ବ୍ରୁକସନ୍‌ ମାମଲାରେ ସାକ୍ଷ୍ୟ ଗ୍ରହଣ

ସୈନିକଙ୍କୁ ଜମି ଯୋଗାଣରେ ଠକେଇ

କଟକ: ସୈନିକଙ୍କୁ ଭୁବନେଶ୍ୱରରେ ଜମି ଯୋଗାଇଦେବା ନାଁରେ କୋଟି କୋଟି ଟଙ୍କା ଠକିଥିବା ବ୍ରୁକସନ୍‌ ଇନ୍‌ଫ୍ରାଷ୍ଟ୍ରକଚର ପ୍ରାଇଭେଟ୍‌ ଲିମିଟେଡ୍‌ ବିରୋଧରେ ରୁଜୁ ଅପରାଧିକ ମାମଲାରେ ସାକ୍ଷ୍ୟ ଗ୍ରହଣ ହୋଇଛି। ସ୍ୱତନ୍ତ୍ର ଅଦାଲତରେ ପୂର୍ବତନ ସେନା ଅଧିକାରୀ ଦେବାଶିଷ ସାମନ୍ତରାୟ ହାଜର ହୋଇ ସାକ୍ଷ୍ୟ ପ୍ରଦାନ କରିଛନ୍ତି। ସେ ସୈନିକ ୱେଲଫେୟାର ଅର୍ଗାନାଇଜେସନ୍‌ରେ ଜମି ପାଇଁ ୧୨ଲକ୍ଷ ୨୪ହଜାର ଟଙ୍କା ଜମା କରିଥିବା ବେଳେ ପରବର୍ତ୍ତୀ ସମୟରେ ଜମିର ପଞ୍ଜୀକରଣ ସହ ମ୍ୟୁଟେସନ ପାଇଁ ବ୍ରକସନ୍‌ ସଂସ୍ଥାରେ ସମୁଦାୟ ୬୬ହଜାର ଟଙ୍କା ଜମା କରିଥିଲେ ବୋଲି ସାକ୍ଷ୍ୟ ଗ୍ରହଣ ସମୟରେ କହିଛନ୍ତି। କିନ୍ତୁ ଟଙ୍କା ଜମା କରିବା ପରେ ମଧ୍ୟ ତାଙ୍କୁ ଜମିର ମାଲିକାନା ସ୍ଵତ୍ୱ ମିଳିନଥିଲା। ଫଳରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ କରିଥିଲେ ବୋଲି ଶ୍ରୀ ସାମନ୍ତରାୟ ଦର୍ଶାଇଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୬ତାରିଖରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ସେନାର ଅବସରପ୍ରାପ୍ତ କର୍ମଚାରୀ ଅଭିଯୋଗ କରିଥିଲେ ଯେ କର୍ଣ୍ଣେଲ ରାକେଶ ରାଣା ସୈନିକ ୱେଲଫେୟାର ଅର୍ଗାନାଇଜେସନ୍‌ ନାମରେ ସଂସ୍ଥା ଗଢି ଭୁବନେଶ୍ୱର ଗିରିଙ୍ଗପୁଟ ମୌଜାରେ ଜମି ଯୋଗାଇ ଦେବାକୁ କହି ୫ଶହରୁ ଅଧିକ ଲୋକଙ୍କ ନିକଟରୁ କୋଟି କୋଟି ଟଙ୍କା ସଂଗ୍ରହ କରିଥିଲେ। ପ୍ରତିଶ୍ରୁତି ମୁତାବକ ୨୦୧୨, ଜୁନ୍‌ ମାସ ସୁଦ୍ଧା ସଂସ୍ଥା ଜମି ଯୋଗଇ ନଥିଲାକି ଜମାକାରୀଙ୍କ ଟଙ୍କା ଫେରସ୍ତ କରି ନଥିଲା। ସଂସ୍ଥା ବ୍ରୁକସନ୍‌ ଇନ୍‌ଫ୍ରାଷ୍ଟ୍ରକଚର ପ୍ରାଇଭେଟ୍‌ ଲିମିଟେଡ୍‌ ସଂସ୍ଥାକୁ ଜମି ଯୋଗାଇବାକୁ କୋଟି କୋଟି ଟଙ୍କା ଦେଇଥିଲା ବୋଲି ଅଭିଯୋଗ ହୋଇଥିଲା। ଏହି ମାମଲାରେ ବ୍ରକସନ୍‌ ଏମଡି ପୂର୍ଣ୍ଣଚନ୍ଦ୍ର ପଣ୍ଡା ଓ ଅନ୍ୟ ବରିଷ୍ଠ ପଦାଧିକାରୀଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା।

ସମ୍ବନ୍ଧିତ ଖବର