ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଆସନ୍ତା ଶିକ୍ଷାବର୍ଷଠାରୁ କାର୍ଯ୍ୟ କରିବ

ନଭେମ୍ବର-ଡିସେମ୍ବରରେ ପ୍ଲାଟିନମ ଜୁବୁଲି ଆୟୋଜନ ପାଇଁ ଆଲମ୍ନି ସଂଘର ପ୍ରସ୍ତୁତି

ଭୁବନେଶ୍ବର : ବଲାଙ୍ଗୀରଠାରେ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ସ୍ଥାପନ ନେଇ ରାଜ୍ୟ ସରକାରଙ୍କର କୋୖଣସି ଦ୍ବନ୍ଦ୍ବ ନାହିଁ ବୋଲି ଆଜି ଉଚ୍ଚଶିକ୍ଷା‌ ବିଭାଗ ସ୍ପଷ୍ଟ କରିଛି। ତେବେ ଚଳିତ ଶିକ୍ଷାବର୍ଷଠାରୁ ଆରମ୍ଭ ନ ହୋଇ ଆସନ୍ତା ୨୦୨୦-୨୧ ଶିକ୍ଷାବର୍ଷଠାରୁ ଏହା ଆରମ୍ଭ କରିବାକୁ ପଦକ୍ଷେପ ନିଆଯାଉଥିବା ଜଣାଯାଇଛି। ରାଜେନ୍ଦ୍ର ସ୍ବୟଂଶାସିତ କଲେଜ ଆଲମ୍ନି ଆସୋସିଏସନ (ପୁରାତନ ଛାତ୍ରସଂସଦ) ତରଫରୁ ସଭାପତି ଲଳିତ ନାୟକ ଓ ସଂପାଦକ ଅରବିନ୍ଦ ଦାସଙ୍କ ନେତୃତ୍ବରେ ଏକ ସାତଜଣିଆ ପ୍ରତିନିଧି ଦଳ ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଓ ଉଚ୍ଚଶିକ୍ଷା ଶାସନ ସଚିବ ଶାଶ୍ବତ ମିଶ୍ରଙ୍କୁ ସାକ୍ଷାତ କରି ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ନେଇ ସରକାରଙ୍କ ଘୋଷଣା କାର୍ଯ୍ୟକାରୀ କରିବାକୁ ଦାବି ଜଣାଇଥିଲେ।

