‘ଏମ୍‌ଏସ୍‌ଏମ୍‌ଇ ବିଭାଗ ହିଁ ବେକାରି ଦୂର କରିପାରିବ’

ଭୁବନେଶ୍ୱର :ରାଜ୍ୟ ସାମଗ୍ରିକ ଘରୋଇ ଉତ୍ପାଦ (ଜିଏସ୍‌ଡିପି)କୁ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ) ବିଭାଗର ଅବଦାନ ପ୍ରାୟ ୩୮ ପ୍ରତିଶତ। ତେବେ ବିଭାଗର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ହେଉଛି ବେକାରି ଦୂରୀକରଣ। ଲକ୍ଷ ଲକ୍ଷ ବେକାର ଯୁବକ ଯୁବତୀଙ୍କ ପାଇଁ ତାଙ୍କ ବିଭାଗ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିଛି ବୋଲି ବିଭାଗୀୟ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହି ବିଭାଗର ସମୀକ୍ଷା ପରେ ବିଭାଗୀୟ ସଫଳତା ଗଣମାଧ୍ୟମ ଆଗରେ ବଖାଣିଥିଲେ ବିଭାଗୀୟ ମନ୍ତ୍ରୀ ଶ୍ରୀ ସାମଲ। ସେ କହିଲେ, ଜାତୀୟ ବ୍ୟାଙ୍କମାନେ ଏହି କ୍ଷେତ୍ର ଅଧୀନ ବିଭିନ୍ନ ଯୋଜନାରେ ବେକାର ଯୁବକ ଯୁବତୀଙ୍କୁ ଋଣ ଦେବାକୁ ଆଗ୍ରହୀ ନୁହନ୍ତି। ସେମାନେ ବନ୍ଧକ ଲୋଡ଼ୁଛନ୍ତି। ଏ କ୍ଷେତ୍ରରେ ଓଡ଼ିଶା ରାଜ୍ୟ ଅର୍ଥ ଲଗାଣକାରୀ ନିଗମ(ଓଏସ୍‌ଏଫ୍‌ସି)ର ବଡ଼ ଭୂମିକା ରହିଛି। କିନ୍ତୁ ଏହି ନିଗମ ରୁଗ୍ଣ। ଏହାର ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲୋଡ଼ିବେ ବୋଲି ସେ କହିଥିଲେ। ଏହି ନିଗମ ପକ୍ଷରୁ ୨୮୨୨୨ଜଣଙ୍କୁ ୧୩ ହଜାର କୋଟିରୁ ଅଧିକ ଟଙ୍କାର ଋଣ ଦିଆଯାଇଥିଲା। ସେମାନଙ୍କ ମଧ୍ୟରୁ ୧୯୮୧୫ଜଣ ଋଣ ପରିଶୋଧ କରିସାରିଛନ୍ତି। ଆଉ ପ୍ରାୟ ୮ ହଜାର ଋଣ ଖିଲାପି ୩୭୦୭ କୋଟିର ଋଣ ଦେଇନଥିବା ସେ କହିଥିଲେ।

ମନ୍ତ୍ରୀଙ୍କ ସୂଚନାନୁସାରେ ତାଙ୍କ ବିଭାଗ କାର୍ଯ୍ୟକ୍ରମ ଜରିଆରେ ମୋଟ ୧୩.୨୦ ଲକ୍ଷ ନିଯୁକ୍ତି ସୃଷ୍ଟି କରାଯାଇଛି। ଗତ ଚାରିବର୍ଷରେ ରାଜ୍ୟରେ ୧୦୩୨୦ କୋଟି ବିନିଯୋଗରେ ୧ ଲକ୍ଷ ୯୭ ହଜାର ୭୨୭ଟି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଗଢ଼ିଉଠିଛି। ସେହି ଉଦ୍ୟୋଗ ସୃଷ୍ଟି କରିଛି ପ୍ରାୟ ୫.୯୬ ଲକ୍ଷ ସଂଖ୍ୟକ ନିଯୁକ୍ତିି। ପିଏମ୍‌ଇଜିପି ଜରିଆରେ ୧.୯୯ ଲକ୍ଷ ନିଯୁକ୍ତି ସୃଷ୍ଟି କରାଯାଇଛି। ୨୦୧୪-୧୫ଠାରୁ ୮୯୮ଟି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକୁ ୧୧୮.୮୨ କୋଟିର ପ୍ରୋତ୍ସାହନ ଦିଆଯାଇଛି।

ସବୁଠାରୁ ଉଲ୍ଲେଖନୀୟ ସଫଳତା ହେଉଛି ରାଜ୍ୟରୁ ଗତ ଚାରିବର୍ଷରେ ୨୪୫ ପ୍ରତିଶତ ରପ୍ତାନୀ ବୃଦ୍ଧି। ୨୦୧୪-୧୫ରେ ୧୯୦୮୨ କୋଟିର ରପ୍ତାନୀ କାରବାର ହୋଇଥିବା ବେଳେ ୨୦୧୭-୧୮ ବେଳକୁ ଏହା ୪୭୯୫୮ କୋଟିରେ ପହଞ୍ଚିଛି। ଦେଶରେ ଓଡ଼ିଶାର ରପ୍ତାନୀ ଅଭିବୃଦ୍ଧି ସର୍ବାଧିକ। ଫଳରେ ଓଡ଼ିଶା ଚାମ୍ପିୟନ୍‌ ରାଜ୍ୟ ଭାବେ ବିବେଚିତ ହୋଇଛି। ଏହି ପରିପ୍ରେକ୍ଷୀରେ ରପ୍ତାନୀ ଭବନ ନିର୍ମାଣକୁ ତ୍ୱରାନ୍ଵିତ କରାଯାଉଥିବା ମନ୍ତ୍ରୀ କହିଥିଲେ। ଅନ୍ୟପକ୍ଷରେ ବିଭାଗ ନିକଟରେ ଗ୍ରାମୋଦ୍ୟାଗ ଭବନ ନିର୍ମାଣର କୌଣସି ପ୍ରସ୍ତାବ ନାହିଁ ବୋଲି ମନ୍ତ୍ରୀ କହିବାରୁ ଏହା ବିସ୍ମୟ ସୃଷ୍ଟି କରିଥିଲା। ରାୟଗଡ଼ାରେ ଏମ୍‌ଆଇଟିଏସ୍‌ ମେଗା ଫୁଡ୍‌ ପାର୍କ କାର୍ଯ୍ୟକ୍ଷମ ହୋଇଛି। ଡେରାସ ଫୁଡ୍‌ ପାର୍କ ଆଗେଇଛି। ଫେସ୍‌ବୁକ୍‌ ମାଧ୍ୟମରେ ୩୩୦୦ ଅଣୁ ଉଦ୍ୟୋଗୀ ତଥା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଡିଜିଟାଲ୍‌ ତାଲିମ ପ୍ରଦାନ କରାଯାଇଥିବା ମନ୍ତ୍ରୀ ଶ୍ରୀ ସାମଲ ପ୍ରକାଶ କରିଥିଲେ। ସମ୍ମିଳନୀରେ ବିଭାଗୀୟ ଅତିରିକ୍ତ ମୁଖ୍ୟ ସଚିବ ଲକ୍ଷ୍ମୀନାରାୟଣ ଗୁପ୍ତା ବିଭାଗ ସଂପର୍କରେ ବିଭିନ୍ନ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର