ଛାତ୍ରୀଙ୍କୁ କମେଣ୍ଟମରାରୁ ଗୋଷ୍ଠୀ ସଂଘର୍ଷ : କାଚ ବୋତଲ, ଢେଲାପଥର ମାଡ଼, ୧୦ରୁ ଅଧିକ ଆହତ

୩ ପ୍ଲାଟୁନ୍ ଫୋର୍ସ ମୁତୟନ, ୬ ଅଟକ

ପୁରୀ : ପୁରୀ ଜିଲ୍ଲା ପେଣ୍ଠକଟା ମେରାଇନ୍ ଥାନା ଅନ୍ତର୍ଗତ ବାଲିଘାଇ ବେଲେଶ୍ବର ମହାବିଦ୍ୟାଳୟ ଛାତ୍ରୀଙ୍କୁ କମେଣ୍ଟମରାକୁ କେନ୍ଦ୍ରକରି ଆଜି ସଂଧ୍ୟାରେ ପୁରୀ-ମେରାଇନ୍ ଡ୍ରାଇଭ୍ ରୋଡ୍‌ରେ ଗୋଷ୍ଠୀ ସଂଘର୍ଷ ଘଟିଛି। କାଚ ବୋତଲ ସାଙ୍ଗକୁ ଢେଲାପଥର ବର୍ଷା ହୋଇଛି। ଏଥିରେ ୧୦ରୁ ଅଧିକ ଯୁବକ ଆହତ ହୋଇଥିବାବେଳେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିବାରୁ ୩ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ଏହି ଘଟଣାରେ ପୁଲିସ ୬ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ସେପଟେ ଉତ୍ତେଜନା ଲାଗି ରହିଥିବାରୁ ପୁରୀ-କୋଣାର୍କ ଯାତାୟାତ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି।

ସୂଚନା ମୁତାବକ, ଆଜି ପୂର୍ବାହ୍ଣ ପ୍ରାୟ ୧୨ଟାରେ ବେଲେଶ୍ବର ମହାବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ପୁରୀ ସହରର କିଛି ଯୁବକ କମେଣ୍ଟ ମାରିଥିଲେ। ଛାତ୍ରୀ ଜଣକ ବେଲଦଳର ହୋଇଥିବାବେଳେ ଏହି ଘଟଣା ପ୍ରଚାରିତ ହୋଇଯିବା ପରେ ମହାବିଦ୍ୟାଳୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଦୁଇଗୋଷ୍ଠୀ ମହାବିଦ୍ୟାଳୟ ପରିସରରେ ମୁହାଁମୁହିଁ ହୋଇଥିଲେ। ଘଟଣାର ଆପୋଷ ବୁଝାମଣା ପରେ ଯୁବକମାନେ ଫେରି ଯାଇଥିଲେ। କିନ୍ତୁ ଏହାର କିଛି ଘଣ୍ଟା ପରେ ପୁନର୍ବାର ପୁରୀ ସହରର ୬ଜଣ ଯୁବକ ପିସ୍ତଲ, ଛୁରୀ, ଭୁଜାଲି ଧରି ଆସି ଆତଙ୍କ ରଚିଥିଲେ। ବେଲଦଳ ବଜାରରେ ସ୍ଥାନୀୟ କିଛି ଯୁବକଙ୍କୁ ସେମାନେ ଆକ୍ରମଣ କରିଥିଲେ। ଏହାପରେ ସ୍ଥାନୀୟ ଲୋକେ ଏକାଠି ହୋଇ ୬ଜଣ ଯୁବକଙ୍କୁ ନିସ୍ତୁକ ମାଡ଼ ଦେବା ସହ ଅଟକ ରଖି ପୁଲିସ ଜିମା ଦେଇଥିଲେ। ପୁଲିସ ଏମାନଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର