ସବୁଜ ମହାନଦୀ ମିସନରେ ସ୍ଥାନୀୟ ଗ୍ରାମ ସମୁଦାୟ ସାମିଲ୍‌ ହେବେ : ଆସନ୍ତାବର୍ଷରୁ ସମସ୍ତ ପ୍ରମୁଖ ନଦୀ ଓ ଉପନଦୀ ପାଇଁ ହେବ ସବୁଜ ମିସନ୍‌

ଭୁବନେଶ୍ୱର : ମହାନଦୀ କୂଳରେ ସବୁଜିମା ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ସବୁଜ ମହାନଦୀ ମିସନ ଆରମ୍ଭ କରିଛନ୍ତି। ଏଥିପାଇଁ ୫ବର୍ଷିଆ କାର୍ଯ୍ୟ ଯୋଜନା ପ୍ରସ୍ତୁତ ହୋଇଥିବାବେଳେ ଏଥିରେ ୪୪୮କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା ହୋଇଛି। ଏହି ଯୋଜନା ଏବେ ସଫଳତାର ସହ ଆଗେଇ ଥିବାରୁ ଆସନ୍ତା ବର୍ଷରୁ ଋଷିକୂଲ୍ୟା, ବୈତରଣୀ ଓ ବ୍ରାହ୍ମଣୀ ଆଦି ପ୍ରମୁଖ ନଦୀ ସମେତ ସେମାନଙ୍କ ଉପନଦୀ କୂଳରେ ମଧ୍ୟ ଏହି ସବୁଜ ମିସନ କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ସବୁଜ ମହାନଦୀ ମିସନର କାର୍ଯ୍ୟାନ୍ଵୟନ ସମୀକ୍ଷା ବୈଠକରେ ନିଷ୍ପତ୍ତି ହୋଇଛି।

ସଚିବାଳୟରେ ଶ୍ରୀ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରୁ ଜଣାପଡ଼ିଛି ଯେ, ସବୁଜ ମହାନଦୀ ମିସନରେ ଚଳିତ ଆର୍ଥିକ ବର୍ଷରେ ୮୩୪୦.୨୫ଏକର ଜମିରେ ବୃକ୍ଷରୋପଣ ହେବ। ବର୍ତ୍ତମାନ ସୁଦ୍ଧା ୬୭୯୯.୨୫ଏକର ଜମିରେ ବୃକ୍ଷରୋପଣ ହୋଇଛି। ଏହାବାଦ୍‌ ୧୦୫୩କିମି ରାସ୍ତା ପାର୍ଶ୍ୱରେ ବୃକ୍ଷରୋପଣ ପାଇଁ ଚିହ୍ନଟ ହୋଇଥିବାବେଳେ ୮୨୮କିମି ରାସ୍ତା କଡ଼ରେ ଗଛ ଲାଗିଛି। ୯୪.୩୮ଲକ୍ଷ ଚାରା ବଣ୍ଟନ ଓ ରୋପଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବାବେଳେ ଆଜି ପର୍ଯ୍ୟନ୍ତ ୬୦.୦୧ଲକ୍ଷ ଚାରା ବଣ୍ଟନ ହୋଇଛି। ଏହି ମିସନକୁ ସଫଳ କରିବାକୁ ଏବଂ ଶତ ପ୍ରତିଶତ ଲକ୍ଷ୍ୟ ହାସଲ କରିବା ପାଇଁ ଏଥିରେ ସ୍ଥାନୀୟ ଗ୍ରାମ ସମୁଦାୟ, ବନ ସଂରକ୍ଷଣ ସମିତି, ଯୁବ ଅନୁଷ୍ଠାନଗୁଡ଼ିକୁ ସାମିଲ୍‌ କରାଯିବ। ଏହାସହ କ୍ଷେତ୍ର ସ୍ତରରେ ମହାତ୍ମା ଗାନ୍ଧୀ ନରେଗା ଏବଂ ଅନ୍ୟାନ୍ୟ ପରିବେଶ ଉନ୍ନୟନ ଯୋଜନା ସହ ସମନ୍ଵିତ କରାଯିବ। ଘରୋଇ ଜମିରେ ବୃକ୍ଷରୋପଣ ପାଇଁ ଲୋକଙ୍କ ଚାହିଦା ଅନୁସାରେ ଫଳ ଚାରା ଯୋଗାଇ ଦେବାକୁ କୁହାଯାଇଛି।

ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହି ବୈଠକରେ ସୂଚନା ଦେଇଛନ୍ତି ଯେ, ଉଦ୍ୟାନ ଚାଷ ଏବଂ ଜଳଛାୟା ପ୍ରକଳ୍ପ ମାଧ୍ୟମରେ ସବୁଜ ମହାନଦୀ ମିସନ ନିମନ୍ତେ ବୃକ୍ଷରୋପଣ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଉଦ୍ୟାନ ଚାଷ ପାଇଁ ୯୧୭ ହେକ୍ଟର ଜମି ଚିହ୍ନଟ କରାଯାଇଥିବାବେଳେ ୬୩୬ହେକ୍ଟରରେ ଫଳ ବୃକ୍ଷ ରୋପଣ ହୋଇଛି। ଜଳଛାୟା ପ୍ରକଳ୍ପରେ ୨୨୦.୧୫ ହେକ୍ଟର ଜମିରେ ବୃକ୍ଷରୋପଣ କରାଯାଇଛି। ଏହି ମିସନର କାର୍ଯ୍ୟାନ୍ଵୟନ ପାଇଁ ଚଳିତ ଆର୍ଥିକ ବର୍ଷ ନିମନ୍ତେ ୭୦କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। ପ୍ରଥମ ପର୍ଯ୍ୟାୟରେ ନଦୀ କୂଳରୁ ୧କିମି ଦୂରତା ମଧ୍ୟରେ ବ୍ୟାପକ ବୃକ୍ଷରୋପଣ କରାଯିବ। ସୂଚନାଯୋଗ୍ୟ ଯେ, ସବୁଜ ମହାନଦୀ ମିସନରେ ସହାୟକ ବନୀକରଣ, ବାଉଁଶ ଚାରା ରୋପଣ, ରାସ୍ତା ପାର୍ଶ୍ୱ ବୃକ୍ଷରୋପଣ, ସହରାଞ୍ଚଳ ବୃକ୍ଷରୋପଣ, ଘରୋଇ ଜମିରେ ବୃକ୍ଷରୋପଣ ପାଇଁ ଚାରା ବଣ୍ଟନ, ବ୍ୟାପକ ଜଳ ସଚେତନତା ସୃଷ୍ଟି ଏବଂ କାର୍ଯ୍ୟାନ୍ଵୟନର ପରିଚାଳନା ଓ ତଦାରଖ ଆଦି କାର୍ଯ୍ୟକ୍ରମ ହେବ।

ଏହି ବୈଠକରେ କୃଷି ଉତ୍ପାଦନ କମିସନର ଗଗନ କୁମାର ଧଳ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, କୃଷି ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗ, ପଞ୍ଚାୟତିରାଜ ବିଭାଗ ପ୍ରମୁଖ ସଚିବ ଦେଓ ରଂଜନ କୁମାର ସିଂହ, ସମବାୟ ବିଭାଗ ପ୍ରମୁଖ ସଚିବ ଅନୁ ଗର୍ଗଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର