ଖାଇଗଲେ ୧.୨୬ କୋଟିର ଅଖା

ମିଲରଙ୍କୁ ଘଣ୍ଟ ଘୋଡ଼ାଉଛି ପ୍ରଶାସନ

ଯାଜପୁର/ଟାଉନ: ଚାଷୀଙ୍କ ଅଖା ବାବଦକୁ ପାଖାପାଖି ୧.୨୫ କୋଟି ଟଙ୍କାର ଘୋଟାଲା ହୋଇଛି। ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଯାଜପୁର ଜିଲ୍ଲାର ଚାଷୀ। ଧାର୍ଯ୍ୟ ସମୟ ମଧ୍ୟରେ ଜିଲ୍ଲାର ଚାଷୀମାନେ ୧୧୦ ସମବାୟ ସମିତି ଜରିଆରେ ଧାନ ବିକିଲେ। ଚାଷୀଙ୍କଠାରୁ ନେଇଥିବା ଅଖା ଗୁଡ଼ିକ ଏଯାଏ ଫେରସ୍ତ ହେଲା ନାହିଁ କିମ୍ବା ସେହି ବାବଦରେ ଟଙ୍କା ଦେଲେ ନାହିଁ। ଏହିସବୁ ଅଖାର ମୂଲ୍ୟ ପାଖାପାଖି ୧କୋଟି ୨୫ ଲକ୍ଷ ୮୮ହଜାର ୭୦୦ଟଙ୍କା ହେବ। ଏହିପରି ଘଟଣା ୨୦୧୫-୧୬ ରେ ବି ଘଟିଥିଲା। ସେତେବେଳର ଅଖା ଟଙ୍କା ମଧ୍ୟ ଅଦ୍ୟାବଧି ଚାଷୀମାନେ ପାଇ ନଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଖରିଫ ଧାନକିଣା ୨୦୧୭ ଡିସେମ୍ବର ପହିଲାରୁ ଆରମ୍ଭ
ହୋଇ ୨୦୧୮ ଏପ୍ରିଲ୍‌ରେ ଶେଷ ହୋଇଥିଲା। ଖରିଫ ଋତୁରେ ଯେତିକି ଚାଷୀଙ୍କୁ ପଞ୍ଜୀକୃତ କରିବା କଥା ତାହା କରାଯାଇ ପାରି ନଥିବା ବେଳେ ଧାନ କିଣା ଲକ୍ଷ୍ୟ ମଧ୍ୟ ପୂରଣ ହୋଇ ପାରି ନଥିଲା। ଏହି ସମୟ ମଧ୍ୟରେ ଚାଷୀଙ୍କଠାରୁ ୬୦୭୬୦୫.୮୪ କୁଇଣ୍ଟାଲ ଧାନ କିଣାଯାଇଥିଲା। ୭୯ ହଜାର ଚାଷୀଙ୍କ ମଧ୍ୟରୁ ମାତ୍ର ୩୧ ହଜାର ୩୫୦ ଜଣ ଚାଷୀଙ୍କୁ ପଞ୍ଜୀକୃତ କରାଯାଇପାରିଥିଲା। ଯାଜପୁରର ୧୦ଟି ମଲର ୪୩୪୧୮.୦୦୯ କୁଇଣ୍ଟାଲ, ବରଗଡ଼ର ୯ଟି ମିଲର ୧୭୩୪୨.୫୭୫କୁଇଣ୍ଟାଲ ଧାନ କିଣିଛନ୍ତି। ଧାନ ବାବଦରେ ଯାଜପୁର ମିଲର ୨୯୪୯୨.୫୬୨ କୁଇଣ୍ଟାଲ ଚାଉଳ ଦେବା ସ୍ଥଳେ ମାତ୍ର ୨୫୦୨୯.୦୬୭ କୁଇଣ୍ଟାଲ ଚାଉଳ ଦେଇଛନ୍ତି। ଅବଶିଷ୍ଟ ୪୬୬୩.୪୯୫ କୁଇଣ୍ଟାଲ ଚାଉଳ ଏଯାଏ ଦେଇନାହାନ୍ତି। ସେହିପରି ବରଗଡ଼ ମିଲର ନେଇଥିବା ଧାନ ବାବଦରେ ୧୧୭୯୨.