ମଶାଣି ବିବାଦ, ଜୁଇ ଭାଙ୍ଗି ଫିଙ୍ଗିଦେଲେ: ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ପଡ଼ିରହିଲା ଶବ

ନୟାଗଡ଼: ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅଧୀନ ଭାଲିଆଡିହି ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଘଟିଛି। ମଶାଣି ବିବାଦକୁ କେନ୍ଦ୍ର କରି ଭ‌ାଲିଆଡିହି ଗ୍ରାମ ଉପରସାହିର ଏକ ଶବକୁ ସନ୍ଧ୍ୟାପର୍ଯ୍ୟନ୍ତ ମଶାଣିରେ ପକାଇ ରଖାଯାଇଛି। ବୁଝାସୁଝା କରାଯିବା ପରେ ସକାଳ ୧୦ଟାରୁ ମଶାଣିରେ ପଡ଼ି ରହିଥିବା ଶବ ସନ୍ଧ୍ୟା ପ୍ରାୟ ୫ଟାରେ ଦାହ କରାଯାଇଛି। ଶବକୁ ଅସମ୍ମାନ ଭଳି ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଭାଲିଆଡିହି ପଞ୍ଚାୟତ ତଥା ଉକ୍ତ ଗ୍ରାମ ଉପରସାହିର ରମା ମହାପାତ୍ରଙ୍କ(୮୦) ଆଜି ସକାଳେ ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ଶବ ଦାହ କରିବା ନିମନ୍ତେ ରମାଙ୍କ ପରିବାର ଲୋକ ଶବ ନେଇ ଗ୍ରାମର ନୀଳକଣ୍ଠେଶ୍ବର ଉଚ୍ଚ ବିଦ୍ୟାଳୟ ନିକଟସ୍ଥ ମଶାଣିକୁ ଆଣିଥିଲେ। ହେଲେ ସ୍ଥାନୀୟ ସରପଞ୍ଚଙ୍କ ପରିବାର ଓ ପାଇକସାହି ବାସିନ୍ଦା ଉକ୍ତ ସ୍ଥାନରେ ଶବ ଦାହ କରାଯାଇପାରିବ ନାହିଁ ବୋଲି କହି ବିରୋଧ କରିଥିଲେ। ଏପରିକି ଶବ ପୋଡ଼ାଯିବା ନିମନ୍ତେ ସମସ୍ତ ବିଧି ସରିଥିବା, ଜୁଇ କାଠ ସଜଡ଼ା ଯାଇଥିବାବେଳେ ସେସବୁକୁ ଫିଙ୍ଗି ଦେଇଥିଲେ। ଫଳରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହିତ ଉପରସାହି ବାସିନ୍ଦା ଭାଲିଆଡିହି ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ତଥାପି ବି ସରପଞ୍ଚଙ୍କ ପରିବାର ଓ ପାଇକସାହି ବାସିନ୍ଦା ଶବ ଦାହ କରାଇ ଦେଇନଥିଲେ। ଏଠାରୁ ତୁରନ୍ତ ଶବ ଉଠାଇ ଅନ୍ୟ ଜାଗାରେ ପୋଡ଼ ବୋଲି ଅଡି ବସିଥିଲେ। ହେଲେ ଉପରସାହି ବାସିନ୍ଦା ଉକ୍ତ ମଶାଣିରେ ଦୀର୍ଘ ବର୍ଷ ହେବ ଶବ ଦାହ କରାଯାଉଥିବାରୁ ‌ଆମେ ସେଠାରେ ଶବ ଦାହ କରିବୁ ବୋଲି କହି ନିଜ ଜିଦ୍‌ରେ ଅଟଳ ରହିଥିଲେ। ଖବର ପାଇ ଅପରାହ୍ଣ ପ୍ରାୟ ୩ଟାରେ ଶରଣକୁଳ ଥାନା ଆଇଆଇସି ମନୋଜ ଶତପଥୀ, ଓଡ଼ଗାଁ ତହସିଲଦାର ପ୍ରମୋଦ ନାୟକ ପ୍ରମୁଖ ପହଞ୍ଚିଥିଲେ। ଆଇଆଇସି ଓ ତହସିଲଦାର, ଭିକାରୀ ଓ ପାଇକସାହି ବାସିନ୍ଦାଙ୍କୁ ଦୀର୍ଘ ସମୟ ଧରି ବୁଝାସୁଝା କରିଥିଲେ। ଗ୍ରାମ୍ୟ ମଶାଣିକୁ ନେଇ ଥିବା ବିବାଦର ସମାଧାନ ଆସନ୍ତା ୨୩ ତାରିଖରେ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଶବ ସଂସ୍କାର କରା ଯାଇଥିଲା।

ସମ୍ବନ୍ଧିତ ଖବର