ବଜେଟ୍‌ ତଥ୍ୟରେ ୧.୩୧ ଲକ୍ଷ ସରକାରୀ ପଦବି ଫାଙ୍କା : ଲୋକଙ୍କ ପାଖରେ ଯୋଜନାର ସୁଫଳ ପହଞ୍ଚିବ କିପରି?

ଶିକ୍ଷକ, ଡାକ୍ତର, କର୍ମଚାରୀ ଅଭାବ ଉତ୍କଟ, ୧୯ ଲକ୍ଷ ବେକାର ପଞ୍ଜୀକୃତ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କର ଗୋଟିଏ ବି ବିଭାଗ ନାହିଁ, ଯେଉଁଠି ମଞ୍ଜୁରୀପ୍ରାପ୍ତ ସଂଖ୍ୟକ କର୍ମଚାରୀ ପୂରା ରହିଛନ୍ତି। ଜିଲ୍ଲା ସ୍ତରରୁ ଆରମ୍ଭ କରି ସଚିବାଳୟରେ କର୍ମଚାରୀଙ୍କ ଅଭାବ ଉତ୍କଟ। ଏହା ସରକାରୀ କାର୍ଯ୍ୟକୁ ଘୋର ପ୍ରଭାବିତ କରୁଛି। ବିଶେଷ କରି ଶିକ୍ଷକ, ଡାକ୍ତରଙ୍କ ଅଭାବ ପ୍ରସଙ୍ଗ ନେଇ ବିଧାନସଭାର ପ୍ରତିଟି ଅଧିବେଶନ ସରଗରମ ହେଉଥିଲେ ହେଁ ନିଯୁକ୍ତି ପ୍ରଦାନ ନେଇ ସରକାରୀ ପଦକ୍ଷେପ ଆଶାନୁରୂପକ ନୁହେଁ। ବିଭାଗୀୟ କର୍ମଚାରୀ, ଅଧିକାରୀ, ଶିକ୍ଷକ, ଡାକ୍ତର ନ ଥିବାରୁ ଶିକ୍ଷା, ସ୍ୱାସ୍ଥ÷, କୃଷି, ଜଳସେଚନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର କାର୍ଯ୍ୟ ଆଗେଇ ପାରୁନାହିଁ। ଫଳରେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିକାଶ ହେଉ ବା ଲୋକ କଲ୍ୟାଣ ଯୋଜନାର ସୁଫଳ ଲୋକଙ୍କ ନିକଟରେ ପହଞ୍ଚିବା ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ। ତା’ ସହିତ ରାଜ୍ୟ କର୍ମ ନିୟୋଜନ ସଂସ୍ଥାମାନଙ୍କରେ ପଞ୍ଜୀକୃତ ବେକାର ଯୁବକ ଯୁବତୀଙ୍କ ସଂଖ୍ୟା ପାଖାପାଖି ୧୯ ଲକ୍ଷକୁ ବୃଦ୍ଧି ଘଟିବା ଉଦ୍‌ବେଗ ଖେଳାଇ ଦେଇଛି।

ଏଭଳି ସ୍ଥିତି ସରକାରଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। କର୍ମଚାରୀ ଅଭାବ ସ୍ଥିତିକୁ ଖୋଦ୍‌ ସରକାର ସ୍ୱୀକାର କରିଛନ୍ତି। ବିଧାନସଭାର ସଦ୍ୟସମାପ୍ତ ବଜେଟ୍‌ ଅଧିବେଶନରେ ଉପସ୍ଥାପିତ ‘ଓଡ଼ିଶା