ଓଡ଼ିଶା କର୍ମଚାରୀ ମହା‌ମଞ୍ଚର ସରକାରଙ୍କୁ ଚେତାବନୀ : ଠିକା କର୍ମଚାରୀଙ୍କ ସମସ୍ୟା ସମାଧାନ ନହେଲେ ପରିଣାମ ଭୋଗିବ

ଭୁବନେଶ୍ବର : ରାଜ୍ୟ ସରକାର ପୁଳାପୁଳା ଯୋଜନା ଘୋଷଣା କରୁଛନ୍ତି। ହେଲେ ଏହାକୁ ସଫଳ ଭାବେ ଲୋକଙ୍କ ପାଖରେ ପହଞ୍ଚାଉଥିବା ଆଉଟସୋର୍ସିଂ, ଠିକା ଓ ଡିଏଲ୍‌ଆର୍ ତଥା କେନ୍ଦୁପତ୍ର କର୍ମଚାରୀଙ୍କ ସମସ୍ୟାର ସମାଧାନ କରାଯାଉନି। ସାଧାରଣ ନିର୍ବାଚନ ନେଇ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ରାଜ୍ୟ ସରକାର ‌ଆମ ଦାବି ପୂରଣ ନକଲେ ନିର୍ବାଚନ ସମୟରେ ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହନ୍ତୁ ବୋଲି ଓଡ଼ିଶା କର୍ମଚାରୀ ମହାମଞ୍ଚ ରାଜ୍ୟ ସରକାରୀଙ୍କୁ ଚେତାବନୀ ଦେଇଛି।

କର୍ମଚାରୀ ମହାମଞ୍ଚର ରାଜ୍ୟ ଆବାହକ ପ୍ରଭାତ ମହାନ୍ତି ଓ ରାଜ୍ୟ ଆଉଟସୋର୍ସିଂ କର୍ମଚାରୀ ସଂଘର ସଭାପତି ସଞ୍ଜୟ କୁମାର ପଟ୍ଟନାୟକ ଆଜି କର୍ମଚାରୀ ମହାମଞ୍ଚ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଆଉଟ ସୋର୍ସିଂ ଓ ଠିକା ବ୍ୟବସ୍ଥା ସଂପୂର୍ଣ୍ଣ ଉଚ୍ଛେଦ ସହ ସ୍ଥାୟୀ ନିଯୁକ୍ତି, ଦରମା ବୃଦ୍ଧି, ଚାକିରି ସୁରକ୍ଷା, ସମାନ କାମକୁ ସମାନ ଦରମା, କେନ୍ଦୁପତ୍ର କର୍ମଚାରୀମାନଙ୍କୁ ନ୍ୟାୟ ପ୍ରଦାନ କରି ଅବସର ବୟସ ବୃଦ୍ଧି, କାର୍ଯ୍ୟକାଳ ୧ବର୍ଷକୁ ବୃଦ୍ଧି, ଅସ୍ଥାୟୀ କର୍ମଚାରୀଙ୍କୁ ତୁରନ୍ତ ସ୍ଥାୟୀ କରିବା, କେନ୍ଦ୍ରୀୟ ଆର୍ଥିକ ଦେୟରେ କାର୍ଯ୍ୟରତ ଏକଲବ୍ୟ ଓ କୃଷି ବିଜ୍ଞାନ କର୍ମଚାରୀଙ୍କୁ ଧାର୍ଯ୍ୟ ଦରମା ଓ ସ୍ଥାୟୀ ନିଯୁକ୍ତି, ୧୩.୦୪.୧୯୯୩ ମସିହା ପରଠାରୁ କାର୍ଯ୍ୟ କରୁଥିବା ଡିଏଲ୍‌ଆର୍‌ କର୍ମଚାରୀଙ୍କୁ ତୁରନ୍ତ ସ୍ଥାୟୀ କରିନଗଲେ ଆନ୍ଦୋଳନ ଜୋର୍‌ କରାଯିବ।
ଆସନ୍ତା ୨୩ତାରିଖରେ ଉପରୋକ୍ତ କର୍ମଚାରୀମାନେ ରାମମନ୍ଦିର ଛକରୁ ଶୋଭାଯାତ୍ରାରେ ବାହାରି ଲୋୟର ପିଏମ୍‌ଜି ପର୍ଯ୍ୟନ୍ତ ଯିବେ। ସେଠାରେ ପ୍ରତିବାଦ ସଭା କରାଯିବ ସହ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କରାଯିବ ବୋଲି କର୍ମଚାରୀ ମହାମଞ୍ଚ କହିଛି।

ଆଜିର ସାମ୍ବାଦିକ ସମ୍ମିଳନୀରେ ଆଉଟସୋର୍ସିଂ କର୍ମଚାରୀ ସଂଘର ଉପସଭାପତି ସତ୍ୟବ୍ରତ ବାରିକ, ସାଧାରଣ ସମ୍ପାଦକ ମାନସ ରଂଜନ ଦାସ, ଚୁକ୍ତିଭିତ୍ତିକ ସଂଘର ସଭାପତି ବିଜୟ କୁମାର ମଲ୍ଲ, ଉପସଭାପତି କ୍ଷିତୀଶ ପଣ୍ଡା, ଓଡ଼ିଶା ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ସଭାପତି ଶୁଭ୍ରଜିତ ପ୍ରତିହାରୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର