‘ମୁଁ ନବୀନଙ୍କ ପାଇଁ କହୁଛି’ ଗାଡ଼ିର ଶୁଭାରମ୍ଭ

ଗୋଟିଏ ମିନିଟ୍‌ର ଲୋକଙ୍କ କଥାକୁ ରେକର୍ଡ଼ କରାଯିବ

ଭୁବନେଶ୍ବର: ଆଜି ବିଜେଡି କାର୍ଯ୍ୟାଳୟରେ ‘ମୁଁ ନବୀନଙ୍କ ପାଇଁ କହୁଛି’ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ବିଜେଡି ଆଇଟି ସେଲ୍ ମୁଖ୍ୟ ଅମର ପଟ୍ଟନାୟକ ଦୁଇଟି ଗାଡ଼ିର ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଗୋଟିଏ ଗାଡ଼ି ଗଞ୍ଜାମ ଗସ୍ତ କରିଥିବାବେଳେ ଆଉ ଗୋଟିଏ ଗାଡ଼ି ମୟୁରଭଞ୍ଜ ଗସ୍ତ କରିଛି। ମଙ୍ଗଳବାର ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କ ମନରେ କଣ ଧାରଣା ରହିଛି ତାକୁ ପରଖିବାକୁ ଆରମ୍ଭ କରିଛି ମୁଁ ନବୀନଙ୍କ ପାଇଁ କହୁଛି କାର୍ଯ୍ୟକ୍ରମ। ଗତମାସରେ କଳାହାଣ୍ଡି ଓ ସୁନ୍ଦରଗଡ଼ ଜିଲ୍ଲାରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନ କ୍ୟାମ୍ପସରୁ ଏହା ଆରମ୍ଭ କରାଯାଇଥିଲା। ନିର୍ବାଚନକୁ ଆଖିରେ ରଖି ତାକୁ ବ୍ୟାପକ କରିବା ପାଇଁ ବିଜେଡି ଏପରି ଉଦ୍ୟମ ଆରମ୍ଭ କରିଛି। ଏଥିପାଇଁ ୩ଟି ସ୍ବତନ୍ତ୍ର ଗାଡ଼ି ରାଜ୍ୟର ପ୍ରତି ବ୍ଲକ ବୁଲିବା ପାଇଁ ଯୋଜନା କରାଯାଇଛି।

ଶ୍ରୀ ପଟ୍ଟନାୟକ କହିଛନ୍ତି, ଓଡ଼ିଶା ସବୁବେଳେ କେନ୍ଦ୍ର ଅବହେଳାର ଶିକାର ହୋଇଆସୁଥିଲେ ବି କେବେ ବି ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ କୌଣସି କେନ୍ଦ୍ର ନେତାଙ୍କ ବିରୋଧରେ ଟିପ୍ପଣୀ କରନ୍ତିନାହିଁ। ଅନ୍ୟପକ୍ଷରେ ବିରୋଧୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଲଗାତାର ଭାବେ ଅପପ୍ରଚାର ଚଳାଇ ଆସିଛନ୍ତି। ଏହାକୁ ଭୁଲ ପ୍ରମାଣିତ କରିବାକୁ ଲୋକଙ୍କ ମତାମତ ଦେବାକୁ ଏପରି ସୁଯୋଗ ସୃଷ୍ଟି କରାଯାଇଛି। ଯେ କୌଣସି ବ୍ୟକ୍ତି ଗାଡ଼ି ପାଖରେ ଥିବା କିଓସ୍କକୁ ଆସି ଗୋଟିଏ ମିନିଟ ପାଇଁ ଭାଷଣ ଦେଇପାରିବେ। ଆଉ ସମ୍ପୃକ୍ତ ବ୍ୟକ୍ତିର ଭାଷଣକୁ ମଧ୍ୟ ରେକର୍ଡ଼ କରାଯିବା। ନବୀନଙ୍କ ପ୍ରତି ଲୋକଙ୍କ ଭାବନା କଣ ରହିଛି ତାକୁ ଏହି କାର୍ଯ୍ୟକ୍ରମ ଜରିଆରେ ପରଖାଯିବ। ଯୁବ ବିଜେଡି ସଭାପତି ଅମରେଶ ପତ୍ରିଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର, ରାଜ୍ୟ ସମ୍ପାଦକ ବିଜୟ ନାୟକ, ଛାତ୍ର ବିଜେଡି ସଭାପତି ରାଣା ପ୍ରତାପ ପାତ୍ରଙ୍କ ସମେତ ବହୁ ମହିଳା ବିଜେଡି କର୍ମୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର