ମାଲବାହୀ ଟ୍ରେନ୍‌ ଧକ୍କାରେ ୧୦ ମଇଁଷି ମୃତ

ଘଣ୍ଟାଏ ଅଟକିଲା ହୀରାଖଣ୍ଡ ଏକ୍ସପ୍ରେସ୍‌

ଜୟପୁର : ବିଶାଖାପାଟଣାରୁ କିରଣ୍ଡଲୁ ଯାଉଥିବା ମାଲବାହୀ ଟ୍ରେନ ଧକ୍କାରେ ୧୦ ମଇଁଷି ଘଟଣା ସ୍ଥଳରେ ମରି ଯାଇଛନ୍ତି। ଆଜି ସକାଳ ପ୍ରାୟ ସାଢେ ୧୦ଟାରେ ଜୟପୁର ଷ୍ଟେସନ ଠାରୁ ଗୋଟିଏ କିଲୋମିଟର ପୂର୍ବରୁ ଏହି ଘଟଣା ଘଟିଛି।

ସୂଚନା ଅନୁସାରେ, ଚରିବାକୁ ଯାଇଥିବା ମଇଁଷି ଗୋଠରୁ କେତେକ ରେଳ ଧାରଣା ନିକଟକୁ ଚାଲି ଯାଇଥିଲେ। ହଠାତ୍‌ ଟ୍ରେନ ଚାଲି ଆସିବାରୁ କେହି ଧାରଣାକୁ ଅତିକ୍ରମ କରିପାରି ନଥିଲେ। ଟ୍ରେନର ବେଗ ଧିମା ଥିବାରୁ ଚକରେ ଲାଗି କିଛି ଦୂର ପର୍ଯ୍ୟନ୍ତ ପ୍ରାୟ ୧୦ଟି ମଇଁଷି ଟାଣି ହୋଇ ଯାଇଥିଲେ। ଯାହାଫଳରେ ମଝି ରାସ୍ତାରେ ପ୍ରାୟ ଘଣ୍ଟାଏ ଧରି ଟ୍ରେନ ଅଟକି ରହିଥିଲା। ପରେ ରେଳ କର୍ମଚାରୀ ଓ ଆରପିଏଫ କର୍ତ୍ତୃପକ୍ଷ ଘଟଣା ସ୍ଥଳରେ ପହଞ୍ଚି ଟ୍ରାକ୍‌ ସଫା କରିଥିଲେ। ଏହାସହ ମାଲବାହୀ ଟ୍ରେନର ବଗିରୁ ଇଞ୍ଜିନ୍‌କୁ ଅଲଗା କରାଯିବା ପରେ ଏହି ଟ୍ରାକ୍‌ରେ ରେଳ ଚଳାଚଳ ସ୍ୱାଭାବିକ ହୋଇଥିଲା। ଅନ୍ୟପକ୍ଷରେ ଦୁର୍ଘଟଣା ଯୋଗୁଁ ହୀରାଖଣ୍ଡ ଏକ୍ସପ୍ରେସକୁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡିଥିଲା। ଏହାପରେ ଟ୍ରେନ ଚଳାଚଳ ସ୍ୱାଭାବିକ ରହିଥିବା ଷ୍ଟେସନମାଷ୍ଟର ଏଲ.ଜି ଦାଶ କହିଛନ୍ତି।

ସମ୍ବନ୍ଧିତ ଖବର