ପିନାକୀଙ୍କୁ ଟଙ୍କାଟିଏ ଦେଇନୁ

ସାମ୍ବାଦିକ ସମ୍ମିଳନୀରେ ଖଣ୍ଡନ କଲେ ପାଞ୍ଚ ନିଯୋଗ

ପୁରୀ: ପ୍ରତିହାରୀ ନିଯୋଗ ସଭ୍ୟ ସୋମନାଥ ଖୁଣ୍ଟିଆ ସୁପ୍ରିମକୋର୍ଟରେ ଦାଖଲ କରିଥିବା ସତ୍ୟପାଠକୁ ପାଞ୍ଚଟି ନି‌ଯୋଗ ଖଣ୍ଡନ କରିଛନ୍ତି। ମାମଲା ପରିଚାଳନା ତଥା ସେବାୟତଙ୍କ ସପକ୍ଷରେ ରାୟ କରାଇ ଦେବାକୁ ପୁରୀ ସାଂସଦ ତଥା ସୁପ୍ରିମ କୋର୍ଟର ବରି‌ଷ୍ଠ ଆଇନଜୀବୀ ପିନାକୀ ମିଶ୍ର ୫ଟି ନିଯୋଗରୁ ୨୫ ଲକ୍ଷ ଟଙ୍କା ନେଇଥିବା କଥା ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ଏହାର କୌଣସି ସତ୍ୟତା ନଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ସୁଆର ମହାସୁଆର ନିଯୋଗର ସଂପାଦକ କୃଷ୍ଣଚନ୍ଦ୍ର ସାନ୍ତରା ସାମ୍ବାଦିକମାନଙ୍କୁ ଏ ସଂପର୍କରେ ସୂଚନା ଦେଇ କହିଥିଲେ ଯେ, ସ୍ଥାନୀୟ ଲୋକ ପ୍ରତିନିଧି ତଥା ବରିଷ୍ଠ ଆଇନଜୀବୀ ହିସାବ‌ରେ ଶ୍ରୀ ମିଶ୍ରଙ୍କଠାରୁ କେବଳ ଆଇନଗତ ପରାମର୍ଶ ଲୋଡା ଯାଇଥିଲା। କିନ୍ତୁ ସୋମନାଥ ସତ୍ୟପାଠରେ ଯେଉଁ ତଥ୍ୟ ଉଲ୍ଲେଖ କରିଛନ୍ତି ତାହା ମିଛ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ସାଂସଦ ମିଶ୍ରଙ୍କୁ କୌଣସି ନିଯୋଗ ଟଙ୍କାଟିଏ ଦେଇନାହାନ୍ତି। ଶ୍ରୀ ସାନ୍ତରାଙ୍କ ସହିତ ପ୍ରତିହାରୀ ନିଯୋଗ ସଂପାଦକ ମାଧବ ମହାପାତ୍ର, ପୂଜାପଣ୍ଡା ନିଯୋଗ ସଂପାଦକ ମାଧବ ପୂଜାପଣ୍ଡ‌ା, ପୁଷ୍ପାଳକ ନିଯୋଗ ସଂପାଦକ ହରେକୃଷ୍ଠ ସିଂହାରୀ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ପ୍ରତିହାରୀ ନିଯୋଗ ପକ୍ଷରୁ ସତ୍ୟପାଠ ଦାଖଲ କରିଥିବା ସୋମନାଥଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିଯୋଗ ପକ୍ଷରୁ କୁହାଯାଇଛି। ସୋମନାଥଙ୍କ ସତ୍ୟପାଠକୁ ଖୁଣ୍ଟିଆ ନିଯୋଗ ସଭାପତି ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ ମଧ୍ୟ ଖଣ୍ଡନ କରିଛନ୍ତି। ପ୍ରକାଶଥାଉକି, ପୁରୀ ସାଂସଦ ପିନାକୀ ମିଶ୍ର ସୁପ୍ରିମ କୋର୍ଟରେ ଶ୍ରୀମନ୍ଦିର ସଂପର୍କିତ ମାମଲାରେ ସେବକଙ୍କୁ ସୁହାଇଲା ଭଳି ରାୟ ଦେବାକୁ ବିଭିନ୍ନ ନିଯୋଗରୁ ପ୍ରାୟ ୨୫ ଲକ୍ଷ ନେଇଥିବା ପ୍ରତିହାରୀ ନିଯୋଗର ସଭ୍ୟ ସୋମନାଥ ଖୁଣ୍ଟିଆ ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଥିଲେ। ସୁପ୍ରିମକୋର୍ଟ ଏହି ମାମଲାକୁ ଖାରଜ କରିଥିବାରୁ ଅଭିଯୋଗର କିଛି ଭିତ୍ତି ନଥିବା ଏବଂ ଏ ବାବଦରେ ସେ କାହାଠାରୁ ଟଙ୍କାଟିଏ ବି ନେଇନଥିବା ସାଂସଦ ଶ୍ରୀ ମିଶ୍ର କହିଛନ୍ତି। ସୋମନାଥଙ୍କ ଅଭିଯୋଗକୁ ସମସ୍ତ ପାଞ୍ଚଟି ନିଯୋଗ ଖଣ୍ଡନ କରିଥିବାରୁ ତାଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର