ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ କେବେ ହେବ, ତାହା କାହାକୁ ଜଣାନାହିଁ। ଏବେ ବି ଅନିଶ୍ଚିତତା ଲାଗି ରହିଛି। ହେଲେ ବିଜେଡି କିନ୍ତୁ ଏହି ଉପନିର୍ବାଚନରେ ଜିମାତ୍ ଲାଗି ଦିନରାତି ଏକ କରିଦେଇଛି। ପ୍ରଥମେ ସମସ୍ତଙ୍କୁ ପଛରେ ପକାଇ ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉପନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା କରିଥିଲେ। ଦିବଂଗତ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁଙ୍କୁ ବିଜେଡି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲା। ଏବେ ବିଜେଡି ପ୍ରଚାର କ୍ଷେତ୍ରରେ ଅନ୍ୟ ସମସ୍ତଙ୍କୁ ପଛରେ ପକାଇ ଦେବା ଲାଗି କସରତ ଚଳାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଆସନ୍ତା ୨୧ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ସହିତ ବିଜେଡି ବିଜେପୁର ଦଖଲ ଲାଗି ପ୍ରଚାର କାର୍ଯ୍ୟର ଆାରମ୍ଭ କରିପାରେ। ଉଲ୍ଲେଖଯୋଗ୍ୟ ଯେ ୨୦୧୪ ବିଜେପୁର ନିର୍ବାଚନକୁ ନେଇ ଏକ ମାମଲା ହାଇକୋର୍ଟରେ ବିଚାରାଧୀନ ରହିଛି। ବିଜେଡି ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏହି ମାମଲା କରିଛନ୍ତି। ଏହି ମାମଲା କେଉଁ ମୋଡ ନେବ, ତାହା ଜଣାପଡିନାହିଁ। କହିବା ବି ମୁସ୍କିଲ୍। ଆସନ୍ତା ୧୨ ତାରିଖ ଦିନ ଏ ସଂକ୍ରାନ୍ତ ମାମଲାର ପରବର୍ତୀ ଶୁଣାଣି ରହିଛି।
ହେଲେ ଏହି ଆସନ ଦଖଲ ଲାଗି ଏବେଠାରୁ ରାଜନୈତିକ ଦଳ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି। କଂଗ୍ରେସ ଏ ଦୌଡ଼ରେ ପଛରେ ପଡିଥିବା ବେଳେ ବିଜେଡି-ବିଜେପି ପରସ୍ପରକୁ ମାତ୍ ଦେବା ଲାଗି କୌଣସି ସୁଯୋଗ ହାତଛଡ଼ା କରିବାକୁ ଚାହୁଁନାହାନ୍ତି। ଅନ୍ୟ କିଏ ଆଡ୍ଡା ଜମାଇବା ପୂର୍ବରୁ ବିଜେଡି ଲୋକଙ୍କ ମନକୁ ଧରିବା ଲାଗି ଆଗତୁରା ବିଜେପୁରରେ ଘଣ୍ଟାଚକଟା କରିବା ଲାଗି ଚିନ୍ତା କରୁଛି।