ସୂଚନାଯୋଗ୍ୟ, ଗତ ୨୪ ଜାନୁଆରି ମୁଖ୍ୟମନ୍ତ୍ରୀ ତାଙ୍କ ବଲାଙ୍ଗୀର ଗସ୍ତବେଳେ ବଲାଙ୍ଗୀରଠାରେ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ସ୍ଥାପନ ନେଇ ଘୋଷଣା କରିଥିଲେ। ମାର୍ଚ୍ଚ ୨ ତାରିଖ ଏ ନେଇ ବିଧିବଦ୍ଧ ଭାବେ ଉଚ୍ଚଶିକ୍ଷା ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏ ସମ୍ପର୍କିତ ଗେଜେଟ୍ ବିଜ୍ଞପ୍ତି ମଧ୍ୟ ପରେ ପ୍ରକାଶ ପାଇଥିବା ଉଚ୍ଚଶିକ୍ଷା ସଚିବ ଶ୍ରୀ ମିଶ୍ର ସୂଚନା ଦେଇଥିଲେ। ତେବେ ସମ୍ବଲପୁର ବିଶ୍ବବିଦ୍ୟାଳୟ ଅନ୍ତର୍ଗତ ଅଞ୍ଚଳକୁ ବିଭାଜିତ କରି ବଲାଙ୍ଗୀର ଓ କଳାହାଣ୍ଡି ଠାରେ ଦୁଇଟି ବିଶ୍ବବିଦ୍ୟାଳୟ ସ୍ଥାପନ ନିମନ୍ତେ ପୃଥକ୍ ବିଜ୍ଞପ୍ତି ପ୍ରକାଶ ପାଇଥିବାରୁ ରାଭେନ୍‌ସା ଓ ଜିଏମ୍‌ ଢାଞ୍ଚାରେ ରାଜେନ୍ଦ୍ର କଲେଜକୁ ଉନ୍ନୀତ କରି ଏକକ ବିଶ୍ବବିଦ୍ୟାଳୟ କରାଯିବ ନା ପୃଥକ୍ ଆଫିଲିଏଟିଂ ବିଶ୍ବବିଦ୍ୟାଳୟ ସ୍ଥାପନ କରାଯିବ ସେ ନେଇ ଦ୍ବନ୍ଦ୍ବ ଦୂର କରିବାକୁ ଖୁବ୍‌ ଶିଘ୍ର ଏକ ସଂଶୋଧନ ସୂଚକ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣାଯାଇଛି। ଏହାଛଡ଼ା, ନୂଆ ବିଶ୍ବବିଦ୍ୟାଳୟ କାର୍ଯ୍ୟ ଆରମ୍ଭ କରିବାକୁ କୁଳପତି, କୁଳସଚିବ, ପରୀକ୍ଷା ଓ ବିତ୍ତ ନିୟନ୍ତ୍ରକ ଭଳି ଅନ୍ୟୁନ ଚାରିଗୋଟି ପ୍ରମୁଖ ପଦବିରେ ନିଯୁକ୍ତି ଦିଆଯିବା ପ୍ରକ୍ରିୟା ଚଳିତ କ୍ୟାଲେଣ୍ଡର ବର୍ଷ ଶେଷ ସୁଦ୍ଧା ଶେଷ କରାଯିବ ବୋଲି ସୂଚନା ଦିଆଯାଇଛି। ରାଜେନ୍ଦ୍ର କଲେଜରେ ମୋଟ ୭୬ ଜଣ ଅଧ୍ୟାପକଙ୍କ ମଧ୍ୟରୁ ମାତ୍ର ୩୬ ଜଣ ନିୟମିତ ଅଧ୍ୟାପକ ଥିବା ନେଇ ମନ୍ତ୍ରୀ ଓ ସଚିବଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ସେହିପରି ଚଳିତ ବର୍ଷ ୭୫ ବର୍ଷ ପୂର୍ତ୍ତି ଅବସରରେ ପୁରାତନ ଛାତ୍ରସଂସଦ ପ୍ଲାଟିନମ୍ ଜୁବୁଲି ପାଳନ କରିବାକୁ ଯାଉଥିବାରୁ କଲେଜର ବହୁ ପ୍ରତୀକ୍ଷିତ ପ୍ରେକ୍ଷାଳୟ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ଅନୁରୋଧ କରାଯାଇଥିଲା। ଉପରୋକ୍ତ ତିନୋଟି ଦାବି ତଥା ଆସନ୍ତା ନଭେମ୍ବର-ଡିସେମ୍ବରରେ ହେବାକୁ ଥିବା ପ୍ଲାଟିନମ୍ ଜୁବୁଲିର ରୂପରେଖ ବିଷୟରେ ଆଲୋଚନା ପ‌ାଇଁ ପ୍ରତିନିଧି ଦଳ ମଧ୍ୟ ଜିଲ୍ଲାର ବିଧାୟକମାନଙ୍କୁ ଭେଟିଥିଲେ। ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ଲୋଇସିଂହା ବିଧାୟକ ଡ.ମୁକେଶ ମହାଲିଙ୍ଗ ଓ କଲେଜର ପୁରାତନ ଛାତ୍ର ଏବଂ ଅତିରିକ୍ତ ଶାସନ ସଚିବ ତଥା ଉନ୍ନୟନ କମିଶନର ଅସିତ ତ୍ରିପାଠୀ ପ୍ରମୁଖଙ୍କୁ ଉକ୍ତ ପ୍ରତିନିଧି ଦଳ ସାକ୍ଷାତ କରି ସହଯୋଗ ଲୋଡ଼ିଥିଲେ। ଉକ୍ତ ପ୍ରତିନିଧିମାନେ ମଧ୍ୟ ବିଧାୟକ ତଥା ସମ୍ବାଦ ସଂପାଦକ ସୋୖମ୍ୟରଂଜନ ପଟ୍ଟନାୟକଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ଉକ୍ତ ଦଳରେ ସଭାପତି ଓ ସଂପାଦକଙ୍କ ସମେତ ବଲାଙ୍ଗୀର ସାମ୍ବାଦିକ ସଂଘର ସଭାପତି ହରିନାରାୟଣ ପୂଜାରୀ, ନାଗରିକ ସଂଘ ସଂପାଦକ ବିଷ୍ଣୁପ୍ରସାଦ କେଡ଼ିଆ, ଆଇନଜୀବୀ ରତନ ମହାରଣା, ବରିଷ୍ଠ ସାମ୍ବାଦିକ ମନୋରଂଜନ ଯୋଷୀ ଓ ଶିଳ୍ପଦ୍ୟୋଗୀ ପ୍ରଭାସ ପାଣିଗ୍ରାହୀ ଯୋଗଦେଇଥିଲେ। ସୂଚନାଯୋଗ୍ୟ, ପ୍ଲାଟିନମ୍ ଜୁବୁଲି ପାଇଁ ବ୍ୟାପକ ପ୍ରସ୍ତୁତି ନିମନ୍ତେ ଆସନ୍ତା ଅଗଷ୍ଟ ୧୮ ତାରିଖରେ କଲେଜ ପରିସରରେ ଆଲୁମ୍ନି ସଂଘର ସାଧାରଣ ଅଧିବେଶନ ଆୟୋଜିତ ହେବ ବୋଲି ସଂପାଦକ ଶ୍ରୀ ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର