ବନରକ୍ଷୀଙ୍କୁ ଦଳିଦେଲା ଦନ୍ତା

ହାତୀକୁ ବଞ୍ଚାଇବାକୁ ଯାଇ ନିଜେ ଜୀବନ ହରାଇଲେ

ଭାଙ୍ଗିଲା ୩ ବାଇକ୍‌, ୫ ସାଇକେଲ; ଉତ୍ତେଜନା; ରେଞ୍ଜ୍‌ର, ଭିଏଏସ୍‌ ଅଟକ

କଙ୍କଡ଼ାହାଡ଼ : ବିପଦରେ ପଡ଼ିଥିବା ଦନ୍ତାକୁ ବଞ୍ଚାଇବାକୁ ଯାଇ ଆଜି ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ରେଞ୍ଜ୍‌ ଗତରେଇର ବନରକ୍ଷୀ ଗିରୀଶ ବିଶ୍ୱାଳ ନିଜ ଜୀବନ ହରାଇଛନ୍ତି। ଖୋଦ୍‌ ବିପଦରେ ପଡ଼ିଥିବା ହିଂସୁକ ଦନ୍ତା ହିଁ ତାଙ୍କୁ ମାରିଛି। ହାତୀର ଉନ୍ମତ୍ତକାଣ୍ଡ ଏତିକିରେ ସରିନି, ସ୍ଥାନୀୟ ଲୋକଙ୍କର ୩ଟି ବାଇକ୍‌ ଏବଂ ୫ଟି ସାଇକଲ ଭଙ୍ଗାରୁଜା କରିବା ସହିତ ହାତୀ ଭୟରେ ଧାଁ ଦୌଡ଼ ବେଳେ ଏକାଧିକ ଗ୍ରାମବାସୀ ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ମହାବିରୋଡ଼ ରେଞ୍ଜ୍‌ ଗତରେଇ ପୁରୁଣାପାଣି ମୁଣ୍ଡାପଶି ଜଙ୍ଗଲ ନିକଟସ୍ଥ ଏକ ପାଣିଗାଡ଼ିଆ ଭିତରେ ୭ବର୍ଷ ବୟସ୍କ ଏହି ଦନ୍ତାଟି ପଡ଼ି ରହିଥିଲା। ହାତୀ ଅସୁସ୍ଥ ଥିବା ଚିନ୍ତା କରି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ପାଣି ଗାଡ଼ିଆରୁ ଦନ୍ତାକୁ ଉଦ୍ଧାର କରିବା ପାଇଁ ବନ ବିଭାଗ କର୍ମଚାରୀ ଲାଗି ପଡ଼ିଥିଲେ। ପର୍ଜଙ୍ଗ ଅଗ୍ନିଶମ ବାହିନୀ ଏବଂ ପ୍ରାଣୀ ଚିକିତ୍ସକଙ୍କୁ ମଧ୍ୟ ସେଠାକୁ ଡକରା ଯାଇଥିଲା। ଦନ୍ତାକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା। ଘଟଣାସ୍ଥଳରେ ବନରକ୍ଷୀ ଶ୍ରୀ ବିଶ୍ୱାଳ ମଧ୍ୟ ଉପସ୍ଥିତ ଥିଲେ।

ଅପରାହ୍‌ଣରେ ଉଦ୍ଧାର କରିବା ପୂର୍ବରୁ ଦନ୍ତା ନିଜେ ହଠାତ୍‌ ପାଣି ଗାଡ଼ିଆ ଉପରକୁ ଉଠି ଆସି ସମସ୍ତଙ୍କୁ ଗୋଡ଼ାଇଥିଲା। ଜୀବନ ବିକଳରେ ଲୋକେ ଦୌଡ଼ାଦୌଡ଼ି କରିଥିଲେ ହେଁ ବନରକ୍ଷୀ ଶ୍ରୀ ବିଶ୍ୱାଳ କିନ୍ତୁ ଦନ୍ତା ମୁହଁରେ ପଡ଼ିଥିଲେ। ସମସ୍ତଙ୍କ ଆଖି ଆଗରେ ଦନ୍ତା ତାଙ୍କୁ ଘୋଷାଡ଼ି ନେଇ ଗୋଡ଼ରେ ଦଳିଚକଟି ଦେଇଥିଲା। ଜୀବନ ନେଇ ସାରିବା ପରେ ସେଠାରେ କିଛି ସମୟ ମୃତ ଦେହକୁ ଜଗି ରହିଥିଲା।

ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ଦନ୍ତାକୁ ଏଠାରୁ ତୁରନ୍ତ ସ୍ଥାନାନ୍ତର, ମୃତକଙ୍କ ପରିବାରକୁ କ୍ଷତିପୂରଣ, ବନ ବିଭାଗ ପକ୍ଷରୁ ପାଟ୍ରୋଲିଂକୁ କଡ଼ାକଡ଼ି କରିବା ଦାବିରେ ଲୋକେ ରେଞ୍ଜର ସୁରେଶ ବେହେରା, ଭିଏଏସ୍‌ ସତ୍ୟବିକ୍ରମ ତରାଇଙ୍କୁ ଅଟକାଇବା ସହିତ ଶବକୁ ଛାଡ଼ି ନ ଥିଲେ। ଘଟଣାସ୍ଥଳରେ ଏସିଏଫ୍‌ ମହେଶ୍ୱର ପଟ୍ଟନାୟକ, କାମାକ୍ଷାନଗର ଏସ୍‌ଡିପିଓ, ପର୍ଜଙ୍ଗ ଥାନା ଅଧିକାରୀ ପ୍ରମୁଖ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ଦାବି ପୂରଣ ପାଇଁ ପ୍ରତିଶ୍ରୁତି ମିଳିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା।

ସମ୍ବନ୍ଧିତ ଖବର