ମାଓବାଦୀଙ୍କ ବର୍ବରକାଣ୍ଡ: ଯୁବକଙ୍କୁ ଗୁଳି କରି ହତ୍ୟା

ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ। ପୁଲିସ ଇନଫର୍ମର ସନ୍ଦେହରେ ହଳଦୀ ପଞ୍ଚାୟତ ଅନ୍ତର୍ଗତ ଭେନସ୍‌ ଗ୍ରାମର ଜଣେ ଯୁବକଙ୍କୁ ଘରୁ ଡାକିନେଇ ଗୁଳିକରି ହତ୍ୟା କରିଛନ୍ତି। ମୃତ ଯୁବକ ହେଉଛନ୍ତି ଭେନ୍‌ସ ଗ୍ରାମ‌େର ଅନନ୍ତରାମ ଗଣ୍ଡ (୩୮)। ଅନନ୍ତ ପତ୍ନୀ ସୁକବାଈ, ୪ଝିଅ ଓ ଗୋଟିଏ ପୁଅକୁ ନେଇ ଦୀର୍ଘବର୍ଷ ହେଲା ରହି ଆସୁଛନ୍ତି। ଗତକାଲି ସୁକବାଈ ଦୁଇ ଝିଅ ହେମଲତା ଓ କୈକେଇଙ୍କୁ ନେଇ ନିଜ ବାପଘର କଲିଆପଦର ଯାଇଥିଲେ। ବଡ ଦୁଇ ଝିଅ ନୂଆପାରା ଆଶ୍ରମ ବିଦ୍ୟାଳୟରେ ରହି ପଢୁଥିବାରୁ ଗତକାଲି ଦିନତମାମ ଅନନ୍ତରାମ ଓ ପୁଅ ପୂର୍ଣ୍ଣ (୯) ହିଁ ଘରେ ରହିଥିଲେ। ରାତି ପ୍ରାୟ ୮ଟାରେ ଖାଇ ସାରିବା ପରେ ବାପ, ପୁଅ ଶୋଇବାକୁ ଯାଉଥିଲେ। ଏହି ସମୟରେ ୩ ଜଣ ମାଓବାଦୀ ହାତରେ ବନ୍ଧୁକ ଓ ଠେଙ୍ଗା ଧରି ଅନନ୍ତରାମଙ୍କୁ ଡାକିଥିଲେ। ଅନନ୍ତରାମ ଘରୁ ବାହାରିବା ପରେ ତାଙ୍କ ଦୁଇ ହାତକୁ ପଛପଟକୁ ଟାଣି ବାନ୍ଧି ଦେଇଥିଲେ। ବାପାଙ୍କୁ ମାଓବାଦୀ ନେଉଥିବା ଦେଖି ପୁଅ ପୂର୍ଣ୍ଣ ମଧ୍ୟ ଘରୁ ବାହାରିଥିଲା। କିନ୍ତୁ ‌ପଡ଼ିଶା ଘରକୁ ଯାଇ ଶୋଇବାକୁ ନିର୍ଦେଶ ଦେବାରୁ ସେ ପ‌ଡ଼ୋଶୀ ଜଗନ୍ନାଥ ଗଣ୍ଡଙ୍କ ଘରକୁ ଚାଲି ଯାଇଥି‌ଲା। ଏହାପରେ ଅନନ୍ତରାମଙ୍କୁ ଗାଳିଗୁଲଜ କରି ଘର ଠାରୁ ଶହେ ମିଟର ଦୂରରେ ଥିବା ଅଙ୍ଗନୱାଡି କେନ୍ଦ୍ର ନିକଟକୁ ନେଇଯାଇଥିଲେ। ଅତି ନିକଟରୁ ଗୁଳି କରି ହତ୍ୟା କରିଥିଲେ। ରାଇଘର ପୁଲିସ ଆଜି ଅପରାହ୍ନ ପ୍ରାୟ ୪ଟାରେ ଘଟଣା ସ୍ଥଳରେ ପହଞ୍ଚି ଛାନ୍‌ଭିନ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର