ରାଜ୍ୟ କ୍ୟାବିନେଟ୍‌ରେ ୧୧ ପ୍ରସ୍ତାବକୁ ମଞ୍ଜୁରୀ, ଗାଡ଼ି କିଣିବା ହେବ ଶସ୍ତା

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍‌ରେ ଶନିବାର ୧୧ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୋଟର ଯାନ ଆଇନ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ସଂଶୋଧନ ପ୍ରସ୍ତାବ ଅନୁସାରେ ଏଣିକି ୩ଟି ସ୍ଲାବରେ ଟାକ୍ସ ନିଆଯିବ। ୫ ଲକ୍ଷରୁ କମ୍‌ ଦାମ୍‌ର ନୂଆଗାଡ଼ି ଉପରେ ୬ ପ୍ରତିଶତ ଟାକ୍ସ ଲାଗିବ। ୫ରୁ ୧୦ ଲକ୍ଷ ଦାମ୍‌ର ଗାଡ଼ି ଉପରେ ୮ ପ୍ରତିଶତ ଟାକ୍ସ ଲାଗିବ। ସେହିପରି ୧୦ ଲକ୍ଷରୁ ଅଧିକ ଦାମ୍‌ର ଗାଡ଼ି ଉପରେ ୧୦ ପ୍ରତିଶତ ଟାକ୍ସ ଲାଗିବ। ଏସି ବସ ଟାକ୍ସରେ ସଂଶୋଧନ କରାଯିବ। ଷ୍ଟାଣ୍ଡିଂ ପାସେଞ୍ଜରଙ୍କ ପାଇଁ ଟାକ୍ସ କମିଛି। ଫଳରେ ପୂର୍ବ ତୁଳନାରେ ଗାଡ଼ି କିଣିବା ସହଜ ହେବ। ଗ୍ରାହକ ଶସ୍ତାରେ ଗାଡ଼ି କିଣିପାରିବେ। ପୂର୍ବରୁ ୫ ପ୍ରକାର ଟାକ୍ସ ବ୍ୟବସ୍ଥା ଥିବା ବେଳେ ସଂଶୋଧିତ ପ୍ରସ୍ତାବ ଅନୁଯାୟୀ ୩ ପ୍ରକାର ଟାକ୍ସ ବ୍ୟବସ୍ଥା କରଯାଇଛି।

ରାଜ୍ୟର ୨ କୋଟିରୁ ଉର୍ଦ୍ଧ୍ୱ ଶ୍ରମଜୀବୀ ଏବଂ ତାଙ୍କ ପରିବାରର ସ୍ୱାର୍ଥରକ୍ଷା ନିମନ୍ତେ ବିଭିନ୍ନ ଶ୍ରମ ଆଇନ ଏବଂ କଲ୍ୟାଣମୂଳକ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏହା ଦ୍ୱାରା ଶ୍ରମିକମାନଙ୍କର ମଜୁରୀ, ଚାକିରି ସର୍ତ୍ତାବଳୀ, ଶିଳ୍ପସଂସ୍ଥାରେ ସୁସଂପର୍କ, ଉପକରଣ ଏବଂ ଅଣଟିକସ ରାଜସ୍ୱ ଆଦାୟ ଆଦି ସମ୍ବନ୍ଧୀତ ଶ୍ରମ ଆଇନର କଡ଼ାକଡ଼ି ପ୍ରବର୍ତ୍ତନ ସହିତ ବିଭିନ୍ନ ଶ୍ରମ ବିବାଦ ଏବଂ ଶ୍ରମିକ କ୍ଷତିପୂରଣ ଅଦାଲତର କାର୍ଯ୍ୟକାରିତା ଆଦି ଓଡ଼ିଶା ଶ୍ରମ ସେବା କ୍ୟାଡର ଅଧିକାରୀମାନଙ୍କ ମାଧ୍ୟମରେ ସମ୍ପାଦିତ କରାଯାଇଥାଏ।

‘ବସୁଧା’ ଯୋଜନାରେ ରାଜ୍ୟର ପୁରୀ ଓ ଗଞ୍ଜାମ ଜିଲ୍ଳାରେ ୨ଟି ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପକୁ ଗୋଟିଏ ପ୍ୟାକେଜରେ ଇପିସି ନିବିଦା ମାଧ୍ୟମରେ କାର୍ଯ୍ୟକାରୀ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି ପ୍ରକଳ୍ପ ଦ୍ୱାରା ୫ ଗୋଟି ବ୍ଲକ ଅଧିନରେ ୩୦୫ଟି ଗ୍ରାମର ୨,୯୦,୦୦୦ ଲୋକଙ୍କୁ ଲାଭ ମିଳିବ। ଏଥି ପାଇଁ ୩୮୭ କୋଟି ୫୯ ଲକ୍ଷ ଟଙ୍କାର ସର୍ବନିମ୍ନ ନିବିଦାକୁ ଅନୁମୋଦନ କରିଛନ୍ତି।

ଓଡ଼ିଶା ଅମଲା ସେବା(ଓଡ଼ିଶା ମୁଖ୍ୟ ବିଭାଗୀୟ ଦପ୍ତର କନିଷ୍ଠ ସହାୟକ ଓ ଉପ ବିଭାଗ ଅଧିକାରୀ ପଦବୀର ନିଯୁକ୍ତି ଓ ସର୍ତ୍ତ ପଦ୍ଧତି) ନିୟମାବଳୀ,୧୯୯୪ର ସଂଶୋଧନ କରାଯାଇଛି।

ବି.କେ.କେ.ଓ୍ଵାଇ ଧାରା-୧ରେ ସମସ୍ତ ପଞ୍ଜିକୃତ ପ୍ରତ୍ୟେକ ଚାଷୀ ପରିବାରଙ୍କୁ ୩୦,୦୦୦ ଟଙ୍କାର ସ୍ୱାସ୍ଥ୍ୟବୀମା ପ୍ରତିବର୍ଷ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଥିବା ବେଳେ କୋତୋଟି ନିର୍ଦ୍ଦିଷ୍ଟ ଅସ୍ତ୍ରୋପଚାର ଚିକିତ୍ସା ପାଇଁ ୭୦,୦୦୦ ଟଙ୍କାର ଅତିରିକ୍ତ ସ୍ୱାସ୍ଥ୍ୟ ବୀମା ଯୋଗାଇ ଦିଆଯାଉଛି।

ସ୍ୱଚ୍ଚ ଭାରତ ମିଶନ(ଗ୍ରାମୀଣ)ର ୬୦ ପ୍ରତିଶତ କେନ୍ଦ୍ର ଅଂଶ ବାବଦକୁ ୧୦୫୨.୨୬ କୋଟି କେନ୍ଦ୍ରୀୟ ସହାୟତା ପାଇଛି। ଭାରତ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁସାରେ ଭାରତ ସରକାରଙ୍କଠାରୁ ମଞ୍ଜୁର ପ୍ରାପ୍ତ ତାରିଖ ଠାରୁ ୧୫ ଦିନ ମଧ୍ୟରେ କେନ୍ଦ୍ର ଅଂଶ ସହିତ ୪୦ ପ୍ରତିଶତ ରାଜ୍ୟ ଅଂଶ କାର୍ଯ୍ୟକାରୀ ସଂସ୍ଥାକୁ ପ୍ରଦାନ କରାଯିବା ଆବଶ୍ୟକ। ତେଣୁ ସ୍ୱଚ୍ଛ ଭାରତ ମିଶନ(ଗ୍ରାମୀଣ) ବାବଦକୁ ଆର୍ଥିକ ବର୍ଷ ୨୦୧୮-୧୯ରେ ୧୦୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

ସମ୍ବନ୍ଧିତ ଖବର