ବଜେଟ୍‌ ଆଟ୍‌ ଏ ଗ୍ଳାନ୍ସ’ରେ ପ୍ରଦତ୍ତ ସରକାରୀ କର୍ମଚାରୀଙ୍କ ପରିସଂଖ୍ୟାନ ଏଭଳି ସାଂଘାତିକ ସ୍ଥିତି ବୟାନ କରୁଛି। ଏହି ତଥ୍ୟ ଅନୁସାରେ ରାଜ୍ୟ ସରକାରଙ୍କ ଅଧୀନ ୪୧ଟି ବିଭାଗରେ ଗ୍ରୁପ-ଏ, ଗ୍ରୁପ୍‌-ବି, ଗ୍ରୁପ୍‌-ସି, ଗ୍ରୁପ୍‌-ଡି, ଗ୍ରାଣ୍ଟ-ଇନ୍‌-ଏଡ୍‌ ଶ୍ରେଣୀରେ ମୋଟ ୫ ଲକ୍ଷ ୮୩ ହଜାର ୨୩ଟି ମଞ୍ଜୁରୀପ୍ରାପ୍ତ ସରକାରୀ ପଦବି ରହିଛି। ସେଥିମଧ୍ୟରୁ ୪ ଲକ୍ଷ ୫୧ ହଜାର ୫୦୩ଟି ପଦବିରେ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଫାଙ୍କା ପଡ଼ିଛି ୧ ଲକ୍ଷ ୩୧ ହଜାର ୫୧୮ଟି ମଞ୍ଜୁରୀପ୍ରାପ୍ତ ପଦବି।

ଏହି ତଥ୍ୟ ଘୋଡ଼ାଇ ରଖିଛି ବାସ୍ତବ ସ୍ଥିତି, ଯାହାକି ବିଧାନସଭାରେ ଆଲୋଚନାରେ ହେଉ ବା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଜରିଆରେ ସରକାର ପରୋକ୍ଷରେ ମାନିଛନ୍ତି। ଚଳିତବର୍ଷ ମାର୍ଚ ୩୧ ତାରିଖ ସୁଦ୍ଧା ପ୍ରସ୍ତୁତ ଏହି ସରକାରୀ ତଥ୍ୟ ଅନୁଯାୟୀ ମୋଟ ୫ ଲକ୍ଷ ୮୩ ହଜାର ୨୩ଟି ମଞ୍ଜୁରୀପ୍ରାପ୍ତ ପଦବି ମଧ୍ୟରେ ୮୫୭୬୪ଟି ଅନୁଦାନପ୍ରାପ୍ତ ପଦବି ରହିଛି। ଏଥିମଧ୍ୟରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ସର୍ବାଧିକ ୨ ଲକ୍ଷ ୧୬ ହଜାର ୭୪। ନିୟମିତ ସାଙ୍ଗକୁ ଶିକ୍ଷା ସହାୟକ, ଗଣଶିକ୍ଷକ, ଠିକା ଶିକ୍ଷକ, ଅଣଶିକ୍ଷକ କର୍ମଚାରୀ ଆଦିଙ୍କୁ ନେଇ ଏତିକି ସଂଖ୍ୟକ ପଦବିଗୁଡ଼ିକୁ ମଞ୍ଜୁରି ଦେଇଛନ୍ତି ସରକାର। ସେ ପଟେ ଦେଖିଲେ, ରାଜ୍ୟରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲଗୁଡ଼ିକରେ ୬୩ ହଜାର ଶିକ୍ଷକ ଏବଂ ହାଇସ୍କୁଲଗୁଡ଼ିକର ୩୫ ହଜାର ଶିକ୍ଷକ ଏହିରୂପେ ମୋଟ ୯୮ ହଜାର ସ୍ଥାୟୀ ଶିକ୍ଷକ ପଦ ଖାଲି ପଡ଼ିଛି। ଅଧିକାଂଶ ସ୍କୁଲରେ ପ୍ରଧାନଶିକ୍ଷକ ନାହାନ୍ତିି। କିନ୍ତୁ ବଜେଟ୍‌ ତଥ୍ୟ ଅନୁଯାୟୀ ଏହି ବିଭାଗରେ ୩୦୨୯୯ଟି ପଦ ଖାଲି ପଡ଼ିଛି। ସେହିପରି ଉଚ୍ଚଶିକ୍ଷା ବିଭାଗରେ ୨୪୦୦୯ଟି ମଞ୍ଜୁରୀପ୍ରାପ୍ତ ପଦବି ଥିବା ବେଳେ ଖାଲି ପଡ଼ିଛି ୭୩୫୧ ପଦବି। ରାଜ୍ୟର ୭ଟି ସରକାରୀ ବିଶ୍ୱବିଦ୍ୟାଳୟରେ ୯୮୬ଟି ପ୍ରଫେସର ପଦବିରୁ ୪୦୫ଟି ଫାଙ୍କା। ରେଭେନ୍ସା ସରକାରୀ ବିଶ୍ୱବିଦ୍ୟାଳୟରେ ଖାଲି ପଡ଼ିଥିବା ପଦବି ସଂଖ୍ୟା ସର୍ବାଧିକ। ସରକାରୀ କଲେଜମାନଙ୍କରେ ୭୪୫ ଅଧ୍ୟାପକ ପଦବି ଖାଲି। ପ୍ରାୟ ୪୦ ପ୍ରତିଶତ ଅଧ୍ୟାପକ ପଦବି ଖାଲିଥିବାରୁ ଉଚ୍ଚଶିକ୍ଷା କ୍ଷେତ୍ରରେ ସଙ୍କଟ ଉପୁଜିିଛି।

କୃଷି ବିଭାଗର ମଞ୍ଜୁରୀପ୍ରାପ୍ତ ୧୪୫୭୬ଟି ପଦବି ମଧ୍ୟରୁ ୫୪୬୨ଟି ଖାଲି। ଏହାର ଅର୍ଥ ପାଖାପାଖି ୩୫ ପ୍ରତିଶତ ପଦବି ଫାଙ୍କା ପଡ଼ିଛି। ଗୃହ ବିଭାଗ ଅଧୀନରେ ୮୮୧୮୧ଟି ମଞ୍ଜୁରୀପ୍ରାପ୍ତ ପଦବି ମଧ୍ୟରୁ ୧୬୭୩୧ଟି ଖାଲି। ଖାଲି ପଡ଼ିଥିବା ପୁଲିସ କର୍ମଚାରୀ ପଦବି ହେଉଛି ୨୦ ପ୍ରତିଶତ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରେ ୨୫୫୧୮ଟି ପଦବିକୁ ସରକାର ମଞ୍ଜୁରି ଦେଇଛନ୍ତି। କିନ୍ତୁ ଏହି ବିଭାଗରେ ଖାଲି ପଡ଼ିଛି ୭୩୯୦ ପଦବି। ସେହିପରି ପୂର୍ତ୍ତ ବିଭାଗରେ ୩୪୮୦ଟି, ଜଳସଂପଦ ବିଭାଗରେ ୬୧୫୮ଟି, ମତ୍ସ୍ୟ ଓ ପଶୁ ସଂପଦ ବିକାଶ ବିଭାଗରେ ୩୯୬୫ଟି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ୧୬୦୭୧ଟି, ଜଙ୍ଗଲ ଓ ପରିବେଶ ବିଭାଗରେ ୩୫୯୦ଟି, ପଞ୍ଜାୟତିରାଜ ବିଭାଗରେ ୩୯୬୫ଟି ମଞ୍ଜୁରୀପ୍ରାପ୍ତ ପଦବି ଫାଙ୍କା। ବିଧାନସଭାର ୪୪୩ ମଞ୍ଜୁରୀପ୍ରାପ୍ତ ପଦବି ମଧ୍ୟରୁ ୧୬୩ଟି ଖାଲି। ସବୁଠାରୁ ଛୋଟ ବିଭାଗ ହେଉଛି ସାଧାରଣ ଅଭିଯୋଗ ଓ ପେନ୍‌ସନ୍‌ ପ୍ରଶାସନ, ଯେଉଁଠି ୩୯ଟି ମଞ୍ଜୁରୀପ୍ରାପ୍ତ ପଦବି ମଧ୍ୟରୁ ଖାଲି ପଡ଼ିଛି ୭ଟି ପଦବି।

ରାଜ୍ୟରେ ଏଲୋପ୍ୟାଥିକ, ଅବସରପ୍ରାପ୍ତ, ଆୟୁଷ ଡାକ୍ତରଙ୍କୁ ମିଶାଇ ମୋଟ ୬୫୩୬ଟି ଡାକ୍ତର ପଦବି ରହିଛି। ସେଥିମଧ୍ୟରୁ ୨୯୨୮ ଅର୍ଥାତ୍‌ ପ୍ରାୟ ୪୦ ପ୍ରତିଶତ ଡାକ୍ତର ପଦ ଖାଲି। ୧୫୭ଟି ବ୍ଲକ୍‌ରେ ବିଡିଓ ନାହାନ୍ତି। ରାଜ୍ୟର ମୋଟ ୬୮୦୦ ପଞ୍ଚାୟତରେ ୨ ହଜାରରୁ ସାମାନ୍ୟ ଅଧିକ ରାଜସ୍ୱ ନିରୀକ୍ଷକ ରହିଛନ୍ତି। ରାଜ୍ୟରେ ୫୬୬ଜଣ ବଡ଼ ବଡ଼ିଆ ଆଇଏଏସ୍‌, ଆଇପିଏସ୍‌, ଆଇଏଫ୍‌ଏସ୍‌ ଅଧିକାରୀ ପଦବି ରହିବା କଥା। ମାତ୍ର ଅଛନ୍ତି ୩୩୬ଜଣ। ସେଥିମଧ୍ୟରୁ ପୁଣି ୫୫ଜଣ ଡେପୁଟେସନରେ ଯାଇଥିବା ବେଳେ ୩ଜଣ ଛୁଟିରେ। ଉଭୟ କେନ୍ଦ୍ର ଓ ରାଜ୍ୟ ଯୋଜନା ସଂଖ୍ୟା ବୃଦ୍ଧି ପାଇବା ସାଙ୍ଗକୁ କାର୍ଯ୍ୟଭାର ବହୁଗୁଣିତ ହେଉଛି। ଏଣୁ ବହୁସଂଖ୍ୟକ ନୂଆ ପଦବି ସୃଷ୍ଟି ପାଇଁ ଚାହିଦା ଦେଖାଦେଲାଣି। କିନ୍ତୁ ନୂଆ ପଦବି ସୃଷ୍ଟି କରିବା ଦୂରର କଥା, ମଞ୍ଜୁରୀପ୍ରାପ୍ତ ୧.୩୧ ଲକ୍ଷ ସରକାରୀ କର୍ମଚାରୀ ପଦବି ଖାଲି। ଏହା ଫଳରେ ଯୋଜନାଗୁଡ଼ିକ କିପରି କାର୍ଯ୍ୟକାରୀ ହେବ, ତା’ର ସୁଫଳ କିପରି ଲୋକଙ୍କ ପାଖରେ ପହଞ୍ଚିବ ତାହା ଚିନ୍ତାର ବିଷୟ। ଦୀର୍ଘଦିନ ଧରି ଜିଲ୍ଲା ସ୍ତରରେ କର୍ମଚାରୀ ଅଭାବ କାର୍ଯ୍ୟ କ୍ଷେତ୍ରକୁ ପ୍ରଭାବିତ କରୁଛି। ଯେ କୌଣସି ଜିଲ୍ଲା ପ୍ରଶାସନରେ ଏ ନେଇ ଦୟନୀୟ ପରିସ୍ଥିତି ବାରି ହେଉଛି। ରାଜ୍ୟସ୍ତରରେ ସଚିବାଳୟ, ବିଭାଗୀୟ ମୁଖ୍ୟମାନଙ୍କ କାର୍ଯ୍ୟାଳୟ, ନିର୍ଦେଶାଳୟର ସ୍ଥିତି ଅନୁରୂପ। ଏଣୁ, ଆଗାମୀ ଦିନରେ ସରକାରୀ ସ୍ତରରେ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ଵିତ ନକଲେ, ପରିସ୍ଥିତି ଆହୁରି ବିଗିଡ଼ିଯିବାର ଆଶଙ୍କାକୁ ଏଡ଼ାଇ ହେବନାହିଁ।

ସମ୍ବନ୍ଧିତ ଖବର