ମହାନଦୀକୁ ଶୁଖିଲା ହେବାକୁ ଦିଆଯିବ ନାହିଁ- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବିଜେଡିର ମହାନଦୀ ମହାସଂଗ୍ରାମର ଦ୍ୱିତୀୟ ପର୍ଯ୍ୟାୟ ଅଭିଯାନ ଆଜି  ଆରମ୍ଭ

ଭୁବନେଶ୍ୱର:  ବିଜେଡିର ମହାନଦୀ ମହାସଂଗ୍ରାମର ଦ୍ୱିତୀୟ ପର୍ଯ୍ୟାୟ ଅଭିଯାନ ଆଜି  ଆରମ୍ଭ ହୋଇଛି। ମହାନଦୀର ଓଡ଼ିଶାରେ ପ୍ରବେଶ ପଥ ଝାରସୁଗୁଡ଼ା ଜିଲ୍ଲାର ଶୁଖାସୋଢ଼ାଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ମହାନଦୀ ସୁରକ୍ଷା  ଅଭିଯାନ ଆରମ୍ଭ କରି କହିଛନ୍ତି ଯେ ମହାନଦୀ ଓଡ଼ିଶାର ଜୀବନରେଖା, ସେ ଆମର ମା। ଏହାକୁ ଶୁଖିଲା ହେବାକୁ ଦିଆଯିବ ନାହିଁ। ଏହା କେବଳ ବିଜେଡିର ଅଭିଯାନ ନୁହେଁ, ଏହା ସମଗ୍ର ଓଡ଼ିଶାବାସୀଙ୍କ ଅଭିଯାନ ବୋଲି କହି ମୁଖ୍ୟମନ୍ତ୍ରୀ ଏହି ଅଭିଯାନରେ ସମସ୍ତେ ସାମିଲ ହେବାକୁ ଆହ୍ଵାନ ଦେଇଛନ୍ତି।

ମହାନଦୀରେ ଛତିଶଗଡ଼ ଏକଚାଟିଆ ଭାବେ ବ୍ୟାରେଜ ନିର୍ମାଣ କରିବା ପ୍ରସଙ୍ଗ ଏବେ ଓଡ଼ିଶା ପାଇଁ ଚିନ୍ତାର କାରଣ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ଏହାକୁ ଏକ ବଡ଼ ପ୍ରସଙ୍ଗ ଭାବେ ନେଇ ଏହାକୁ ଏକ ଜନଆନ୍ଦୋଳନର ରୂପ ଦେବାକୁ ଉଦ୍ୟମ ଚଳାଇଛନ୍ତି। ଏଥିପାଇଁ ଆଜି  ଶୁଖାସୋଢ଼ାଠାରେ ଆୟୋଜିତ ସମାବେଶରେ  ମୁଖ୍ୟମନ୍ତ୍ରୀ ଉଭୟ କେନ୍ଦ୍ର ଓ ଛତିଶଗଡ଼ର ବିଜେପି ସରକାରଙ୍କୁ ତୀବ୍ର  ସମାଲୋଚନା କରିବାସ ସହିତ ଉଭୟ ଓଡ଼ିଶା ସ୍ୱାର୍ଥ ବିରୋଧରେ କାର୍ଯ୍ୟ କରୁଛନ୍ତି ବୋଲିି କହିଛନ୍ତି। ରାଜ୍ୟର ବିଜେପି ନେତାମାନେ ରାଜ୍ୟବାସୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି। ଯଦି ଓଡ଼ିଶାର ବିଜେପି ନେତାଙ୍କର ଓଡ଼ିଶା ଓ ଓଡ଼ିଆଙ୍କ ପ୍ରତି ଦରଦ ଅଛି ତେବେ ସେମାନେ ଛତିଶଗଡ଼ ସରକାରଙ୍କ ବ୍ୟାରେଜ ନିର୍ମାଣ କାଯ୍ୟକୁ ବିରୋଧ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଖୋଲା ଆହ୍ଵାନ ଦେଇଛନ୍ତି।

ଏହି ସମାବେଶରେ ସାଂସଦ ସୌମରଞ୍ଜନ ପଟ୍ଟନାୟକ ଭାଷଣ ଦେଇ  କହିଥିଲେ ଯେ ମହାନଦୀର ଉପରମୁଣ୍ଡରେ  ଅଛି ବୋଲିି ଛତିଶଗଡ଼ ଏହାକୁ କବଜା କରି ଓଡ଼ିଶାକୁ ତାର ନ୍ୟାର୍ଯ୍ୟ ଦାବିରୁ ବଞ୍ଚିତ କରିବାକୁ ଚାହୁଁଛି। ମାତ୍ର ଓଡ଼ିଶାବାସୀ ଛତିଶଗଡ଼ର ଏପରି କାର୍ଯ୍ୟକୁ  କେବେ ବରଦାସ୍ତ କରିବେ ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ   ମନ୍ତ୍ରୀ ସୂର୍ଯ୍ୟ ନାରାୟାଣ ପାତ୍ର, ଦେବୀ ମିଶ୍ର, ସଞ୍ଜୟ ଦାସର୍ବର୍ମା,  ପୂର୍ବତନ ବିଧାୟକ ଅନୂୁପ ସାହା ପ୍ରମୂଖ  ନିଜ ନିଜର ବକ୍ତବ୍ୟ ରଖିଥିଲେ।

ସମ୍ବନ୍ଧିତ ଖବର