ଡାବୁଗାଁ : ଦୁଇଟି ଅଟୋ ମଧ୍ୟରେ ଧକ୍କା, ୧୦ ଆହତ

ଡାବୁଗାଁ : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଧନସରା ଛକ ନିକଟରେ ଆଜି ଦିନ ପ୍ରାୟ ୧୧ ଘଣ୍ଟ ସମୟରେ ଦୁଇଟି ଅଟୋ ମଧ୍ୟରେ ଧକ୍କା ଘଟି ୧୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୩ ଜଣ ଗୁରୁତର ହୋଇଛନ୍ତି। ସମସ୍ତ ଆହତଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି।

ସୂଚନା ଅନୁଯାୟୀ ଆଜି ଡାବୁଗାଁ ସାପ୍ତାହିକ ହାଟକୁ ଡାବୁଗାଁ ଥାନା ଅନ୍ତର୍ଗତ ଘୋଡ଼ାଖୁଣ୍ଟାରୁ ଦୁଇଟି ଅଟୋରେ ଯାତ୍ରୀମାନେ ଦିନ ପ୍ରାୟ ୧୧ଟା ସମୟରେ ଆସୁଥିବା ସମୟରେ ଘୋଡ଼ାଖୁଣ୍ଟା ଓ ଡାବୁଗାଁ ମଧ୍ୟ ଧନସରା ଛକ ନିକଟରେ ଅଟୋ ଦୁଇଟି ସାଇଡ ଦେବା ସମୟରେ ଭାରସାମ୍ୟ ହରାଇ ଧକ୍କା ହୋଇଥିଲା। ଏଥିରେ ଗୋଟିଏ ନମ୍ବର ବିହୀନ ଅଟୋରେ ବସିଥିବା ଯାତ୍ରୀମାନେ ତଳେ ଛିଟିକି ପଡି ଆହତ ହୋଇଥିଲେ। ଆହତମାନଙ୍କ ମଧ୍ୟରେ ଦୁଇଟି ଶିଶୁ ମଧ୍ୟ ଥିଲେ। ଆହତମାନେ ହେଲେ ଘୋଡ଼ାଖୁଣ୍ଟାର ଧନର ଭତରା ୪୫, ସୋମନାଥ ଗୌଡ ୬୨, ହଳଧର ଶବର ୪୭, ହଳଧରର ପୁଅ ସୁବାଷ ୪ , ଝିଅ ପାର୍ବତୀ ୫, ବୁଧବାରି ପନକା ୫୦, ସୁଆତି ଭତରା ୬୫, ମୁଣ୍ଡିଗୁଡ଼ାର ବୁ ଦାଏ ଗୌଡ ୫୬, ତଥା ପାପ ଡାହାଣ୍ଡି ଥାନା ମୋକିଆର ଡମଣି ହରିଜନ ୫୦ ଓ ବୁଦା ଏ ଭତରା ୫୬ ପ୍ରମୁଖ ଆହତ ହୋଇଥିଲେ। ସେଥି ମଧ୍ୟରୁ ହଳଧର ଶବର, ବୁଧବାରି ପନକା ଓ ବୁଦା ଏ ଗୌଡ ଗୁରୁତର ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ଖବର ପାଇ ଡାବୁଗାଁ ପୁୁଲିସ ପହଁଚି ତଦନ୍ତ ଜାରି ରଖିଥିବା ବେଳେ ଦୁର୍ଘଟଣା ଘଟାଇଥିବା ଦୁଇଟି ଅଟୋ ସେହି ସ୍ଥାନରୁ ଚଂପଟ ମାରିଛନ୍ତି। ଗୋଟିଏ ଅଟୋ ନମ୍ବର ବିହୀନ ନୂଆ ଅଟୋ ହୋଇଥିବା ବେଳେ ଅନ୍ୟ ଅଟୋ ଜଣା ପଡି ନାହିଁ।

ସମ୍ବନ୍ଧିତ ଖବର