ବିନିକା ଅଞ୍ଚଳ ଦେଇ ଯାଇଥିବା ଏମ୍‌ଡିଆର୍‌-୩୯ ରାସ୍ତାରେ ବୃଦ୍ଧି ପାଉଛି ଦୁର୍ଘଟଣା, ୬ ବର୍ଷରେ ୧୦୮ ମୃତ, ୪୮୪ ଆହତ,

ସଂକୀର୍ଣ୍ଣ ରାସ୍ତାକୁ ଓସାର କରିବାକୁ ଦାବି

ବିନିକା : ବିନିକା ଅଞ୍ଚଳ ଦେଇ ଯାଇଥିବା ଏମଡିଆର ୩୯ ରାସ୍ତା ସଂକୀର୍ଣ୍ଣ ହୋଇ ପଡ଼ିଛି। ଫଳରେ ଏହି ରାସ୍ତାରେ ଦୁର୍ଘଟଣା ବୃଦ୍ଧି ପାଉଛି। ଗତ ୬ ବର୍ଷରେ ଏହି ରାସ୍ତାରେ ଦୁର୍ଘଟଣା ହୋଇ ୧୦୮ ଜଣଙ୍କ ମୃତ୍ୟୁ ହୋଇ ସାରିଛି।

ଦିନକୁ ଦିନ ଅଞ୍ଚଳରେ ଯାନବାହନ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ ସଂକୀର୍ଣ୍ଣ ଏମ୍‌ଡିଆର୍‌ ୩୯ ରାସ୍ତାକୁ ପ୍ରଶସ୍ତ କରାଯାଉ ନାହିଁ। ଫଳରେ ଏହି ରାସ୍ତାର ଡୁଙ୍ଗୁରିପାଲି- ଅର୍ଜୁନପୁର ରାସ୍ତା, ବିଶାଲପାଲି- ଅରିଗାଁ- ତୁରୁମ- ଗୋଡ଼ଭଗା ରାସ୍ତା ଏବଂ ବିନିକା – ଚଡ଼ାଇପଙ୍କ ରାସ୍ତା ଗୁଡିକରେ ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି। ରାଜ ରାଜୁଡ଼ା ଅଳରେ ଏହି ରାସ୍ତା ନିର୍ମାଣ ହୋଇଥିଲା। ପ୍ରାୟ ୧୪ ବର୍ଷ ତଳେ ଏହି ରାସ୍ତାର ଉନ୍ନତୀକରଣ କରାଯାଇ ୧୮ ଫୁଟ୍‌ ଚଉଡ଼ା ପିଚୁ କରାଯାଇଥିଲା। ଏବେ ଅଞ୍ଚଳର ଆବଶ୍ୟକତା ଅନୁସାରେ ଆଉ ଓସାର ହେବା ଉଚିତ୍‌। ବିନିକାରୁ ମହାନଦୀ ସେତୁ ଦେଇ ଭାୟା ଧମା–ଚଢ଼େଇପଙ୍କ –ସମ୍ବଲପୁର- ବୁର୍ଲାରୁ, ବିନିକା ବିଶାଲପାଲି ଛକରୁ ତୁରୁମ– ଗୋଡଭଗା, ବଲାଙ୍ଗୀରରୁ ଗୋଟିଏ ପଟେ ଡୁଙ୍ଗୁରିପାଲି–ରାମପୁର ପଟରୁ ବିନିକା ସହରକୁ ଯାନବାହାନ ଆସୁଥିବା ବେଳେ ବରଗଡ ପଟରୁ ବରପାଲି – ରାମପୁର, ସୋହେଲା, ରାୟପୁର ଦେଇ ବିନିକା ସହରକୁ ପ୍ରବେଶ କରୁଛି। ଫଳରେ ଏହା ଏକ ବ୍ୟସ୍ତବହୁଳ ରାସ୍ତାରେ ପରିଣତ ହେଲାଣି। ଦ୍ରୁତଗତିରେ ଗାଡ଼ି ଚଳାଚଳ ଓ ସନ୍ଧ୍ୟା ପରେ ଭାରୀଯାନ ଗୁଡ଼ିକର ଲାଇଟ୍‌ ଯୋଗୁଁ ବାଇକ୍‌, ସାଇକଲ ଆରୋହୀଙ୍କୁ ଠିକ୍‌ରେ ଦେଖାଯାଉ ନାହିଁ। ଫଳରେ ଛୋଟମୋଟ ଦୁର୍ଘଟଣା ଘଟୁଛି। ବିନିକା ଥାନାରୁ ମିଳିଥିବା ତଥ୍ୟ ଅନୁସାରେ ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ୬ବର୍ଷ ମଧ୍ୟରେ ବିଭିନ୍ନ ରାସ୍ତାରେ ୧୦୮ଜଣ ଦୁର୍ଘଟଣାରେ ପ୍ରାଣ ହରାଇ ସାରିଛନ୍ତି। ୪୮୪ଜଣ ଆହତ ହୋଇଛନ୍ତି। ବେସରକାରୀ ଭାବେ ଏହି ସଂଧ୍ୟା ଅଧିକ ହେବ ବୋଲି କୁହାଯାଉଛି। ତେଣୁ ରାସ୍ତାକୁ ଓସାର କରିବା ଦିଗରେ ପ୍ରଶାସନ ପଦକ୍ଷେପ ନେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର