ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ କଟାକ୍ଷ : କିଏ ଖୁସି ଜଣାପଡ଼ିବ

ବଲାଙ୍ଗୀର/କଣ୍ଟାବାଞ୍ଜି : ବଲାଙ୍ଗୀରର କଣ୍ଟାବାଞ୍ଜିରେ ଆୟୋଜିତ ବିଜେପିର ଓବିସି ମହାସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ମୁଖ୍ୟମନ୍ତ୍ରୀ ଏବେ ଯୁଆଡ଼େ ଗଲେ ପଚାରୁଛନ୍ତି -ଆପଣ ମାନେ ଖୁସି ତ। କିଏ ଖୁସି ଅଛି ତାହା ଆଗାମୀ ନିର୍ବାଚନରେ ଜଣାପଡ଼ିବ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବଲାଙ୍ଗୀରରେ ବିଭିନ୍ନ ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ନ ହେବା ବିଶେଷକରି ଲୋୟର ସୁକତେଲ କାମ ବନ୍ଦ ପଡ଼ିବା ନେଇ ରାଜ୍ୟ ସରକାର ଓ ସ୍ଥାନୀୟ ସାଂସଦ କଳିକେଶ ନାରାୟଣ ସିଂହଦେଓଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ, ଅପର ଲାନ୍ଥ, ଲୋୟର ଇନ୍ଦ୍ର, ଲୋୟର ସୁକତେଲ ପ୍ରକଳ୍ପ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ଆରମ୍ଭ ହୋଇଥିଲା। କିନ୍ତୁ ଏଯାଏଁ ବଲାଙ୍ଗୀର ଜିଲ୍ଲାରେ ପାଣି ମାଡ଼ିନାହିଁ। ପାଇପରେ ବି ପିଇବା ପାଣି ଆସୁ ନାହିଁ। ୧୯ ବର୍ଷ ଶାସନରେ ମୁଖ୍ୟମନ୍ତ୍ରୀ ରହିବା ପରେ ଯେ ପାଣି ମୁନ୍ଦିଏ ପିଇବାକୁ ଦେଇପାରୁ ନାହାନ୍ତି, ଜମିକୁ ପାଣି ଦେଇପାରୁ ନାହାନ୍ତି, ସେ କହୁଛନ୍ତି, ମୁଁ ସରକାର ଚଳାଉଛି, ଆପଣମାନେ ଖୁସି ତ?

ଗତ ୫ ବର୍ଷ ମଧ୍ୟରେ ବଲାଙ୍ଗୀର ଜିଲ୍ଲାର ମୌଳିକ ସମସ୍ୟା ଉପରେ ସଂସଦରେ ଏଠାକାର ସାଂସଦ ପ୍ରଶ୍ନ ଉଠାଇ ନାହାନ୍ତି। ବରଂ ଏଠାକାର ସମସ୍ୟା ଛାଡି ୟୁରୋ ଫାଇଟର କଥା ସେ ସଂସଦରେ ଉଠାଉଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅଭିଯୋଗ କରିଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରାମ କ୍ରିପାଲ ଯାଦବ ମଧ୍ୟ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ସେ କହିଥିଲେ ଯେ, ଆଗାମୀ ନିର୍ବାଚନ ପରେ ଡବଲ ଇଞ୍ଜିନ ସରକାର ରହିବ। ଦିଲ୍ଲୀରେ ମୋଦୀ ସରକାର ଓ ଭୁବନେଶ୍ୱରରେ ମଧ୍ୟ ବିଜେପି ସରକାର କ୍ଷମତା ଅକ୍ତିଆର କରିବ।

ସମ୍ବନ୍ଧିତ ଖବର