ଓ ସ୍ବାସ୍ଥ୍ୟ ବିଭାଗକୁ ଚିନ୍ତା ଘାରିଛି। ଏମସିଆଇ ଗାଇଡଲାଇନ୍ ଅନୁସାରେ ପଦବି ପୂରଣ ହୋଇ ନ ଥିଲେ, ସ୍ବୀକୃତି କଟିବା ଆଶଙ୍କା କରାଯାଉଛି।

ଏସ୍‌ସିବିରେ ୨୫୦ ଏମ୍‌ବିବିଏସ୍‌ ସିଟ୍‌ ପାଇଁ ଏମ୍‌ସିଆଇ ମଂଜୁରି ରହିଛି। ହେଲେ ବିଭିନ୍ନ ବିଭାଗରେ ୩ବର୍ଷ ତଳେ ଖୋଲିଥିବା ପିଜି ସିଟ୍‌ ଭିତ୍ତିଭୂମି ଯାଂଚ ପାଇଁ ଖୁବ୍‌ଶୀଘ୍ର ଏମ୍‌ସିଆଇ ଟିମ୍‌ ଆସିବାର ଅଛି। ଏସ୍‌ସିବିର ସର୍ଜରି, ଚକ୍ଷୁ, ସ୍ତ୍ରୀ ରୋଗ ପ୍ରସୂତି ବିଭାଗ, ଅର୍ଥୋପେଡିକ୍‌, ସ୍କିନ୍‌, ମେଡିସିନ୍‌, ପଲ୍ୟୁମୁନାରି ମେଡିସିନ୍‌, ରେଡିଓଲୋଜି ବିଭାଗ ଭଳି ୮ଟି ବିଭାଗକୁ ଜୁନ୍‌ ୨୯ ସୁଦ୍ଧା ଏମ୍‌ସିଆଇ ଟିମ୍‌ ଆସିବ। ସଂପୃକ୍ତ ପିଜି ପାଠ୍ୟକ୍ରମ ପାଇଁ ପରୀକ୍ଷା ଆରମ୍ଭ ହେବା ମାତ୍ରେ ବିଭାଗୀୟ ମୁଖ୍ୟମାନେ ଏମ୍‌ସିଆଇକୁ ଚିଠି ଲେଖିବେ। ଗାଇଡ୍‌ଲାଇନ୍‌ କହୁଛି ସଂପୃକ୍ତ ବିଭାଗର ୮୫ପ୍ରତିଶତ ପଦ ପୂରଣ ହୋଇଥିବ ଓ ଏମ୍‌ସିଆଇର ସର୍ତ୍ତ ଅନୁସାରେ ବିଭାଗଗୁଡିକ ସେଗୁଡିକ ପୂରଣ କରିଥିବେ। ହେଲେ ଏସ୍‌ସିବି ସର୍ଜରି ବିଭାଗ ଜଣେ ପ୍ରଫେସର, ୩ଜଣ ସହଯୋଗୀ ପ୍ରଫେସର ପଦ ଖାଲି ପଡିଥିବାବେଳେ କମ୍ୟୁନିଟି ମେଡିସିନ୍‌ ବିଭାଗରେ ଜଣେ ପ୍ରଫେସର ପଦ ଖାଲିପଡ଼ିଛି। ପାଥୋଲୋଜି ବିଭାଗ ମଧ୍ୟ ବିନା ପ୍ରଫେସରରେ ଚାଲିଛି। ଅନ୍ୟପଟେ ଜୁଲାଇରେ ମଧ୍ୟ ଅନ୍ତଃସ୍ରାବି ବିଭାଗ ପ୍ରଫେସର ପଦ ଖାଲି ହୋଇଯିବ। ଯଦି ଏଭଳି ଚାରୋଟି ଗୁରୁତ୍ବପୂର୍ଣ୍ଣ ବିଭାଗରେ ଏଭଳି ସ୍ଥିତି, ତାହେଲେ ଏସ୍‌ସିବି ଭଳି ରାଜ୍ୟର ସର୍ବବୃହତ ରେଫରାଲ ହସ୍ପିଟାଲର ଅନ୍ୟ ବିଭାଗ କିପରି ଚାଲିଥିବ ତାକୁ ନେଇ ପ୍ରଶ୍ନ ଉଠିଲାଣି।

ସମ୍ବନ୍ଧିତ ଖବର