ଘାଟି ପାଲଟିଲା ମୃତ୍ୟୁର ଘାଟ : ୪୦ ଫୁଟ୍ ତଳକୁ ଖସିଲା ମିନି ଟ୍ରକ୍, ୧୦ ମୃତ

ମୃତକଙ୍କ ମଧ୍ୟରେ ୪ ମହିଳା, ୪ ଛାତ୍ରଛାତ୍ରୀ ବି ମୃତ, ୩୨ ଆହତ, ୫ ଗୁରୁତର
ନିଶାରେ ଥିଲା ଡ୍ରାଇଭର୍‌, ମୁଖ୍ୟମନ୍ତ୍ରୀଙ୍କ ୨ ଲକ୍ଷର ସହାୟତା

ଫୁଲବାଣୀ/ଦାରିଙ୍ଗବାଡ଼ି/ତୁମୁଡ଼ିବନ୍ଧ : ଘାଟି ତ ନୁହେଁ, ଯେମିତି ମୃତ୍ୟୁର ଘାଟ। ସେଇଠି ଯେମିତି ଛକି ରହିଥିଲା ମୃତ୍ୟୁ! ଏହି ଘାଟିରେ ଆଜି ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ଘାଟିର ୪୦ ଫୁଟ ତଳକୁ ଏକ ୪୦୭ ମିନିଟ୍ରକ୍‌ ଖସିପଡ଼ିବା ଫଳରେ ୧୦ ଜଣ ପ୍ରାଣ ହରାଇଛନ୍ତି। ସେମାନଙ୍କ ମଧ୍ୟରେ ୪ ଜଣ ମହିଳା ଓ ୪ ଜଣ ସ୍କୁଲ୍‌ ଛାତ୍ରଛାତ୍ରୀ। ଅନ୍ୟ ୩୨ ଜଣ ଆହତ ହୋଇଥିବା ବେଳେ ୫ ଜଣ ମୃତ୍ୟୁ ସହିତ ସଂଘର୍ଷ କରୁଛନ୍ତି। ମଦ୍ୟପ ଡ୍ରାଇଭର୍‌ର ବେପରୱା ଗାଡ଼ି ଚାଳନା ଯୋଗୁ ଏହିଭଳି ଏକ ମର୍ମନ୍ତୁଦ ଘଟଣା ଘଟିଛି। ଅନ୍ୟପକ୍ଷରେ, ବାଲିଗୁଡ଼ା ସଡ଼କ ଦୁର୍ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ଦେବା ସହ ଆହତଙ୍କ ମାଗଣା ଚିକିତ୍ସା ପାଇଁ ଘୋଷଣା କରିଛନ୍ତି ।

ଆଜି ସକାଳ ପ୍ରାୟ ୮ଟା। କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ବ୍ରାହ୍ମଣୀଗାଁରେ ଥିବା କ୍ୟାଥୋଲିକ ଚର୍ଚ୍ଚରେ ଫାଦର୍ ଅଭିଷେକ ଉତ୍ସବ ଦେଖିବାକୁ ସୁଲୁମାହା, କଲିଙ୍ଗି, ବୁଜୁଳି ସମେତ ଆଖାପାଖ ଗ୍ରାମର ୪୦ରୁ ଅଧିକ ଏକ ୪୦୭ ମିନିଟ୍ରକରେ ବ୍ରାହ୍ମଣୀଗାଁକୁ ବାହାରିଥିଲେ। ଡାଲ‌ାରେ ସମସ୍ତ ଯାତ୍ରୀ ଛିଡ଼ା ହୋଇଥିଲେ। ପ୍ରାୟ ସାଢ଼େ ୯ଟା ବେଳେ ଗାଡ଼ି ବଙ୍ଗଡଦୁଆ ଘାଟି ଚଢିଥିଲା। ୨ କିଲୋମିଟର ପରେ ଗାଡ଼ି ବ୍ରାହ୍ମଣୀଗାଁ ପହଞ୍ଚିବାର ଥିଲା। ନିଶାସକ୍ତ ଅବସ୍ଥାରେ ଥିବା ଡ୍ରାଇଭରକୁ ଦ୍ରୁତ ଗତିରେ ଗାଡ଼ି ନଚଳାଇବାକୁ ସେମାନେ ବାରଣ କରିଥିଲେ। ତଥାପି ଡ୍ରାଇଭର ତାହା ମାନିବାକୁ ନାରାଜ୍ ଥିଲା। ଆଉ ଘାଟିର ଏକ ବୁଲାଣି ପାଖରେ ଗାଡ଼ିଟି ୪୦ ଫୁଟ ତଳକୁ ଖସିଯାଇଥିଲା। ୩ଟି ବଡ଼ ପଥରକୁ ବାଜି ଗାଡ଼ି ସଂପୂର୍ଣ୍ଣ ଚୂର୍‌ମାର ହୋଇଯାଇଥିଲା। କିଛି ଯାତ୍ରୀ ଭଗ୍ନାବଶେଷ ତଳେ ଚାପି ହୋଇ ରହିଯାଇଥିଲେ। ପଥର ସହ ମୁଣ୍ଡ ପିଟି ହୋଇଯିବାରୁ ଘଟଣାସ୍ଥଳରେ ୬ଜଣଙ୍କ ମୃତ୍ୟୁ ହୋଇଥିଲା। ସେମାନେ ହେଲେ, ସୁଲୁମାହା ଗ୍ରାମର ଅଲିମିନି ହବେଡ଼ା (୩୫), ପ୍ରମିଳା ଛାଟିଆ (୩୫), କଲିଙ୍ଗିର ଲିଜାରାଣୀ ପ୍ରଧାନ (୧୨, ସପ୍ତମ ଶ୍ରେଣୀ ଛାତ୍ରୀ), ଗଦାପୁରର ଦୀପକ ନାୟକ (୧୫, ଦଶମ ଶ୍ରେଣୀ ଛାତ୍ର), କଶାପାଙ୍କାର ମସୀୟ ପାଲଟାସିଂ (୧୩, ସପ୍ତମ ଶ୍ରେଣୀ ଛାତ୍ର), ସୁଲୁମାହାର ଲଜାରା ଦିଗାଲ (୪୫)।

ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତାରେ ଯାଉଥିବା ‌ଗାଡ଼ି ଚାଳକ ଓ ନିକଟ ଗ୍ରାମର ଯୁବକ, ବ୍ୟବସାୟୀ ମାନେ ସେଠାରେ ପହଞ୍ଚି ଗାଡ଼ି ଭିତରେ ଚାପି ହୋଇ ରହିଥିବା ଆହତଙ୍କୁ ଉଦ୍ଧାର କରିଥିଲେ। ବ୍ରାହ୍ମଣୀଗାଁ ଚର୍ଚ୍ଚରେ ଥିବା ବନ୍ଧୁପରିଜନ ବି ସେଠାରେ ପହଞ୍ଚିଥିଲେ। ଦମକଳ, ପୁଲିସ ଓ ବନବିଭାଗ ଏବଂ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ସମସ୍ତଙ୍କୁ ଉଦ୍ଧାର କରାଯାଇଥିଲା। ବ୍ରାହ୍ମଣୀଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପର୍ଯ୍ୟାପ୍ତ ଆମ୍ବୁଲାନ୍‌ସ ନ ଥିବାରୁ ଆହତଙ୍କୁ ଚାରିଚକିଆ ଯାନର ବ୍ୟବସ୍ଥା କରି ସେଠାକୁ ଅଣାଯାଇଥିଲା। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସର କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା। ପ୍ରାଥମିକ ଚିକିତ୍ସା ପରେ ଆହତଙ୍କୁ ଆମ୍ବୁଲାନ୍‌ସ ସମେତ ବେସରକାରୀ ଗାଡ଼ି ଯୋଗେ ବ୍ରହ୍ମପୁର ବଡ଼ମେଡିକାଲକୁ ପଠାଯାଇଥିଲା। ବଡ଼ ମେଡିକାଲକୁ ମୋଟ ୩୬ଜଣ ସ୍ଥାନାନ୍ତର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ଜଣ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ। ଏହି ମୃତକମାନେ ହେଲେ, ସୁଲୁମାହାର ସେଲିନା ଦିଗାଲ (୪୦), ସାରିଆ ବଡ଼ସେଠ୍ (୧୭, ଯୁକ୍ତ ଦୁଇ ଛାତ୍ରୀ), ସ୍ନିଗ୍ଧା ବଡ଼ସେଠ୍ (୧୨) ଓ କଲିଙ୍ଗିର କଲେତା ପ୍ରଧାନ (୪୫)।

