ବୋର୍ଡର ସ୍ପଷ୍ଟୀକରଣ: ପ୍ରଶ୍ନପତ୍ର ଭାଇରାଲ ହୋଇନାହିଁ
ଭୁବନେଶ୍ୱର: ମାଟ୍ରିକ ପଶ୍ନପତ୍ର ଭାଇରାଲ ନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ତରଫରୁ ସ୍ପଷ୍ଟୀକରଣ ଦିଆଯାଇଛି। ବୋର୍ଡ ତରଫରୁ କୁହାଯାଇଛି କି ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ ହୋଇନାହିଁ। ଭାଇରାଲ ନେଇ ଯେଉଁ ଅଭିଯୋଗ ହୋଇଛି, ତା ସହ ଆମ ପ୍ରଶ୍ନପତ୍ରର କୌଣସି ତାଳମେଳ ରହୁନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ସାମ୍ବାଦିକ ସମ୍ମିଳନୀରେ ବୋର୍ଡର ସଭାପତି ରାମାଶିଷ ହାଜରା ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି, ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ଆଜି ପ୍ରଶ୍ନପତ୍ର ଭାଇରାଲ ହୋଇ ନାହିଁ। ପରୀକ୍ଷା ପରେ ଆମେ ପ୍ରଶ୍ନ ପତ୍ର ଯାଞ୍ଚ କରିଥିଲୁ। କିନ୍ତୁ ଭାଇରାଲ ପ୍ରଶ୍ନପତ୍ର ସହ ଏହାର କୌଣସି ମେଳ ଖାଇ ନଥିଲା। ବୋର୍ଡକୁ ବଦନାମ କରିବା ପାଇଁ ଅର୍ଥାତ ଖରାପ ଉଦ୍ଦେଶ୍ୟ ନେଇ କେହି ଜଣେ ବ୍ୟକ୍ତି ପ୍ରଶ୍ନପତ୍ର ପ୍ରସ୍ତୁତ କରି ଭାଇରାଲ କରିଛି ବୋଲି ଶ୍ରୀ ହାଜରା କହିଛନ୍ତି।
ସୂଚନାଯୋଗ୍ୟ, ବୋର୍ଡ ପକ୍ଷରୁ ଆଜି ପ୍ରଥମ ଦିନରେ ଓଡ଼ିଆ (ମାତୃଭାଷା) ପରୀକ୍ଷା କରାଯାଇଥିଲା। ପ୍ରଥମ ଦିନରେ ରାଜ୍ୟର ବିଭିନ୍ନ କେନ୍ଦ୍ରରେ ୪୪ଟି ପିଲା ଓଡ଼ିଆରେ କପି କରି ଧରାପଡ଼ିଥିବା ଜଣାପଡ଼ିଛି।
ମାଟ୍ରିକ୍ ପରୀକ୍ଷାର ପଥମ ଦିନରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ରାଜଧାନୀର କେତେକ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଛନ୍ତି। ବଲାଙ୍ଗୀର ସମେତ ରାଜ୍ୟର କେତେକ ଜିଲ୍ଲାରେ ଆଜିର ପରୀକ୍ଷା ପ୍ରଶ୍ନପତ୍ର (ମାତୃଭାଷା) ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିବା ପ୍ରସଙ୍ଗ ତାଙ୍କ ଦୃଷ୍ଟିକୁ ଆସି ନ ଥିବା କଥା ସେ ଗଣମାଧ୍ୟମକୁ କହିଛନ୍ତି। ଯଦି ସେ ଭଳି କୌଣସି ଘଟଣା ଦୃଷ୍ଟିକୁ ଆସେ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।