ପୁରୀ: ଶ୍ରୀଗୁଣ୍ଡିଚା ଦିନଠାରୁ ଉତ୍ତରମୁହାଁ ହୋଇ ରହିଥିବା ତିନି ରଥ ମଧ୍ୟରୁ ଆଜି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥ ଦକ୍ଷିଣ ମୋଡ଼ ନେଇଛନ୍ତି। ସନ୍ଧ୍ୟା ୬ଟା ସୁଦ୍ଧା ଦୁଇ ରଥ ମୋଡ଼ ନେଇ ନାକଚଣା ଦ୍ବାରରେ ରହିଛନ୍ତି। ଆସନ୍ତାକାଲି ସକାଳ ୮ଟାବେଳେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଦକ୍ଷିଣ ମୋଡ଼ ନେବେ। ଆଜି ରଥ ଦକ୍ଷିଣମୋଡ଼ ନୀତିରେ ଦୁଇଘଣ୍ଟା ବିଳମ୍ବ ହୋଇଥିଲା। ଗତକାଲି ସେବାୟତ-ଜେଟିପି ବିବାଦ ଯୋଗୁଁ ହେରାପଞ୍ଚମୀ ନୀତିରେ ବିଳମ୍ବ ହୋଇଥିଲା। ମା’ ଲକ୍ଷ୍ମୀ ଠାକୁରାଣୀ ବିଳମ୍ବରେ ବିଜେ କରିଥିଲେ। ଫଳରେ ମହାପ୍ରଭୁଙ୍କ ରାତ୍ର ପହୁଡ଼ ଭୋର୍ ୪ଟା ୩୫ରେ ହୋଇଥିଲା। ଫଳରେ ଆଜି ଭୋର ୪ଟାରେ ହେବାକୁ ଥିବା ଦ୍ବାରଫିଟା ସକାଳ ୬ଟା ୫୫ରେ ହୋଇଥିଲା। ଏହା ପରେ ସମସ୍ତ ନୀତି ବିଳମ୍ବରେ ଚାଲିଥିଲା। ସକାଳ ଧୂପ ଅପରାହ୍ନ ୧ଟା ୧୦ରେ ଶେଷ ହୋଇଥିଲା। ସେହିଭଳି ମଧ୍ୟାହ୍ନ ୧୨ଟା୩୦ରେ ହେବାକୁ ଥିବା ରଥ ଆଜ୍ଞା ମାଳ ବିଜେ ଅପରାହ୍ନ ୨ଟା ୪୦ରେ ହୋଇଥିଲା। ରଥ ଆଜ୍ଞାମାଳ ବିଜେ ପରେ ଅପରାହ୍ନ ୩ଟା ୦୫ରେ ରଥ ଦକ୍ଷିଣ ମୋଡ଼ ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ପରମ୍ପରା ମୁତାବକ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଦକ୍ଷିଣ ମୋଡ଼ ହୋଇଥିଲା। ଅପରାହ୍ନ ୩ଟା ୦୫ରେ ଏହି ରଥର ଦକ୍ଷିଣ ମୋଡ଼ ଆରମ୍ଭ ହୋଇ ଅପରାହ୍ନ ୪ଟା୧୮ରେ ଶେଷ ହୋଇଥିଲା। ପରେ ପରେ ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥ ୪ଟା୪୦ରେ ଦକ୍ଷିଣ ମୋଡ଼ ହୋଇଥିଲା। ସନ୍ଧ୍ୟା ୬ଟା ୦୬ରେ ବଳଭଦ୍ରଙ୍କ ରଥ ନାକଚଣା ଦ୍ବାର ନିକଟରେ ଲାଗିଥିବା ଜଣାପଡ଼ିଛି। ଆସନ୍ତାକାଲି ନନ୍ଦିଘୋଷ ରଥ ମୋଡ଼ ନେବ। ମହାପ୍ରଭୁଙ୍କ ରଥ ଦକ୍ଷିଣମୋଡ଼ ନେବା ପରେ ଆସନ୍ତାକାଲି ସାଧାରଣ ଦର୍ଶନ ରହିବ। ଆସନ୍ତା ୧୧ ତାରିଖ ଦିନ ସନ୍ଧ୍ୟା ଦର୍ଶନ ଓ ଶୁକ୍ରବାର ଏକଦଶୀ ଦିନ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଏବଂ ୧୩ ତାରିଖରେ ସୁନାବେଶ ଅନୁଷ୍ଠିତ ହେବ।