ଏହାକୁ ତ୍ୱରାନ୍ଵିତ କରିବା ଲାଗି ଗୋଟିଏ ପଟେ ବିଜେଡି ତାର ଶକ୍ତି ଗୋଟାଇବା କାର୍ଯ୍ୟକ୍ରମ ଜାରି ରଖିଛି। ନିକଟରେ ବିିଜେପୁର ଏନ୍ଏସି ଅଧ୍ୟକ୍ଷାଙ୍କ ସମେତ ୮ଜଣ ବିଜେଡିରେ ଯୋଗ ଦେଇଛନ୍ତି। ଦଳ ଭିତରେ ଦେଖାଦେଇଥିବା କନ୍ଦଳକୁ ପ୍ରଶମିତ କରିବା ଲାଗି ମଧ୍ୟ କିଛି ନେତାଙ୍କୁ ଦାୟିତ୍ୱ ଦିଆଯାଇଛି। ଏମିତି ସ୍ଥିତିରେ ମୁଖ୍ୟମନ୍ତ୍ରୀ ନିଜେ ବିଜେପୁର ଯିବା ଲାଗି ଆଗ୍ରହ ଦେଖାଇଛନ୍ତି। ୨୧ ତାରିଖ ଦିନ ସେ ପ୍ରଥମେ ସମ୍ବଲପୁର ଯିବେ ଓ ସେଠାରୁ ବିଜେପୁର ଯାଇପାରନ୍ତି। ପୂର୍ବରୁ ନୂଆଦିଲ୍ଲୀରୁ ଫେରିବା ସମୟରେ ନବୀନ ବିଜେପୁର ଉପନିର୍ବାଚନ ପ୍ରଚାରରେ ଯିବେ ବୋଲି ସୂଚନା ଦେଇଥିଲେ। ନବୀନଙ୍କ ଗସ୍ତପରେ ସ୍ଥିତିରେ ଆଉ ଟିକିଏ ପରିବର୍ତନ ହେବ ବୋଲି ବିଜେଡି ଆଶା କରୁଛି।
ଅନ୍ୟପଟେ ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀଙ୍କୁ ଦଳରେ ମିଶାଇବା ଛଡା ବିଜେପି ଏବେ ସୁଦ୍ଧା ଅନ୍ୟ କୌଣସି ବଡ଼ ପଦକ୍ଷେପ ନେଇନାହିଁ। ଅଶୋକଙ୍କ ମିଶ୍ରଣ ପରେ ଦଳ ଭିତର ଅସନ୍ତୋଷକୁ ସଜାଡିବା ଲାଗି ଉଦ୍ୟମ ଚାଲିଛି। ବିଜେପିର କହିବା କଥା ହେଉଛି, ପଞ୍ଚାୟତ ନିର୍ବାଚନଠାରୁ ହିଁ ଲୋକେ ବିଜେଡି ପ୍ରତି ବିମୁଖ ହୋଇଛନ୍ତି। ପଞ୍ଚାୟତ ନିର୍ବାଚନରେ ଦଳ ଯେତିକି ଭୋଟ ପାଇଥିଲା,ଏବେ ସେତିକି ଭୋଟ ରଖିବା ପାଇଁ ଦଳ ଉଦ୍ୟମ କରିବ। ଏହାବ୍ୟତୀତ ଅଶୋକ ପାଇଥିବା ଭୋଟ ବି ବିଜେପିକୁ ମିଳିବ ବୋଲି ନେତାମାନେ ଆଶାବାନ୍ଧି ବସିଛନ୍ତି। ବିଜେପିର କହିବା କଥା ହେଉଛି, ନିର୍ବାଚନ ତାରିଖ ଘୋଷଣା ପରେ ଦଳ ପ୍ରାର୍ଥିତ୍ୱ ଓ କାର୍ଯ୍ୟକ୍ରମ ସଂପର୍କରେ ଘୋଷଣା କରିବ। ତେବେ ଅଶୋକଙ୍କୁ ଦଳ ପ୍ରାର୍ଥୀ କରିବ ନା ବିଜେପି ନେତା ନାରାୟଣ ସାହୁ ଟିକେଟ୍ ପାଇବେ, ସେ ନେଇ ଦ୍ୱନ୍ଦ୍ୱ ଦୂର ହୋଇନାହିଁ। ତେଣେ କଂଗ୍ରେସ କିନ୍ତୁ ସବୁ କ୍ଷେତ୍ରରେ ପଛରେ ପଡିଛି। କଂଗ୍ରେସର ଏକ ବଡ଼ ବ୍ୟାଙ୍କ୍କୁ ବିଜେଡି ନେଇସାରିଲାଣି। ଦଳ ତଥାପି ନିରବ ରହିଛି। ପ୍ରାର୍ଥୀ କାହାକୁ କରାଯିବ, ସେ ନେଇ ସୁପାରିସ ଲାଗି କମିଟିଟିଏ କରାଯିବା ଛଡା ଆଉ କିଛି ବି ପଦକ୍ଷେପ ନିଆଯାଇନାହିଁ।