ଖବର ଲେଖାଯିବା ସୁଦ୍ଧା ୩୨ଜଣ ବର୍ତ୍ତମାନ ବ୍ରହ୍ମପୁର ବଡ଼ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ଭିତରୁ ୫ଜଣ ଅବସ୍ଥା ସଂକଟାପନ୍ନ ରହିଛି। ଫଳରେ ମୃତ୍ୟୁ ସଂଖ୍ୟା ବଢିବା ସମ୍ଭାବନା ରହିଛି।

ଅନ୍ୟପକ୍ଷରେ, ଘଟଣାସ୍ଥଳରେ କନ୍ଧମାଳ ଜିଲ୍ଲାପାଳ ଡା.ବୃନ୍ଦା ଡି, ଏସପି ପ୍ରତୀକ ସିଂ, ବାଲିଗୁଡ଼ା ଉପଜିଲ୍ଲାପାଳ ଦତ୍ତାତ୍ରେୟ ସିଦ୍ଧେ ଭାଉସାହେବ, ଦାରିଙ୍ଗବାଡ଼ି ବିଡିଓ ତ୍ରିଲୋଚନ ପାତ୍ର, ଦାରିଙ୍ଗବାଡ଼ି ଥାନା ଅଧିକାରୀ ଅଲେଖ ଗାରଡ଼ିଆ, ତହସିଲଦାର ନିତିଶ ତ୍ରିପାଠୀ ଓ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଜୟକୃଷ୍ଣ ମଲ୍ଲିକ ପହଞ୍ଚି ସ୍ଥିତି ତଦାରଖ କରିଥିଲେ। ଡ୍ରାଇଭର ଜଣକ ପ୍ରଚୁର ମଦ ପିଇଥିବାରୁ ଲୋକଙ୍କ ବାରଣ ସତ୍ତ୍ବେ ବେପରୁଆ ଗାଡ଼ି ଚାଳନା କରିଥିଲା। ଫଳରେ ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।

ମୃତକଙ୍କ ପରିବାରକୁ ଜିଲ୍ଲାପାଳ ରେଡକ୍ରସ ପାଣ୍ଠିରୁ ୨୫ହଜାର ଟଙ୍କା ‌ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ସେପଟେ ବ୍ରହ୍ମପୁର ବଡ଼ମେଡିକା‌ଲରେ ଆହତଙ୍କୁ ସ୍ବତନ୍ତ୍ର ଧ୍ୟାନ ଦିଆଯାଇ ଚିକିତ୍ସା ଜାରି ରହିଛି ବୋଲି ଅଧୀକ୍ଷକ ପ୍ରଫେସର ଡା.ଚରଣ ପଣ୍ଡା ସୂଚନା ଦେଇଛନ୍ତି। ହରିଶ୍ଚନ୍ଦ୍ର ଯୋଜନାରେ ୨ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଛି। ତେବେ, ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ଜନସାଧାରଣ ଦାବି କରିଛନ୍ତି।

ସେପଟେ ପରିବହନ ବିଭାଗ ସଚିବ କହିଛନ୍ତି, ବାଲିଗୁଡ଼ା ଦୁର୍ଘଟଣା ପାଇଁ କନ୍ଧମାଳ ଜିଲ୍ଲାପାଳ ଓ ଆଞ୍ଚଳିକ ପରିବହନ ଅଧିକାରୀଙ୍କଠୁ ରିପୋର୍ଟ ମଗାଯାଇଛି । ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି, ସମ୍ପୃକ୍ତ ବସ୍‌ଟିରେ ଅଧିକ ସଂଖ୍ୟକ ଲୋକ ଥିଲେ । ଯାହାଯୋଗୁ ବସଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ସମ୍ବନ୍ଧିତ ଖବର