ପୂଜା ଆରମ୍ଭରୁ ରାଜଧାନୀରେ ବୋମାମାଡ଼

ଖଣ୍ଡଗିରି : ରାତି ପାହିଲେ ରାଜଧାନୀରେ ଦଶହରା ଉତ୍ସବ ଜମିବ। ଶାନ୍ତିଶୃଙ୍ଖଳାକୁ ନଜରରେ ରଖି କମିସନରେଟ୍ ପୁଲିସ ପକ୍ଷରୁ ଜୋର୍‌ଦାର ପ୍ରସ୍ତୁତି କରାଯାଇଛି। ଜାଗା ଜାଗାରେ ଚେକିଂ ସହିତ କିଛିଦିନ ହେଲା ପୁରୁଣା ଅପରାଧୀମାନଙ୍କୁ ଖୋଜି ଖୋଜି ବାନ୍ଧୁଛି ପୁଲିସ। ମାତ୍ର ପୁଲିସକୁ ଚ୍ୟାଲେଞ୍ଜ ଦେବା ଭଳି ପୂଜା ପୂର୍ବ ରାତିରେ ଦୁର୍ବୃତ୍ତମାନେ ବୋମା ମାଡ଼ କରିଛନ୍ତି। ଏପରି ଘଟଣା ଘଟିଛି ବରମୁଣ୍ଡା ଅଞ୍ଚଳରେ। ସୋମବାର ରାତି ପ୍ରାୟ ୧୦ଟାରେ ବରମୁଣ୍ଡା ଶିବ ମନ୍ଦିର ନିକଟ କମ୍ୟୁନିଟି ହଲ୍ ଉପରକୁ ବୋମାମାଡ଼ ହୋଇଛି। ଦୁର୍ବୃତ୍ତମାନେ ହଲ୍‌କୁ ଲକ୍ଷ୍ୟ କରି ଗୋଟିଏ ବୋମା ଫିଙ୍ଗି ଫେରାର୍ ହୋଇଯାଇଛନ୍ତି। ଫଳରେ ହଲ୍‌ର ମୁଖ୍ୟ ଦ୍ୱାରରେ ଲାଗିଥିବା ଲୁହା କବାଟ ଭାଙ୍ଗି ଯାଇଛି। ଏଥିରେ କେହି ମୃତାହତ ହୋଇନାହାନ୍ତି। ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି। ତେବେ ବୋମାମାଡ଼ର କାରଣ ଜଣାପଡ଼ି ନାହିଁ ।

ସୂଚନାନୁସାରେ, ରାତି ପ୍ରାୟ ୧୦ଟାବେଳେ ହଠାତ୍ ଭୟଙ୍କର ଶବ୍ଦରେ ଶିବ ମନ୍ଦିର ଅଞ୍ଚଳ କମ୍ପି ଉଠିଥିଲା। କମ୍ୟୁନିଟି ହଲ୍ ନିକଟରୁ ଏହି ଭୟଙ୍କର ଶବ୍ଦ ଆସିଥିବାରୁ ମନ୍ଦିର ଛକରେ ଥିବା ଲୋକେ କିଛି ବଡ଼ ଏକ ଅଘଟଣ ଘଟିଲା ବୋଲି ଧରିନେଇଥିଲେ। କାରଣ ହଲ୍‌ରେ ଗାଁର ପିଲାମାନେ ବହୁ ସମୟରେ ଏକତ୍ର ହୋଇ ବିଭିନ୍ନ କାର୍ଯ୍ୟକ୍ରମ କରନ୍ତି। ତେଣୁ କିଛି ଲୋକ ଭୟରେ ଘରକୁ ପଳାଇଥିବାବେଳେ ଅନ୍ୟମାନେ ହଲ୍ ନିକଟକୁ ଘଟଣା ବାବଦରେ ଜାଣିବାକୁ ଯାଇଥିଲେ। କିନ୍ତୁ ସେତେବେଳକୁ ଘଟଣାସ୍ଥଳରେ କେହି ନଥିଲେ। ବୋମାମାଡ଼ରେ ହଲ୍‌ର ଲୁହା କବାଟ ଉପର ଅଂଶ ଭିତର ପଟକୁ ବଙ୍କା ହୋଇଯାଇଥିଲା। ତେଣୁ ବୋମାଟି ବେଶ୍ ଶକ୍ତିଶାଳୀ ଥିଲା ବୋଲି ଆଲୋଚନା ହେଉଛି। ଫୁଟା ବୋମାର ଟୁକୁଡ଼ା ଅଂଶ ବାହାରେ ଓ ହଲ୍ ଭିତରେ ହୋଇପଡ଼ିଥିଲା। ଖବର ପ୍ରଚାରିତ ହେବା ପରେ ପରେ ଗାଁ ଯୁବକମାନେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ। ଖଣ୍ଡଗିରି ଥାନା ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। କେହି ଦୁର୍ବୃତ୍ତ ବରମୁଣ୍ଡା ଆପିକଲ୍ ରାସ୍ତା ଉପରେ ଅନ୍ଧାରିଆ ସ୍ଥାନରେ ଠିଆ ହୋଇ ବୋମା ଫିଙ୍ଗିଥିବା ଆଲୋଚନା ହେଉଛି। ରାତିରେ ଏଠାରେ ଅନୁଷ୍ଠିତ ହେବାକୁ ଥିବା କୌଣସି କାର୍ଯ୍ୟକ୍ରମକୁ ବିରୋଧ କରି ଦୁର୍ବୃତ୍ତମାନେ ବୋମାମାଡ଼ କରିଥିବା ସନ୍ଦେହ କରାଯାଉଛି। ତେବେ ଦୁର୍ବୃତ୍ତମାନଙ୍କୁ ଠାବ କରିବା ପରେ ସବୁ କିଛି ସ୍ପଷ୍ଟ ହୋଇଯିବ ବୋଲି ପୁଲିସ ସୂଚନା ଦେଇଛି ।

ସମ୍ବନ୍ଧିତ ଖବର