ହୀରାକୁଦ: ୧୦ ଗେଟ୍‌ ବନ୍ଦ ହେଲା

ସମ୍ବଲପୁର: ମଙ୍ଗଳବାର ହୀରାକୁଦ ବନ୍ଧର ୧୦ଟି ଗେଟ୍ ବନ୍ଦ କରାଯାଇଛି। ଫଳରେ ଆଉ ୪ଟି ଗେଟ୍‌ ଖୋଲା ରହିଛି। ଜଳଭଣ୍ଡାରକୁ ଜଳ‌ ପ୍ରବେଶ ହ୍ରାସ ପାଇବା ପରେ ସୋମବାର ରାତିରେ ୧୦ଟି ଗେଟ୍‌ ବନ୍ଦ କରିବାକୁ ନିର୍ଦ୍ଦେଶ ଆସିଥିଲା। ମଙ୍ଗଳବାର ସକାଳ ୯ଟା ମଧ୍ୟରେ ଏହି ଗେଟ୍‌ ଗୁଡ଼ିକୁ ବନ୍ଦ କରା ଯାଇଥିଲା। ବର୍ତ୍ତମାନ ବାମ ସ୍ପିଲୱେ’ର ୩ ଓ ଡାହାଣ ପାର୍ଶ୍ବର ଗୋଟିଏକୁ ମିଶାଇ ମୋଟ ୪ଟି ସ୍ଲୁଇସ୍‌ ଗେଟ୍‌ ଖୋଲା ରହିଛି। ମଙ୍ଗଳବାର ରାତି ୯ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୧୯.୩୭ ଫୁଟ୍‌କୁ ଖସିଛି। ସେତିକି ବେ‌ଳେ ଜଳଭଣ୍ଡାର ମଧ୍ୟକୁ ୯୦, ୮୫୬ କ୍ୟୁସେକ୍‌ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗରେ ୮୧, ୩୨୫ କ୍ୟୁସେକ୍‌ ନିଷ୍କାସିତ ହେଉଥିଲା। ତହିଁରୁ ସ୍ପିଲୱେର ୪ଟି ଗେଟ୍‌ ଦେଇ ୬୨, ୪୭୬ କ୍ୟୁସେକ୍‌, ପାୱାର ଚାନେଲ ଦେଇ ୧୫, ୮୦୨ କ୍ୟୁସେକ୍‌, ବିଭିନ୍ନ କେନାଲ ଦେଇ ୨୮୭୭ କ୍ୟୁସେକ୍‌ ଓ ଶିଳ୍ପ ସଂସ୍ଥା ପାଇଁ ୧୭୦ କ୍ୟୁସେକ୍‌ ପାଣି ଛଡ଼ା ଯାଉଥିଲା। ରାତି ୯ଟା ବେଳକୁ ମହାନଦୀ ତଳ ମୁଣ୍ଡରେ ବେଲଗାଁଠାରେ ୨୧, ୫୦୦ କ୍ୟୁସେକ, ପଥର୍ଲାଠାରେ ୬୦, ୮୮୭ କ୍ୟୁସେକ୍‌, ଖଇରମାଳଠାରେ ୩ ଲକ୍ଷ କ୍ୟୁସେକ୍‌, ବରମୂଳଠାରେ ୩, ୨୧, ୫୦୦ କ୍ୟୁସେକ ଓ ମୁଣ୍ଡଳିଠାରେ ୨, ୭୦, ୧୦୦ କ୍ୟୁସେକ୍‌ ପାଣି ପ୍ରବାହିତ ହେଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ୬.୪୧ ମିମି ଓ ତଳ ମୁଣ୍ଡରେ ୫.୫୫ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର