ଲକ୍‌ଡାଉନ୍‌ ସମୟରେ ଗୃହ ନିର୍ମାଣ କାମ କରାଉଥିବା ଅଭିଯୋଗରେ ଠିକାଦାର ଗିରଫ

ରାଉରକେଲା: କରୋନାର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନୁରୋଧରେ ସାରା ଦେଶ ଲକ୍‌ଡାଉନ୍‌ରେ ରହିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାର ହାତୀବାରି ଥାନା ଅଞ୍ଚଳରେ ଘର ନିର୍ମାଣ କାମ କରି ଜଣେ ଠିକାଦାର ଗିରଫ ହୋଇଥିବାର ଖବର ମିଳିଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ନୂଆଗାଁ ବ୍ଲକ୍‌ରେ ଅବଦୁଲ ସାମନ ଖାନ୍ ନାମକ ପଶ୍ଚିମବଙ୍ଗର ଜଣେ ଠିକାଦାର ସେହି ଅଞ୍ଚଳରେ ଏକ ଗୃହ ନିର୍ମାଣ କାମ କରୁଥିଲେ। ଦେଶରେ ଲକ୍‌ଡାଉନ୍‌ ଘୋଷଣା ହେବା ପରେ ଅବଦୁଲଙ୍କୁ ଏହି କାମ ବନ୍ଦ ରଖିବାକୁ ନୂଆଗାଁ ଫାଣ୍ଡି ଅଧିକାରୀ ତାଗିଦ୍ କରିଥିଲେ।

କିନ୍ତୁ ସେ ସେହି କଥାକୁ ଅବମାନନା କରି ଗତକାଲି ରାତି ପ୍ରାୟ ୯ଟା ବେଳେ ନୂଆଗାଁ ଅଞ୍ଚଳର ଗୋଆଲା ଖଟାଲ ବସ୍ତିରେ ରହୁଥିବା ଦେବରାଜ ସାହୁଙ୍କ ଘର ଛାତର ଢଳେଇ କାର୍ଯ୍ୟ କରାଉଥିଲେ। ଏଥିରେ ୪୦ରୁ ଅଧିକ ଶ୍ରମିକଙ୍କୁ ନିୟୋଜିତ କରିଥିଲେ ଠିକାଦାର ଅବଦୁଲ ସାମଦ ଖାନ୍। ଏହା ଜଣାଯିବା ପରେ ଉକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲାl

ଖବର ପାଇ ହାତୀବାରି ପୁଲିସ୍ ସେଠାରେ ପହଞ୍ଚି କାମ ବନ୍ଦ କରିଥିଲା। ପୁଲିସ୍ ଅବଦୁଲଙ୍କୁ ଗିରଫ କରିବା ସହିତ ଢଳେଇ କାର୍ଯ୍ୟରେ ବ୍ୟବହୃତ ସାମଗ୍ରୀ ସମେତ ମିକ୍ସଚର ମେସିନକୁ ଜବତ କରିଥିଲା। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବାର ସୂଚନା ମିଳିଛି।

ସମ୍ବନ୍ଧିତ ଖବର