ମହାନଦୀ ମୁହାଣରେ ଡଙ୍ଗା ଦୁର୍ଘଟଣା : ମୃତ୍ୟୁସଂଖ୍ୟା ୧୦

୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ

ଜଗତସି˚ହପୁର/କୁଜଙ୍ଗ : ହୁକିଟୋଲାରୁ ବଣଭୋଜି ଶେଷ କରି କୁଜଙ୍ଗକୁ ଫେରିବା ସମୟରେ ଡଙ୍ଗା ବୁଡ଼ି ଘଟଣାରେ ଗତକାଲି ୯ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମାତ୍ର ଅକ୍ଷୟ ସ୍ବାଇଁ ଝିଅ ଶୁଭଶ୍ରୀ ଗତ ବୁଧବାରଠାରୁ ନିଖୋଜ ଥିଲେ। ଆଜି ଶୁଭଶ୍ରୀଙ୍କ ମୃତଦେହ ମହାନଦୀ ମୁହାଣ ନିକଟରେ ଭାସୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ସନ୍ଧ୍ୟାରେ କୁଜଙ୍ଗରେ ଶୁଭଶ୍ରୀଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଅନ୍ୟପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଆଜି ମୃତକଙ୍କ ପରିବାରକୁ ପ୍ରଦାନ କରାଯାଇଛି।

ଆଜି ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ବିଧାୟକ ଦେବାଶିଷ ସାମନ୍ତରାୟ, ସା˚ସଦ ଡାକ୍ତର କୁଳମଣି ସାମଲ ହସିଣା ଗାଁରେ ପହଞ୍ଚିଥିଲେ। ଗାଁ ମଝିରେ ଏକ ଶୋକସଭାର ଆୟୋଜନ କରାଯାଇ ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ଚାରି ଲକ୍ଷ ଟଙ୍କାର ଚେକ୍‌ ଓ ରେଡକ୍ରସ ପକ୍ଷରୁ ନଗଦ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ମାତ୍ର ଏହି ନେତାମାନଙ୍କୁ ଦେଖି ମୃତକଙ୍କ ପରିବାର କୋହ ସମ୍ଭାଳି ପାରି ନଥିଲେ। ଏମିତିକି ଏହି ଟଙ୍କା ଆମର କି କାମରେ ଲାଗିବ ବୋଲି ସେମାନେ କାନ୍ଦି କାନ୍ଦି କହିଥିଲେ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧୢରେ ଜିଲ୍ଲାପାଳ ୟାମିନି ଷଡ଼ଙ୍ଗୀ, ଅତିରିକ୍ତ ଜିଲ୍ଲାପାଳ କାହ୍ନୁ ଚରଣ ଧୀର, ତହସିଲଦାର ରମେଶ ଚନ୍ଦ୍ର ପଣ୍ତା, ବିଡିଓ କିଶୋର ଚନ୍ଦ୍ର ସ୍ବାଇଁ, ବିଜେଡି ନେତା ପୀତାମ୍ବର ତରାଇ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର