ଭାରତ-ଋଷ ପ୍ରସ୍ତାବିତ ଯୁଗ୍ମ ପ୍ରକଳ୍ପ ଦ୍ବିପାକ୍ଷିକ ସମ୍ପର୍କକୁ ଦୃଢ଼ କରିବ : ଧର୍ମେନ୍ଦ୍ର

ଭୁବନେଶ୍ବର: ଋଷର ପୂର୍ବାଞ୍ଚଳ‌େର ଅପର୍ଯ୍ୟାପ୍ତ ଖଣିଜର ସମ୍ଭାବନା ରହିଥିବା ବେଳେ ଋଷ ସରକାର ଭାରତ ସରକାରଙ୍କ ସହ କାମ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଭାରତ ଓ ଋଷ ମଧ୍ୟରେ ପ୍ରସ୍ତାବିତ ଏହି ଯୁଗ୍ମ ପ୍ରକଳ୍ପ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ମଜଭୁତ କରିବ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି। ପାଞ୍ଚ ଦିନିଆ ଋଷ ଓ ଜାପାନ ଗସ୍ତରେ ଯାଇଥିବା ଶ୍ରୀ ପ୍ରଧାନ ଆଜି ପ୍ରଥମ ଦିନରେ ଋଷର ବରିଷ୍ଠ ଅଧିକାରୀଙ୍କୁ ଭେଟି ଆଲୋଚନା କରିବା ପରେ ଏହା କହିଛନ୍ତି।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଉଚ୍ଚସ୍ତରୀୟ ସରକାରୀ ଅଧିକାରୀ ଓ ବ୍ୟବସାୟିକ ପ୍ରତିନିଧି ମଣ୍ଡଳୀ ସହ ଋଷରେ ପହଞ୍ଚିବା ପରେ ପ୍ରଥମେ ସେଠାରେ ଭାରତୀୟ ରାଷ୍ଟ୍ରଦୂତ ବାଲା ଭେଙ୍କଟେଶ ବର୍ମାଙ୍କ ସହ ଭାରତ-ଋଷ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ବିଶେଷ ଭାବେ ତୈଳ, ଗ୍ୟାସ ଓ ଇସ୍ପାତ କ୍ଷେତ୍ରର ସମୀକ୍ଷା କରିଥିଷଲ। ଉଭୟ ପୂର୍ବ ଋଷର କୁକିଂ କୋଲ୍‌ ଉପରେ ଆଲୋଚନା କରିଥିଲେ। ଶ୍ରୀ ପ୍ରଧାନ ପୂର୍ବ ଋଷର ସର୍ବବୃହତ ଜେଭେଜ୍‌ଡ଼ାସ୍ଥିତ ଜାହାଜ ନିର୍ମାଣ ପ୍ରକଳ୍ପ ପରିଦର୍ଶନ କରିଥିଲେ। ଏହି ସମୟରେ ବରିଷ୍ଠ ଅଧିକାରୀମାନଙ୍କ ସହ ବ୍ୟବସାୟିକ ସମ୍ଭାବନା ଉପରେ ଆଲୋଚନା କରିଥିଲେ। ଏହା ସହ ସେଠାରେ ରୋଜନେଫ୍ଟର ସିଇଓ ସଚିନ ଇଗୋରଙ୍କୁ ମଧ୍ୟ ସାକ୍ଷାତ କରି ଜେଭେଜଡ଼ା ଜାହାଜ ପ୍ରକଳ୍ପ ଉପରେ ଆଲୋଚନା କରିଥିଲେ। ଜେଭେଜ୍‌ଡ଼ା ଜାହାଜ ସିପ୍‌ୟାର୍ଡ ଆରକେଟିକ୍ ସିପିଂର ବିକାଶରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ବେଳେ ଭାରତ ଓ ଋଷର ଜଳପଥକୁ ବିକଶିତ କରିବାରେ ମଧ୍ୟ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ। ଏହି ଅବସରରେ ଋଷର ପୂର୍ବାଞ୍ଚଳରେ ହାତକୁ ନିଆଯାଇଥିବା ବିଭିନ୍ନ ଯୁଗ୍ମ ତୈଳ ଓ ଗ୍ୟାସ ପ୍ରକଳ୍ପକୁ ଶ୍ରୀ ପ୍ରଧାନ ସମୀକ୍ଷା କରିଥିଲେ।

ସମ୍ବନ୍ଧିତ ଖବର