ମହିଳା ସମସ୍ୟା ଓ କୃଷିକୁ ପ୍ରାଧାନ୍ୟ ଦେବ କଂଗ୍ରେସ: ନବଜ୍ୟୋତି

ନୀଳଗିରି: କଂଗ୍ରେସ କ୍ଷମତାକୁ ଆସିଲେ ମହିଳା ଓ କୃଷକମାନଙ୍କ ସମସ୍ୟାକୁ ଅଗ୍ରାଧିକାର ଦେବ। ବାଲେଶ୍ବରରୁ କଂଗ୍ରେସର ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି। ଆଜି ଔପଦା ବ୍ଲକର ଶ୍ୟାମସୁନ୍ଦର ପଞ୍ଚାୟତରେ ଏକ ନିର୍ବାଚନୀ ସଭାରେ ଶ୍ରୀ ପଟ୍ଟନାୟକ ଓ ନୀଳଗିରି ବିଧାୟିକା ପ୍ରାର୍ଥିନୀ ମନୋଜା ମଂଜରୀ ଦେବୀ ବିଜେଡି ଓ ବିଜେପି ସରକାର ବିରୋଧରେ ବର୍ଷିଥିଲେ। ରାଜ୍ୟରେ କଂଗ୍ରେସ ସରକାର ଆସିଲେ ନାରୀ ସମସ୍ୟା, କର୍ମନିଯୁକ୍ତି, କୃଷି ଉପରେ ଗୁରୁତ୍ବ ଦେବାସହ ସଂପୂର୍ଣ୍ଣ କୃଷିଋଣ ଛାଡ଼, ବେକାରୀ ଭତ୍ତା ଉପରେ ଗୁରୁତ୍ବ ଦିଆଯିବ ବୋଲି କହିଥିଲେ। ଏହି ଅବସରରେ ବିଜେପିର ସାମ୍ପ୍ରଦାୟିକ ରାଜନୀତି ଓ ବିଜେଡିର ଦୁର୍ନୀତି ଓ ଚାଷୀମାରଣ ନୀତିକୁ ଶ୍ରୀ ପଟ୍ଟନାୟକ ତୀବ୍ର ସମାଲୋଚନା କରିଥିଲେ। ଆଜି ଶ୍ରୀ ପଟ୍ଟନାୟକଙ୍କ ନୀଳଗିରି ଗସ୍ତ ଅବସରରେ କଂଗ୍ରେସ କର୍ମୀମାନେ ନୀଳଗିରି ସୀମା ଅର୍ଥାତ୍ ଓଲଡଙ୍ଗ ଛକ ନିକଟରୁ ଏଆଇସିସିର ସଭ୍ୟ ରାହୁଲ ବାଲ୍, ଔପଦା ସଭାପତି ଗଦାଧର ପରିଡ଼ା, ବୀଣାପାଣି ପାତ୍ର, ରଂଜନ ଦାସ, ବିପିନ ବେହେରା ପ୍ରମୁଖଙ୍କୁ ସଭାସ୍ଥଳକୁ ପାଛୋଟି ନେଇଥିଲେ। ଏହି ଅବସରରେ ବିଜେଡି ଦଳ ଛାଡ଼ି ବରହମପୁରର ଲିପୁନ ସେଠୀ, ଧୋବଶିଳାର ଜୟଦେବ ରାଜ, ଛତ୍ରପୁରର ଅଜୟ ସେନାପତି, ନୀଳଗିରିର ସତ୍ୟ ନାୟକ, ପୁନ୍ଦାଳର ଚନ୍ଦନ ବେହେରା, ରଣଜିତ୍ ନାୟକ ପ୍ରମୁଖ କଂଗ୍ରେସରେ ସାମିଲ ହୋଇଥିଲେ।

 

ସମ୍ବନ୍ଧିତ ଖବର