ଜିଏସ୍‌ଟି ପାଇଁ ଟିକସ ଆଦାୟରେ ୨.୩% ବୃଦ୍ଧି

ଜିଏସ୍‌ଟି ପାଇଁ ବିକାଶମୂଳକ କାର୍ଯ୍ୟରେ ବାଧା ପହଞ୍ଚୁଛି

ଭୁବନେଶ୍ୱର : ୨୦୧୭ ଜୁଲାଇ ୧ରୁ ସମଗ୍ର ଦେଶରେ ଦ୍ରବ୍ୟ ଓ ସେବା କର(ଜିଏସ୍‌ଟି) ଲାଗୁ କରାଯାଇଛି। ଚଳିତ ଆର୍ଥିକ ବର୍ଷର ଜୁଲାଇରୁ ଅକ୍ଟୋବର ମାସ ଶେଷ ସୁଦ୍ଧା ଜିଏସ୍‌ଟି ଲାଗୁଥିବା ଦ୍ରବ୍ୟ ଓ ସେବା ଉପରୁ ୩୭୩୫.୧୪ କୋଟି ଟଙ୍କା ଆଦାୟ ହୋଇଛି। ୨୦୧୬-୧୭ ଆର୍ଥିକ ବର୍ଷରେ ଜୁଲାଇରୁ ଅକ୍ଟୋବର ମଧ୍ୟରେ ୩୬୫୧.୨୮ କୋଟି ଟଙ୍କା ଆଦାୟ ହୋଇଥିଲା। ଗତ ବର୍ଷ ତୁଳନାରେ ଟିକସ ଆଦାୟରେ ୨.୩୦ ପ୍ରତିଶତ ଅଭିବୃଦ୍ଧି ଘଟିଛି।

ପ୍ରଶ୍ନକାଳରେ ବିଧାୟକ ସରୋଜ ସାମଲ ଓ ଅଶ୍ୱିନୀ ପାତ୍ରଙ୍କ ମୂଳପ୍ରଶ୍ନ ଉତ୍ତରରେ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ ଆଇନ୍‌ ଅନୁସାରେ ଜିଏସ୍‌ଟି ପ୍ରଚଳନ ହେତୁ କ୍ଷତି ଘଟିଲେ, ରାଜ୍ୟମାନଙ୍କୁ କ୍ଷତିପୂରଣ ଦେବାର ବ୍ୟବସ୍ଥା ରହିଛି। ଉକ୍ତ ଆଇନ୍‌ ଅନୁସାରେ ୨୦୧୫-୧୬ରେ ରାଜ୍ୟ ଆଦାୟ କରିଥିବା ଟିକସ ପରିମାଣକୁ ମୂଳ ବର୍ଷର ଟିକସ ହିସାବରେ ଧରାଯାଇଛି ଓ ବାର୍ଷିକ ୧୪ ପ୍ରତିଶତ ଅଭିବୃଦ୍ଧି ହାର ଗ୍ରହଣ କରାଯାଇଛି। ଓଡ଼ିଶାରେ ୨୦୧୫-୧୬ ଆର୍ଥିକ ବର୍ଷରେ ୧୧,୦୪୭ କୋଟି ଟଙ୍କାର ଟିକସ ଆଦାୟ କରାଯାଇଥିଲା। ସେଥିରେ ବାର୍ଷିକ ୧୪ ପ୍ରତିଶତ ଅଭିବୃଦ୍ଧି ହାର ପ୍ରୟୋଗ କରାଯାଇ ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ୧୪୩୫୭.୭୬ କୋଟି ଟଙ୍କାର ରାଜସ୍ୱ ଆକଳନ କରାଯାଇଛି। ଆକଳନ ହୋଇଥିବା ପରିମାଣରୁ ପ୍ରକୃତ ଆଦାୟ ପରିମାଣ ବାଦ୍‌ ଦେଲେ ଯାହା ରହୁଛି, ସେହି ପରିମାଣକୁ କ୍ଷତିପୂରଣ ହିସାବରେ ଦିଆଯାଉଛି। ପ୍ରତି ଦୁଇ ମାସକୁ କ୍ଷତିପୂରଣ ଦିଆଯାଉଛି। ଜୁଲାଇ ଓ ଅଗଷ୍ଟ ପାଇଁ ରାଜ୍ୟ ସରକାର ୩୩୩ କୋଟି ଟଙ୍କା କ୍ଷତିପୂରଣ ବାବଦରେ ପାଇଛନ୍ତି। ସେପ୍ଟମ୍ବର ଓ ଅକ୍ଟୋବର ମାସ ପାଇଁ ଜିଏସ୍‌ଟି କ୍ଷତିପୂରଣ ବାବଦକୁ ଓଡ଼ିଶା ପାଇଁ ୬୮୭ କୋଟି ଟଙ୍କା ମଞ୍ଜୁର ହୋଇଛି।

