ଦେଢ଼ ବର୍ଷ ପରେ ପୋଖରୀରୁ କଙ୍କାଳ

ଦୁଇଟି ଅଖା ବ୍ୟାଗ୍‌ରେ ବାନ୍ଧି ଫିଙ୍ଗା ଯାଇଥିଲା, ପାରିବାରିକ କଳହରୁ ଯୋଜନାବଦ୍ଧ ହତ୍ୟା ସନ୍ଦେହ

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା କଇଠଡ଼ା ପଞ୍ଚାୟତ ଗୁହାଳପୁର ଗ୍ରାମ ସୋଲୋ ପୋଖରୀରୁ ଆଜି ଜଣେ ନିଖୋଜ ଯୁବକଙ୍କ ଖଣ୍ଡ ବିଖଣ୍ଡିତ କଙ୍କାଳ ମିଳିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକ ହେଉଛନ୍ତି, ଗୁହାଳପୁର ଗ୍ରାମର କାଳୁ ପ୍ରଧାନ (୩୭)। ଗତ ଦେଢ ବର୍ଷ ହେଲା ସେ ନିଖୋଜ ଥିଲେ। ଆଜି ସକାଳେ ଗାଁ ପୋଖରୀ ସଫେଇ ଓ ପଙ୍କୋଦ୍ଧାର କାମ ଚାଲିଥିବା ବେଳେ ଦୁଇଟି ଅଖା ବ୍ୟାଗ ମିଳିଥିଲା। ଗୋଟିଏ ବ୍ୟାଗରୁ ରକ୍ତଦାଗ ଥିବା ସାର୍ଟ ସହ ଗୋଡ଼ର କଙ୍କାଳ ଏବଂ ଆଉ ଗୋଟିଏ ଅଖା ବ୍ୟାଗରୁ ଖପୁରୀ ଓ ପଞ୍ଜରା ହାଡ଼ ଦେଖିବାକୁ ମିଳିଥିଲା। ଶ୍ରମିକ ମାନେ କାମ ବନ୍ଦ କରିଥିଲେ। ଦିଗପହଣ୍ଡି ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପରେ ତାହା ଦେଢ ବର୍ଷ ତଳୁ ନିଖୋଜ କାଳୁଙ୍କ କଙ୍କାଳ ବୋଲି ପରିବାରବର୍ଗ ଚିହ୍ନଟ କରିଥିଲେ। ମୃତକ କାଳୁଙ୍କ ପତ୍ନୀ ସୁଲଭଙ୍କ ଏତଲା ଆଧାରରେ କେସ ନମ୍ବର ୨/୧୯ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ତେବେ ଅଖାରେ ବନ୍ଧା ହୋଇ ପୋଖରୀରେ ଫିଙ୍ଗା ହୋଇଥିବାରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହେଉଛି। କଙ୍କାଳ ହାଡ଼ ଜବତ କରି ବ୍ରହ୍ମପୁର ବଡ଼ମେଡିକାଲ ଏଫଏମଟିକୁ ପଠାଯାଇଛି। ରିପୋର୍ଟ ମିଳିଲେ କାରଣ ସ୍ପଷ୍ଟ ହେବ ବୋଲି ଥାନା ଅଧିକାରୀ ଗୌରାଙ୍ଗ ଚରଣ ସାହୁ କହିଛନ୍ତି। ତେବେ ଏହି ଘଟଣା ପରେ କାଳୁଙ୍କ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି। କାଳୁଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି।

ସମ୍ବନ୍ଧିତ ଖବର