ଗୋଷ୍ଠୀ ସ˚ଘର୍ଷରେ ପୂର୍ବତନ ସରପଞ୍ଚଙ୍କ ପୁଅ ମୃତ, ଦୁଇ ଗୋଷ୍ଠୀର ୮ ଗୁରୁତର

ଇଚ୍ଛାପୁର ଗାଁରେ ପୁଲିସ ଛାଉଣି

ପୋଲସରା : ରାଜନୈତିକ ଶତ୍ରୁତା ଓ ପୂର୍ବ ବିବାଦକୁ କେନ୍ଦ୍ର କରି ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଇଚ୍ଛାପୁର ଗ୍ରାମରେ ଘଟିଛି ଗୋଷ୍ଠୀ ସ˚ଘର୍ଷ। ଏଥିରେ ପୂର୍ବତନ ସରପଞ୍ଚ ଦଣ୍ତପାଣି ନାୟକଙ୍କ ପୁଅ ସୁଶାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଉଭୟ ପକ୍ଷର ୮ ଜଣ ଆହତ ହୋଇଛନ୍ତି। ପୁଲିସ ଘଟଣାସ୍ଥଳରୁ ୪ଟି ବାଇକ୍‌, ବୋମା, ଖଣ୍ତା ଆଦି ଜବତ କରିଛି। ଏହା ପରେ ଇଚ୍ଛାପୁର ଗାଁ ଜନଶୂନ୍ୟ ହୋଇଯାଇଛି। ଅତିରିକ୍ତ ଏସ୍‌ପି ଓ ୪ ଥାନା ଅଧିକାରୀ ଫୋର୍ସ ସହ ଗାଁରେ ଡେରା ପକାଇଛନ୍ତି। ୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ଗଞ୍ଜାମ ଏସ୍‌ପି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ସୂଚନା ଅନୁଯାୟୀ, ପୋଲସରାଠାରୁ ୨୨କମି ଦୂର ପାଣ୍ତିରିପଡ଼ା ପଞ୍ଚାୟତର ଇଚ୍ଛାପୁର ଗ୍ରାମ‌ର ଦଣ୍ତପାଣି ନାୟକ ପୂର୍ବରୁ ପାଣ୍ତିରିପଡ଼ା ସରପଞ୍ଚ ଥିଲେ। ଗୋଟିଏ ନିର୍ବାଚନରେ ଦଣ୍ତପାଣି ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ। ସେତେବେଳେ ସେହି ଗ୍ରାମର ପୂର୍ଣ୍ଣ ନାୟକ ତାଙ୍କୁ ବିରୋଧ କରିଥିଲେ। ଏହାପରେ ଏହି ପଞ୍ଚାୟତରେ ପୂର୍ଣ୍ଣ ନାୟକ ଏବ˚ ଦଣ୍ତପାଣି ନାୟକଙ୍କ ସମର୍ଥକ ଦୁଇ ଗୋଷ୍ଠୀରେ ପରିଣତ ହୋଇଥିଲେ। ଅଧିକା˚ଶ ସମୟରେ ଏହି ଦୁଇ ଗୋଷ୍ଠୀ ମଧ୍ୟରେ କନ୍ଦଳ ଲାଗି ରହୁଥିଲା। ଆଉ ଗତ ୧୦ ବର୍ଷରୁ ଉର୍ଧ୍ବ ହେବ ଇଚ୍ଛାପୁର ଗ୍ରାମରେ ଅଶାନ୍ତି ଲାଗିରହିଥିଲା। ଗତ ପଞ୍ଚାୟତ ନିର୍ବାଚନ ବେଳେ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ତଗୋଳ ଘଟିବା ସହିତ ଥାନାରେ ଅଭିଯୋଗ ହୋଇଥିଲା। ଗତକାଲି ରାତି ୯ଟା ବେଳେ ଉପେନ୍ଦ୍ର ବେହେରା ନାମକ ଜଣେ ଯୁବକ ଦ୍ରୁତ ଗତିରେ ବାଇକ୍‌ ଚଲାଉଥିଲା ବେଳେ ପୂର୍ଣ୍ଣଙ୍କ ପୁଅ ରଙ୍କ ନାୟକ ଏତେ ଜୋରରେ କାହିଁକି ବାଇକ୍‌ ଚଳାଉଛ, ଦୁର୍ଘଟଣା ଘଟିବ ବୋଲି କହିବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ତ ହୋଇଥିଲା। ଉପେନ୍ଦ୍ର ଯାଇ ଘଟଣା ସମ୍ପର୍କରେ ଦଣ୍ତପାଣିଙ୍କ ପୁଅ ସୁଶାନ୍ତଙ୍କୁ କହିଥିଲେ। ସୁଶାନ୍ତ ଏଥିରେ ରାଗି ୪ଟି ମୋଟର ସାଇକେଲ୍‌ରେ ନିଜ ସହଯୋଗୀଙ୍କୁ ଧରି ପୂର୍ଣ୍ଣଙ୍କ ଘର ସମ୍ମୁଖକୁ ଯାଇଥିଲେ। ପୂର୍ଣ୍ଣ ଘର ଗୋଟିଏ ସାହିରେ ହୋଇଥିବା ବେଳେ ଦଣ୍ତପାଣିଙ୍କ ଘର ଅନ୍ୟ ସାହିରେ। ସେଠାରେ ଉଭୟ ଗୋଷ୍ଠୀ ମଧ୍ୟରେ ସ˚ଘର୍ଷ ଆରମ୍ଭ ହୋଇ ଯାଇଥିଲା। ସ˚ଘର୍ଷରେ ୯ଜଣ ଆହତ ହୋଇଥିଲେ। ଘଟଣା ପରେ ଗ୍ରାମର ଲୋକମାନେ ପୁଲିସ ଏବ˚ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ୧୦୮ ଦୁଇଟି ଆମ୍ବୁଲାନ୍ସ ଅଲଗା ଅଲଗା ହୋଇ ଯାଇଥିଲା। ଗ୍ରାମରେ ଦୁଇଗୋଷ୍ଠୀ ଆତଙ୍କରାଜ ଚଳାଇଥିବାରୁ ମହିଳାମାନେ ଆମ୍ବୁଲାନ୍ସକୁ ଅଟକାଇ ରଖିଥିଲେ। ପୁଲିସ ଆସିଲେ ଆମ୍ବୁଲାନ୍ସ ଛାଡିବୁ ବୋଲି ଜିଦ୍‌ ଧରିଥିଲେ। ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ବୁଝାସୁଝା କରି ଆହତମାନଙ୍କୁ ପୋଲସରା ଡାକ୍ତରଖାନାକୁ ପଠାଇବା ବନ୍ଦୋବସ୍ତ କରିଥିଲା। ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଥିବା ସୁଶାନ୍ତ ନାୟକ, ପ୍ରମୋଦ ନାୟକ, ଉପେନ୍ଦ୍ର ବେହେରା ଓ ପୂର୍ଣ୍ଣ ନାୟକଙ୍କୁ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠା ଯାଇଥିଲା। ତେବେ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସୁଶାନ୍ତଙ୍କ ମୃତ୍ୟୁ ଘଟିଥିଲା। ୯ଜଣଙ୍କ ମଧ୍ୟରେ ଅନ୍ୟ ୫ଜଣ କେଉଁଠି ଚିକିତ୍ସିତ ହେଉଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡ଼ିନାହିଁ। ପୋଲସରା ଥାନାରେ କୌଣସି ପକ୍ଷରୁ ଏତଲା ହୋଇନାହିଁ। ସୁଶାନ୍ତଙ୍କ ଶବ ବଡ଼ ମେଡିକାଲରେ ବ୍ୟବଚ୍ଛେଦ ପରେ ପୁଲିସ ତାଙ୍କ ପରିବାରକୁ ହସ୍ତାନ୍ତର କରିଛି। ପୋଲସରା ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ, ଛତ୍ରପୁର ଅତିରିକ୍ତ ଏସ୍‌ପି ସୀତାରାମ ଶତପଥୀ, ଛତ୍ରପୁର ଆଇଆଇସି ପ୍ରିୟାଂଶୁ ଛୋଟରାୟ, ବୁଗୁଡ଼ା ଆଇଆଇସି ସିତାଂଶୁ ମାନ୍ଧାତା, କବିସୂର୍ଯନଗର ଆଇଆଇସି ତପନ ପତି ଗ୍ରାମରେ ଡେରା ପକାଇଛନ୍ତି।

ସମ୍ବନ୍ଧିତ ଖବର