କା’ରେ ଚାଲିଛି ସଂସ୍କୃତି ବିଭାଗ

ଭୁବନେଶ୍ୱର : ଭାଷା, ସାହିତ୍ୟ ଓ ସଂସ୍କୃତିର ଗୁରୁତ୍ୱକୁ ଉପଲବ୍ଧି କରି ସରକାର ସଂସ୍କୃତି ଓ ପର୍ଯ୍ୟଟନ ବିଭାଗକୁ ଭିନ୍ନ କରିଦେଲେ। ନୂଆ ବିଭାଗର ଅଭ୍ୟୁଦୟ ହେଲା। ମାତ୍ର ସଂସ୍କୃତି ବିଭାଗ ଅଧୀନସ୍ଥ ଉପ ବିଭାଗରେ ଉଚ୍ଚ ପଦସ୍ଥ କର୍ମକର୍ତାଙ୍କୁ ସ୍ଥାୟୀ ଥଇଥାନ କରିପାରିଲେ ନାହିଁ। ବରଂ ଗୋଟେ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଉପରେ ଅତିରିକ୍ତ ବୋଝ ଲଦି ଆଉ ଗୋଟିଏ ବିଭାଗର ଦାୟିତ୍ୱ ଦେଇଛନ୍ତି। ମୋଟାମୋଟି ଭାବେ ‘କା’ରେ ହିଁ ଚାଲିଛି ସଂସ୍କୃତି ବିଭାଗ।

ଓଡ଼ିଶା ସଂଗୀତ ନାଟକ ଏକାଡେମିରେ ଏଇ କିଛି ମାସ ତଳେ ‘ସଚିବ’ ପଦରେ ଯୋଗ ଦେଇଥିବା ବିଜୟ ଜେନା ଉତ୍କଳ ସଂଗୀତ ମହାବିଦ୍ୟାଳୟର ଓଡ଼ିଶୀ ବିଭାଗର ମଧ୍ୟ ଅଧ୍ୟାପକ ଅଛନ୍ତି। ଏଣେ ସଚିବ ପଦରେ ବସିବା ପରେ ନା ସେ ସଂଗୀତ ମହାବିଦ୍ୟାଳୟକୁ ପୂର୍ବ ଭଳି ସମୟ ଦେଇପାରୁଛନ୍ତି ନା ଏକାଡେମିକୁ। ଅତିରିକ୍ତ ବୋଝ ଯୋଗୁଁ ଏକାଡେମିର କାର୍ଯ୍ୟଧାରାରେ ବି କିଛି ନୂତନତ୍ୱ ପରିଲକ୍ଷିତ ହୋଇନାହିଁ। ବାକିଆ କାମ ବି ଆଗେଇ ପାରିନାହିଁ। ଏମିତି ବି ପୂର୍ବରୁ ଏକାଡେମିକୁ ବିବାଦ ପିଛା ଛାଡ଼ି ନାହିଁ। ଏହା ଅଧୀନରେ ଥିବା ଓଡ଼ିଶା ନାଟ୍ୟ ସଂଘର ‘ନାଟ୍ୟଧାରା’କାର୍ଯ୍ୟକ୍ରମରେ ଅନିୟମିତତା ନେଇ ଏକାଡେମି ଉପରକୁ ଅଙ୍ଗୁଳି ଉଠିଛି।

ସେହିପରି ଓଡ଼ିଶା ଲଳିତ କଳା ଏକାଡେମିର ନୂତନ ସଚିବ ପଦ ମଣ୍ଡନ କରିଥିବା ମାନସ ଜେନା ବି ବିକେ ଆର୍ଟ କଲେଜ୍‌ରେ ଇନ୍‌ଷ୍ଟ୍ରକ୍ଟର ଭାବେ କାର୍ଯ୍ୟରତ। ତେଣୁ ବିିଭିନ୍ନ ସମୟରେ ଏକାଡେମିର କାର୍ଯ୍ୟକ୍ରମ ଭୁବନେଶ୍ୱର ବାହାରେ ଅନୁଷ୍ଠିତ ହେଉଥିବା ବେଳେ ସହର ମଧ୍ୟରେ ବହୁ କାର୍ଯ୍ୟକ୍ରମ କରାଯାଉଛି। ତେଣୁ ବରିଷ୍ଠ ଚିତ୍ରଶିଳ୍ପୀ ଶ୍ରୀ ଜେନା ଏକାଡେମିରେ ଯୋଗ ଦେବା ପରେ ସକ୍ରିୟ କାର୍ଯ୍ୟପନ୍ଥା ଗ୍ରହଣ କରୁଥିଲେ ହେଁ ସେ ଯେ ବିକେ ଆର୍ଟ କଲେଜ୍‌କୁ ଯଥେଷ୍ଟ ନ୍ୟାୟ ଦେଇ ପାରୁନାହାନ୍ତି।

ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ପଦରେ ବସିଥିବା ଡ.ସଂଗୀତା ଗୋସାଇଁଙ୍କର ସ୍ଥିତି ବି ସମାନ। ସେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ଓଡ଼ିଶୀ ସଂଗୀତ ବିଭାଗର ଅଧ୍ୟାପିକା ଭାବେ କାର୍ଯ୍ୟରତ। ତେବେ ସବୁଠୁ କମ୍‌ କର୍ମଚାରୀରେ କାମଚଳା ଭାବେ ଚାଲିଥିବା କେନ୍ଦ୍ରର ନିର୍ବାହୀ ବୋଝ ଯୋଗୁଁ ସେ ମଦନପୁରସ୍ଥିତ ଶିକ୍ଷାନୁଷ୍ଠାନକୁ ରୀତିମତ ଯାଇ ଦାୟିତ୍ୱ ତୁଲାଇବା ସମ୍ଭବ ହେଉନାହିଁ।

ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଥିବା ଡ.ଜୟନ୍ତୀ ରଥଙ୍କୁ ବି ଓଡ଼ିଶା ସାହିତ୍ୟ ଏକାଡେମିର ସଚିବ ପଦ କା’ ସୂତ୍ରରେ ଦିଆଯାଇଛି। ସ୍ଥିତି ବେଳେବେଳେ ଏମିତି ହେଉଛି ଯେ ସଚିବଙ୍କର ଦସ୍ତଖତ ଆବଶ୍ୟକ ପଡ଼ିଲେ କର୍ମଚାରୀଙ୍କୁ ଫାଇଲ୍‌ ନେଇ ତାଙ୍କ ନିକଟକୁ ଦୌଡ଼ିବାକୁ ପଡ଼ୁଛି। ଓଡ଼ିଶା ରାଜ୍ୟ ଅଭିଲେଖାଗରରେ ଅଧୀକ୍ଷକ ଥିବା ସୁଚିସ୍ମିତା ମନ୍ତ୍ରୀ ମଧ୍ୟ ଓଡ଼ିଶା ରାଜ୍ୟ ସଂଗ୍ରହାଳୟର କ୍ୟୁରେଟର ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। ଏଣେ ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଗଣ୍ଡଗୋଳ ପରେ ଅଧ୍ୟକ୍ଷା ଥିବା ଡ.ତମସାରାଣୀ ଦାସ ମହାପାତ୍ରଙ୍କୁ ଆଣି ଓଡ଼ିଆ ଭାଷା ପ୍ରତିଷ୍ଠାନରେ ଭାରପ୍ରାପ୍ତ ନିର୍ଦେଶିକା ପଦରେ ବସାଯାଇଛି।

ଅତିରିକ୍ତ ବୋଝ ବୋହୁଥିବା ଅଧିକାରୀମାନେ ଉପ ବିଭାଗରେ ଉଚ୍ଚ ପଦବି ପାଇଥିବାରୁ ଖୁସି ନିଶ୍ଚିତ। ମାତ୍ର ପ୍ରଶ୍ନ ଉଠୁଛି ସଂସ୍କୃତି ବିଭାଗ ତା’ର ଉପ ବିଭାଗରେ ସ୍ଥାୟୀ ନିଯୁକ୍ତି ନଦେବା ପଛର କି କାରଣ ରହିଛି ? କୌଣସି ବ୍ୟକ୍ତିଙ୍କୁ ସ୍ଥାୟୀ ଦାୟିତ୍ୱ ଦେବା ପାଇଁ ଭରସା ଜୁଟେଇ ପାରୁନି ନା ଉପଯୁକ୍ତ ବ୍ୟକ୍ତିଙ୍କୁ ବାଛି ପାରୁନି ? ସଂସ୍କୃତି ବିଭାଗ ଏମିତି ବି ପୂର୍ବରୁ ଅନେକ ବାଦ ବିବାଦରେ ଫସିଛି। ପୁରସ୍କାରଠୁ ନେଇ ନାଟକ ପର୍ଯ୍ୟନ୍ତ ସବୁଥିରେ ବିଭାଗ ବଦନାମର ବୋଝ ମୁଣ୍ଡାଇଛି। ତେଣୁ ଏଭଳି ଅତିରିକ୍ତ ବୋଝ ଦେଇ ସଂସ୍କୃତି ବିଭାଗ ନିଜ ଅପବାଦର ଘା’କୁ ଉପଶମ କରିବାକୁ ଯେ ମଲମ ଲେପୁଛି ତାହା ସ୍ପଷ୍ଟ ଅନୁମେୟ।

ସମ୍ବନ୍ଧିତ ଖବର