କୋଣାର୍କରେ ପଥର କଢ଼ାଯିବା ପ୍ରସଙ୍ଗରେ ଏଏସଆଇ ସହ ସଂସ୍କୃତି ମନ୍ତ୍ରୀଙ୍କ ବୈଠକ : ସାଦା ପଥର ସ୍ଥାନରେ କାରୁକାର୍ଯ୍ୟପୂର୍ଣ୍ଣ ପଥର ଲଗାଇବା ଲାଗି ପ୍ରସ୍ତାବ

-meeting-on-konark-temple-issue

ଭୁବନେଶ୍ୱର : କୋଣାର୍କ ସୂର୍ଯ୍ୟ ମନ୍ଦିରରେ କାରୁକାର୍ଯ୍ୟଭରା ପଥର କଢ଼ାଯିବା ଅଭିଯୋଗ ପ୍ରସଙ୍ଗରେ ଆର୍କୋଲଜିକାଲ୍‌ ସର୍ଭେ ଅଫ୍‌ ଇଣ୍ଡିଆର (ଏଏସଆଇ) ସ୍ପଷ୍ଟୀକରଣ ପରେ ମଙ୍ଗଳବାର ସଚିବାଳୟରେ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଘଟଣାର ସମୀକ୍ଷା କରାଯାଇଛି। ଏହି ବୈଠକରେ ଏଏସଆଇ ପ୍ରତ୍ନତ୍ତତ୍ୱ ବିଭାଗର ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ କହିଛନ୍ତି ଯେ, ମନ୍ଦିରର ଖାଲି ପଥର ଲାଗିଥିବା ସ୍ଥାନରେ କୌଣସି କାରୁକାର୍ଯ୍ୟପୂର୍ଣ୍ଣ ପଥର ନ ଥିଲା । ଏଏସଆଇ କିଛି ବି ପଥର ବଦଳାଇନାହିଁ।

ଏଏସଆଇ ଆକ୍ଟ ଅନୁସାରେ କେବଳ ଖାଲି ପଡିଥିବା ସ୍ଥାନରେ ସାଧାରଣ ପଥର ଲଗାଯାଇ ଫିଲପ୍‌ ହୋଇଛି। ପୂର୍ବରୁ କୋଣାର୍କମନ୍ଦିରର ଖାଲିଥିବା ସ୍ଥାନରେ କ’ଣ ଥିଲା ତାର ଫଟୋ କାହା ପାଖରେ ନାହିଁ ବୋଲି ସ୍ପଷ୍ଟୀକରଣ ରଖିଛନ୍ତି ଏଏସଆଇ କର୍ତ୍ତୃପକ୍ଷ । ତେବେ କୋଣାର୍କ ମନ୍ଦିରର ମୁଖଶାଳା ପାଖରୁ ୪୦ ପ୍ରତିଶତ ସ୍ଥାନରୁ ପଥର ହଟାଯାଇଥିବା ନେଇ ଅଭିଯୋଗ ହୋଇଛି ।

ସେପଟେ ମନ୍ତ୍ରୀ ଅଶୋକ ପଣ୍ଡା ମଧ୍ୟ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଏଏସଆଇ ଅନୁସାରେ ପଥର ବଦଳାଯାଇ ପାରିବ । ଦିଲ୍ଲୀରେ ହ୍ୟୁମାୟୁଁ ଟମ୍ବ ଭଳି କାରୁକାର୍ଯ୍ୟପୂର୍ଣ୍ଣ ପଥର ଲଗାଇବା ବ୍ୟବସ୍ଥା ହେବ । କୋଣାର୍କ ମନ୍ଦିର ସୁରକ୍ଷା ପାଇଁ ଷ୍ଟିୟରିଂ କମିଟି ମିଟିଂ କରିବାକୁ ଏଏସଆଇକୁ ଚିଠି ହେବ । ୧୯୯୭ ଓ ୨୦୧୦ ରେ ସୂର୍ଯ୍ୟ ମନ୍ଦିର ପ୍ରସଙ୍ଗରେ ଯେଉଁ ବୈଠକ ହୋଇଥିଲା ସେ ବାବଦରେ କ’ଣ ପଦକ୍ଷେପ ନେଇଛନ୍ତି ସେ ବିଷୟରେ ତଥ୍ୟ ମାଗିବୁ ବୋଲି କହିଛନ୍ତି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ।

ଗତ କିଛିଦନ ହେବ ବିଶ୍ୱପ୍ରସିଦ୍ଧ କୋଣାର୍କରୁ କାରୁକାର୍ଯ୍ୟ ପୂର୍ଣ୍ଣ ମୂର୍ତ୍ତି କାଢିନେବା ପରେ ବିଭିନ୍ନ ମହଲରେ ପ୍ରତିବାଦର ସ୍ୱର ଉଠିଥିଲା । ଏହା ପରେ ସଂସ୍କୃତି ମନ୍ତ୍ରୀ ତନାଘନା ଆରମ୍ଭ କରିଛନ୍ତି । କୋଣାର୍କରେ କାରୁକାର୍ଯ୍ୟ ପୂର୍ଣ୍ଣମୂର୍ତି ବଦଳରେ ଲାଗିଥିଲା ସାଧା ପଥର । କୋଣାର୍କ ମନ୍ଦିରରେ ଶୋଭା ପାଉଥିବା ସୂକ୍ଷ୍ମ କାରୁକାର୍ଯ୍ୟ ହଜି ଯାଇ ସେହି ସ୍ଥାନରେ ସାଧା ପଥର ସବୁ ଲାଗିଥିବା ଦେଖିବାକୁ ମିଳିଛି । ଏବେ ଏଏସଆଇର ସ୍ପଷ୍ଟୀକରଣ ପରେ ପ୍ରକୃତ ସତ୍ୟ କ’ଣ ? ପ୍ରକୃତରେ କ’ଣ ସେଠାରେ ପଥର ଥିଲା ? ଯଦି ଥିଲା ଏବେ ସେହି ପଥର କୁଆଡ଼େ ଗଲା ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।

ସମ୍ବନ୍ଧିତ ଖବର