ଜିଏସ୍‌ଟି ବାହାରେ ଥିବା ଦ୍ରବ୍ୟ ପେଟ୍ରୋଲ, ଡିଜେଲ୍‌, ବିମାନ ଇନ୍ଧନ, ପ୍ରାକୃତିକ ଗ୍ୟାସ୍‌, ଅଶୋଧିତ ତୈଳ ଓ ମାନବ ବ୍ୟବହାର ଉପଯୋଗୀ ମଦ ଉପରୁ ଓଡ଼ିଶା ସରକାର ଜୁଲାଇ ୨୦୧୭ରୁ ଅକ୍ଟୋବର ୨୦୧୭ ମଧ୍ୟରେ ମୂଲ୍ୟଯୁକ୍ତ କର ଓ କେନ୍ଦ୍ରୀୟ ବିକ୍ରି କର ବାବଦରେ ୪୪୧୫.୨୦ କୋଟି ଟଙ୍କା ଆଦାୟ କରିଛନ୍ତି। ଏହା ମଧ୍ୟରେ ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌ ୨୦୧୫ ଡିସେମ୍ବରରୁ ଜୁଲାଇ ୨୦୧୭ ପର୍ଯ୍ୟନ୍ତ ଆଦାୟ କରି ପୈଠ କରି ନ ଥିବା ମୂଲ୍ୟଯୁକ୍ତ କର ବାବଦକୁ ୨୯୩୪ ଟଙ୍କା ଗତ ସେପ୍ଟମ୍ବରରେ ପୈଠ କରିଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ।

ଖଲିପତ୍ର, ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ଉପରୁ ଟିକସ ଛାଡ଼ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଥିଲେ, ହସ୍ତତନ୍ତ ସାମଗ୍ରୀ ଉପରୁ ଜିଏସ୍‌ଟି ଛାଡ଼ ପାଇଁ ଅନୁରୋଧ କରାଯାଇଥିଲା। ଏବେ ହସ୍ତତନ୍ତ ନିର୍ମିତ ଶାଢ଼ୀ ଉପରେ ୫ ପ୍ରତିଶତ ଟିକସ ରହିଛି। ୧୦୦୦ ଟଙ୍କା ମୂଲ୍ୟରୁ ଅଧିକ ମୂଲ୍ୟର ଶାଢ଼ୀ ଉପରେ ୧୨ ପ୍ରତିଶତ ଟିକସ ରଖାଯାଇଛି। ଏହାକୁ ସମ୍ପୂର୍ଣ୍ଣ ଛାଡ଼ ପାଇଁ ରାଜ୍ୟ ଦାବି କରିଛି। ସେହିପରି ଖଲି ପତ୍ର କାରବାର ଉପରୁ ଟିକସ ଛାଡ଼ ପାଇଁ ବି ଦାବି କରାଯାଇଛି। ବାରମ୍ବାର ଦାବି ପରେ ହସ୍ତଶିଳ୍ପ ସାମଗ୍ରୀ ଉପରେ ଥିବା ୨୮% ଓ ୧୮% ଟିକସ ହାରକୁ କମାଇ ୧୨% ଟିକସ ହାର ରଖାଯାଇଛି। ମାଟି ନିର୍ମିତ ମୂର୍ତ୍ତିକୁ କରମୁକ୍ତ କରାଯାଇଛି। ଅନ୍ୟାନ୍ୟ ହସ୍ତଶିଳ୍ପ ନିର୍ମିତ ଦ୍ରବ୍ୟ ଉପରେ ୧୨% ଟିକସ ରହିଛି।

ବିଧାୟକ ପ୍ରଦୀପ ପୁରୋହିତ ଓ ନବ କିଶୋର ଦାସ ଜିଏସ୍‌ଟି ପାଇଁ ବିକାଶମୂଳକ କାର୍ଯ୍ୟ ଅଟକୁଛି ବୋଲି ଉଦ୍‌ବେଗ ପ୍ରକାଶ କରିଥିଲେ। ଶ୍ରୀ ପୁରୋହିତ କହିଥିଲେ, ବିଧାୟକମାନଙ୍କୁ ଜିଏସ୍‌ଟି ଉପରେ ତାଲିମ୍‌ ଦିଆଗଲା। କିନ୍ତୁ କ୍ଷେତ୍ରରେ କାମ କରୁଥିବା ଅଧିକାରୀଙ୍କୁ ବୋଧେ ତାଲିମ୍‌ ଦିଆଯାଇନି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ଅର୍ଥ ମିଳୁନି। ବିଧାୟକ ଲ୍ୟାଡ୍‌ ଅର୍ଥରେ ବି ସମାନ ସମସ୍ୟା। ସେହିପରି ଶ୍ରୀ ଦାସ କହିଥିଲେ, ଜିଏସ୍‌ଟି ପାଇଁ ଟେଣ୍ଡର୍‌ ପ୍ରକ୍ରିୟା ବି ବିଳମ୍ବିତ ହେଉଛି।

ମନ୍ତ୍ରୀ ଏହାର ଠୋସ୍‌ ଉତ୍ତର ଦେଇପାରି ନ ଥିଲେ। ତେବେ ଜିଏସ୍‌ଟି ନେଇ ଅଧିକାରୀମାନଙ୍କୁ ଆବଶ୍ୟକ ପ୍ରଶିକ୍ଷଣ ଦିଆଯାଇଛି ବୋଲି ମନ୍ତ୍ରୀ କହିଥିଲେ। ଅମର ପ୍ରସାଦ ଶତପଥୀ, ତାରା ବାହିନୀପତି ଓ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଅତିରିକ୍ତ ପ୍ରଶ୍ନ କରିଥିଲେ।

ସମ୍ବନ୍ଧିତ ଖବର