୯୫୧କୁଇଣ୍ଟାଲ ଚାଉଳ ଦେବା କଥା। କିନ୍ତୁ ୧୧୭୯୩.୦୪୯କୁଇଣ୍ଟାଲ ଚାଉଳ ଦେଇଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି। ଏପରି ସ୍ଥଳେ ପ୍ରଶାସିକ ଅଧିକାରୀମାନେ କୌଣସି ଠୋସ୍‌ ପଦକ୍ଷେପ ନେବା ପରିବର୍ତ୍ତେ ମିଲରମାନଙ୍କୁ ଘଣ୍ଟା ଘୋଡ଼ାଉଥିବା ଅଭିଯୋଗ ହେଉଛି। ୧୧୨ଟି ପ୍ୟାକ୍ସ ମଧ୍ୟରୁ ୨୦୧୭-୧୮ରେ ଖରିଫ୍‌ ଧାନ ୧୧୦ଟି ପ୍ୟାକ୍ସ ଚାଷୀଙ୍କ ଠାରୁ କିଣି ମିଲରକୁ ଦେଇଥିଲେ। ଏବାବଦରେ ଚାଷୀମାନେ ୧୨ଲକ୍ଷ ୫୮ ହଜାର ୮୭୦ଟି ଜରି ଓ ଅଖା ଦେଇଥିଲେ। ମିଲରମାନେ ଝୋଟ ଅଖା ସମବାୟ ସମିତି ମାଧ୍ୟମରେ ଚାଷୀଙ୍କୁ ପ୍ରଦାନ କରିବେ ଓ ଧାର୍ଯ୍ୟ ସମୟରେ ଚାଉଳ ପ୍ରଦାନ କରାଯିବ ବୋଲି ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ନିଷ୍ପତ୍ତି ହୋଇଥିଲା। ଯେଉଁ ମିଲର କିମ୍ବା କର୍ମଚାରୀ ଏଥିରେ ଅବହେଳା କିମ୍ବା ଅସହଯୋଗ କରିବେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲାପାଳ ସେତେବେଳେ ତାଗିଦ୍‌ କରିଥିଲେ। ହେଲେ ମିଲରମାନେ ସମବାୟ ସମିତିରେ ନିଜ ଅଖା ଗୁଡ଼ିକ ନଦେଇ ଚାଷୀମାନଙ୍କ ଠାରୁ ଅଖା ନେଇଗଲେ ଓ ଏବାବଦରେ ଟଙ୍କା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ସେହି ପ୍ରତିଶ୍ରୁତି ପାଳନ କରୁ ନଥିବା ବେଳେ ପ୍ରଶାସନ ମଧ୍ୟ ଏଦିଗରେ କୌଣସି ପଦକ୍ଷେପ ନେଉନାହିଁ।

ଉଲ୍ଲେଖଯୋଗ୍ୟ ଯେ, ୨୦୧୫-୧୬ ଖରିଫରେ ଜିଲ୍ଲାର ୧୨୨ଟି ସମବାୟ ସମିତି ମଧ୍ୟରୁ ୧୧୨ଟି ସମବାୟ ସମିତି ଜରିଆରେ ୧୦ଟି ମିଲରମାନଙ୍କ ସହାୟତାରେ ପାଖାପାଖି ୯ଲକ୍ଷ ୩୫ ହଜାର କ୍ୱିଣ୍ଟାଲ ଧାନ କିଣା ଯାଇଥିଲା। ଜିଲ୍ଲାରେ ୨୯ ହଜାର ୦୮ ଜଣ ଚାଷୀ ୨୫୦୨୦୩୬ଟି ଅଖାରେ ଧାନ ବିକ୍ରି କରି ଥିବାବେଳେ ଆହୁରି ଅନେକ ଚାଷୀ ଏପର୍ଯ୍ୟନ୍ତ ନିଜର ଅଖା ମୂଲ୍ୟ ପାଇ ପାରିଲେ ନାହିଁ। ସୂଚନା ଅନୁସାରେ ଧାରପୁର ସମବାୟରୁ ମହାବୀର ମିଲ୍‌ ୧୩୪୭ ପଲି ବ୍ୟାଗ, ୨୮୭୬ ଝୋଟ ବ୍ୟାଗ, କୃପାଳୁ ୧୩୧୯ ପଲି ବ୍ୟାଗ, ୧୬୭୨ ଝୋଟ, ସାବିତ୍ରୀ ୫୨୮ ପଲି, ୪୦୮ ଝୋଟ ବ୍ୟାଗର ଟଙ୍କା ପ୍ରଦାନ କରାଯାଇନାହିଁ। କୁଆଁରପୁର ସମବାୟର ୯୨୫୧ ବ୍ୟାଗର ଟଙ୍କା ମହାବୀର, ଆଶୀର୍ବାଦ ଆଗ୍ରୋର ୬୪୦୮ ବ୍ୟାଗ ଓ ସନ୍ତୁକା ଫୁଡସର ୬୪୦୧ ବ୍ୟାଗର ଟଙ୍କା ଦେବାକୁ ରହିଛି। ତଳିଆ ସମବାୟର ମହାବୀର ଆଗ୍ରୋ ୧୩୩୪୯,କୃପାଳୁ ୮୩୦୫, ଆଶୀର୍ବାଦ ଆଗ୍ରୋ ୧୬୫୭୫, ସନ୍ତୁକା ୧୨୮୨୨ ଓ ଏସଜିଏସ୍‌ ୩୯୫୧ଟି ବ୍ୟାଗର ଟଙ୍କା ଦେବାକୁ ରହିଛି। ସେହିପରି ଦଶରଥପୁର ସମବାୟ ଠାରୁ ମହାବଳୀ ମଡର୍ଣ୍ଣ ରାଇସ ମିଲ୍‌ ୧୦୭୪ଟି ବ୍ୟାଗ, ଆଶୀର୍ବାଦ ଆଗ୍ରୋ ୯୬୨୨ ଓ ସନ୍ତୁକା ୪୨୪୦ ଟି ବ୍ୟାଗର ଟଙ୍କା ବାକି ରଖିଛି। ତେବେ ସମବାୟ ପକ୍ଷରୁ ଟଙ୍କା ପାଇନଥିବା ଚାଷୀଙ୍କ ସୂଚନା ଯୋଗାଣ ବିଭାଗକୁ ପ୍ରଦାନ କରାଯାଇଥିଲେ ମଧ୍ୟ ବିଭାଗ ପକ୍ଷରୁ ଏହାକୁ ମିଲରମାନଙ୍କୁ ପ୍ରଦାନ କରାଯାଇନାହିଁ। ଫଳରେ ମହାବଳୀ ଆଗ୍ରୋ ପାଖରେ୧୪୮୪୯୫ ଟଙ୍କା ବାକି ପଡିଥିବା ବେଳେ , କୃପାଳୁ ପାଖରେ୬୪୮୪୦, ମହାବଳୀ ମଡର୍ଣ୍ଣର୍ ରାଇସ ମିଲ ପାଖରେ ୧୪୯୨୦ ଟଙ୍କା, ସାବିତ୍ରୀ ପାଖରେ ୬୭୨୦ଟଙ୍କା,ଆଶୀର୍ବାଦ ଆଗ୍ରୋ ପାଖରେ ୩୨୬୦୫୦ଟଙ୍କା, ଏସ୍‌.ଜି.ଏସ୍‌.ପାଖରେ ୩୯୫୧୦ଟଙ୍କା ଓ ସନ୍ତୁକା ଫୁଡର୍ସ ନିକଟରେ୨୩୪୬୩୦ ଅଖା ଟଙ୍କା ପଡି ରହିଛି।
ଏ ସଂପର୍କରେ ଜିଲ୍ଲା ଯୋଗାଣ ଅଧିକାରୀ ସୁରେନ୍ଦ୍ର କୁମାର ହୋତାଙ୍କୁ ପଚାରିବାରୁ ସେ କହିଲେ ଯେ ଚାଷୀମାନେ ମିଲରଙ୍କୁ ଅଖା ଦେଇଛନ୍ତି। ସେମାନେ ସେମାନଙ୍କ କଥା ବୁଝିବେ। ଏଥିରେ ଯୋଗାଣ ବିଭାଗର କୌଣସି ଭୂମିକା ନାହିଁ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର