ପ୍ରତିଷ୍ଠା ହେବ ‘ଓଡ଼ିଶୀ ସଂଗ୍ରହାଳୟ’

ଭୁବନେଶ୍ୱର: ଓଡ଼ିଶୀ ନୃତ୍ୟ ଓ ସଂଗୀତର ପାଠଶାଳା ‘ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର’ର କଳେବର ବୃଦ୍ଧି ପାଇବ। ପ୍ରତିଷ୍ଠା ହେବ ‘ଓଡ଼ିଶୀ ସଂଗ୍ରହାଳୟ’। ଗବେଷଣା କେନ୍ଦ୍ରର ଏହି ନବକଳେବର ପାଇଁ ଅଣ୍ଟା ଭିଡ଼ିଛି ରାଜ୍ୟ ସଂସ୍କୃତି ବିଭାଗ। କେନ୍ଦ୍ର ମଧ୍ୟରେ ଅଭିଲେଖାଗାର ଥିଲେ ହେଁ ତାହାର ପରିସରକୁ ବ୍ୟାପକ କରାଯିବ। କେନ୍ଦ୍ରର ଉପର ମହଲାରେ ଥିବା ପୁରୁଣା ମହିଳା ହଷ୍ଟେଲ୍‌କୁ ଓଡ଼ିଶୀ ସଂଗ୍ରହାଳୟର ରୂପ ଦିଆଯିବ। ଫଳରେ ଦୀର୍ଘଦିନର ପ୍ରସ୍ତାବିତ ଏହି ପ୍ରକଳ୍ପ ବାସ୍ତବ ରୂପ ନେବ ବୋଲି ସୂଚନା ମିଳିଛି।

ସଂପ୍ରତି ମହଜୁଦ ଥିବା ଓଡ଼ିଶୀ ନୃତ୍ୟ ଓ ସଂଗୀତର ଭିଡିଓ ଏବଂ ଫଟୋଗ୍ରାଫ୍‌ ସମେତ ଗବେଷଣାଲବ୍ଧ ବହୁ ଉପାଦେୟ ସାମଗ୍ରୀ ମହଜୁଦ ରହିବ। ମୋଟ୍‌ ୪ଟି ଗ୍ୟାଲେରି ରହିବ। ଏହା ମଧ୍ୟରେ ଓଡ଼ିଶୀ ନୃତ୍ୟ ଜଗତର ପ୍ରବାଦ ପୁରୁଷ ଗୁରୁ କେଳୁଚରଣ ମହାପାତ୍ର, ଦେବପ୍ରସାଦ ଦାସ, ପଙ୍କଜ ଚରଣ ଦାସଙ୍କ ସମେତ ନୃତ୍ୟ ବିଦୁଷୀ ସଂଯୁକ୍ତା ପାଣିଗ୍ରାହୀଙ୍କ ବ୍ୟବହୃତ ପୋଷାକ, ଅଳଙ୍କାର ଓ ନୃତ୍ୟର ଭିଡିଓ ଉପଲବ୍ଧ ହେବ। ଏଥିସହିତ ଅନ୍ୟ ପ୍ରତିଷ୍ଠିତ ଗୁରୁଙ୍କ ସ୍ମୃତିକୁ ବି ସାମିଲ କରାଯିବ। ସଂଗ୍ରହାଳୟ ପାଇଁ ଗବେଷକ ଡ.କିଶୋର ବାସା, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କମଳକାନ୍ତ ମିଶ୍ର, ଓଡ଼ିଶୀ ନୃତ୍ୟଗୁରୁ ଅରୁଣା ମହାନ୍ତି ଏବଂ ରତିକାନ୍ତ ମହାପାତ୍ରଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ବାଦ୍ୟଯନ୍ତ୍ର ଓ ବ୍ୟବହୃତ ସାମଗ୍ରୀକୁ ନେଇ ନିର୍ମିତ ହେବାକୁ ଯାଉଥିବା ଗ୍ୟାଲେରିରେ ବହୁ ଓଡ଼ିଶୀ ନୃତ୍ୟ ଓ ସଂଗୀତ ପଣ୍ଡିତମାନଙ୍କ ଦ୍ୱାରା ବ୍ୟବହୃତ ବାଦ୍ୟଯନ୍ତ୍ର ଏବଂ ଧୀରେଧୀରେ ପରିବର୍ତନ ହୋଇଥିବା ପୋଷାକ ଓ ଅଳଙ୍କାରର କ୍ରମ ବିକାଶର ଉପଲବ୍ଧି ସାଉଁଟିବାର ସୁଯୋଗ ସୃଷ୍ଟି ହେବ। ପୁସ୍ତକ ଗ୍ୟାଲେରିରେ ଓଡ଼ିଶୀ ସଂଗୀତ ଓ ନୃତ୍ୟକୁ ନେଇ ରଚିତ ବହୁ ଉପାଦେୟ ପୁସ୍ତକ ରହିଥିବା ବେଳେ ଆହୁରି ପୁସ୍ତକକୁ ଏକାଠି କରି ସ୍ଥାନିତ କରାଯିବ। ଅଡିଓ ଭିଜୁଆଲ୍‌ ଗ୍ୟାଲେରି ପରିସରରେ ପ୍ରତିଷ୍ଠିତ ଗୁରୁମାନଙ୍କର ନୃତ୍ୟ ଓ ସଂଗୀତର ଭିଡିଓର ଝଲକ ଦେଖିବାର ସୁଯୋଗ ମିଳିବ। ଫଟୋ ଗ୍ୟାଲେରି ମଧ୍ୟରେ ଓଡ଼ିଶୀ ନୃତ୍ୟ ଗାରିମା ଖୋଦିତ ବିଭିନ୍ନ ଐତିହ୍ୟ ମନ୍ଦିରର ଫଟୋ ଚିତ୍ର ସହ ସଂଗୀତ ଓ ନୃତ୍ୟ ପଣ୍ଡିତ ଓ ବିଦୁଷୀଙ୍କ ଫଟୋ ସ୍ଥାନିତ କରାଯିବ। ଫଳରେ ଓଡ଼ିଶୀ ନୃତ୍ୟ ଓ ସଂଗୀତର ସ୍ୱତନ୍ତ୍ରତାକୁ ଏକାଠି ଗୋଟିଏ ସ୍ଥାନରେ ଉପଲବ୍ଧି କରିବାର ସୁଯୋଗ ଦେବା ସହ ନୂଆପିଢ଼ିକୁ ଓଡ଼ିଶୀ ନୃତ୍ୟ ଓ ଗୀତର କ୍ରମ ବିକାଶ ସମ୍ବନ୍ଧରେ ସଚେତନ କରିବ। ଓଡ଼ିଶୀ ସମ୍ବନ୍ଧୀୟ ଗବେଷଣା ପାଇଁ ମଧ୍ୟ ଏହି ଗ୍ୟାଲେରି ଉପଯୋଗୀ ସାବ୍ୟସ୍ତ ହୋଇପାରିବ ବୋଲି ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ଡ.ସଂଗୀତା ଗୋସାଇଁ କହିଛନ୍ତି। ତେବେ ଗବେଷଣାର ଏକକ ଉଦ୍ୟମ ନୁହେଁ ବରଂ ଏହି ସଂଗ୍ରହାଳୟ ପ୍ରତିଷ୍ଠା ପାଇଁ ମଧ୍ୟ ସର୍ବସାଧାରଣଙ୍କ ମଧ୍ୟରୁ ସହଯୋଗ ଲୋଡ଼ା ଯାଇଛି। ଯେଉଁମାନଙ୍କ ନିକଟରେ ସଂଗ୍ରହାଳୟରେ ରହିବା ଭଳି କିଛି ଉପାଦେୟ ଜିନିଷ ରହିଛି ତାହା ନୂତନ ସଂଗ୍ରହାଳୟକୁ ଦେବା ପାଇଁ ଅନୁରୋଧ କରାଯାଇଛି। ଇଚ୍ଛୁକ ବ୍ୟକ୍ତିମାନେ ‘[email protected]’ରେ ଯୋଗାଯୋଗ କରିପାରିବେ। ଇତିମଧ୍ୟରେ ସଂଗ୍ରହାଳୟ ପାଇଁ ସ୍ଥିରିକୃତ ସ୍ଥାନର ମାପଚୁପ ସରିଥିବା ବେଳେ ଖୁବ୍‌ଶୀଘ୍ର କାମ ଆରମ୍ଭ ହେବ। କାମ ସାରିବା ପାଇଁ ଅନ୍ୟୁନ ୬ ମାସ ସମୟ ଲାଗିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର