ବଜ୍ରାଘାତରେ ୧୦ ମୃତ : ଗଜପତି ସୀମାନ୍ତରେ ୬ ଜଣ, ଜଣେ ଡିପ୍ଲୋମା ଛାତ୍ରଙ୍କ ସହିତ ବାଙ୍କୀ, ବାଲିଅନ୍ତା ଓ ବଲାଙ୍ଗୀରରେ ଅନ୍ୟ ୩ ଜଣ

ପାରଳାଖେମୁଣ୍ଡି/ଖଣ୍ଡଗିରି/ବାଙ୍କୀ/ ବାଲିଅନ୍ତା/ବଲାଙ୍ଗୀର : ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବଜନିତ ଝଡ଼ବର୍ଷା ଯୋଗୁ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ଗଜପତି ଜିଲ୍ଲା ସୀମାନ୍ତରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। କାଳବୈଶାଖୀ ବର୍ଷା ଓ ଘଡ଼ଘଡ଼ି ବର୍ଷା ସମୟରେ ଏମାନେ ସମସ୍ତେ ଗଛତଳେ ଓ ଗୁହାଳ ଘରେ ଆଶ୍ରୟ ନେଇଥିଲେ। ଅନ୍ୟ ୪ ଜଣଙ୍କ ମଧ୍ୟରେ ଜଣେ ଡିପ୍ଲୋମା ଛାତ୍ର ଅନ୍ତର୍ଭୁକ୍ତ ଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଗଜପତି ଜିଲ୍ଲାରେ ଆଜି ମଧ୍ୟାହ୍ନରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଥିଲା। ଏଥିଯୋଗୁଁ ବଜ୍ରାଘାତ ହେବାରୁ ଗଜପତି ସୀମାନ୍ତବର୍ତୀ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାର ନିକଟ ପୁରଣାପାଟଣା ଠାରେ ୬ ଜଣଙ୍କ ମୃତ୍ୟୁ ହୋଇଯାଇଛି। ସେମାନେ ହେଲେ, ମେଲିଆପୁଟି ପେଦାଲକ୍ଷ୍ମୀପୁରମ ଅଞ୍ଚଳର ଜି.ଆନନ୍ଦ ରାଓ (୪୯), ଜି.ପୋଲୁ ନାଇଡୁ ଏଲ.ଏନ.ପେଟା ପେଦାକୋଲି ଓ୍ଵାଲ୍ସାର, ଟି.ଆପ୍ପାଲା ନାରାସିଂମୁଲୁ, ପୁରୁଣାପାଟଣା ଟିଡିମି ଅଞ୍ଚଳର ହେମା ସୁନ୍ଦର ରାଓ(୧୮), ମନୋଜ କୁମାର (୧୬) ଓ ହିରମଣ୍ଡଳମର ଡି.ନାରାସିଂମା (୪୦)।

ରାଜ୍ୟର ଅନ୍ୟ କେତେକ ସ୍ଥାନରେ ମଧ୍ୟ କିଛି ଲୋକ ମୃତାହାତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି, ବାଲିଅନ୍ତା ଥାନା ଜୟଦେବ ପଞ୍ଚାୟତ ଅଧୀନ ଦେଉଳି ଗ୍ରାମର ଭୀମ ମଲ୍ଲିକ (୬୦)। ଭୀମ ଆଜି ଭୋର ସମୟରେ ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇଥିବାବେଳେ ବଜ୍ରାଘାତର ଶିକାର ହୋଇଥିଲେ।

ଗତକାଲି ବିଳମ୍ବିତ ରାତିରେ ବଜ୍ରାଘାତ ଘଟି ବାଙ୍କୀ ଥାନା ଅନ୍ତର୍ଗତ ତାଳବସ୍ତ ଗ୍ରାମପଞ୍ଚାୟତର ରାଜେନ୍ଦ୍ରନଗର ବାସିନ୍ଦା ଅଶୋକ ରାଜ(୨୨)ଙ୍କର ମୃତ୍ୟୁ ହୋଇଛି। ଘର ବାରଣ୍ଡାରେ ଶୋଇଥଲାବେଳେ ବଜ୍ରାଘାତ ହୋଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ସଙ୍ଗେସଙ୍ଗେ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଆଜି ଭୋର୍‌ ୪ଟାରେ ହୋଇଥିବା କାଳବୈଶାଖୀ ବର୍ଷା ସମୟରେ ଜଟଣୀ ଥାନା ଯାଁଳା ଫାଣ୍ଡି ଅନ୍ତର୍ଗତ ହରପୁରରେ ଏକ ଘର ଉପରେ ବଜ୍ରାଘାତ ହେବାରୁ ଜଣେ ଡିପ୍ଲୋମା ଇଂଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ଡିପ୍ଲୋମା ଛାତ୍ର ହେଲେ ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ନୋଅଣା ଗାଁର ସ୍ୱର୍ଗତ ଅଖିଳଚନ୍ଦ୍ର ନାୟକଙ୍କ ପୁଅ ବଳଭଦ୍ର(୧୮)। ସେ ହରପୁରରେ ଏକ ଘରୋଇ ମେସ୍‌ର ରହି ସ୍ଥାନୀୟ ବିବେକାନନ୍ଦ ଇଂଜିନିୟରିଂ କଲେଜରେ ପଢ଼ୁଥିଲେ। ଏହି ବଜ୍ରପାତରେ ଘର ମାଲିକ ଗୁଣନିଧି ସାମନ୍ତସିଂହାରଙ୍କ ପୁଅ ବୃନ୍ଦାବନ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ସେହିଭଳି, ବଲାଙ୍ଗୀର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକ କୁଟାସିଂହା ଗ୍ରାମରେ ଶନିବାର ବିଳମ୍ବିତ ରାତ୍ରିରେ ବଜ୍ରାଘାତରେ ଉଦ୍ଧବ ମେହେର (୨୭) ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। କୁଟାସିଂହା ଗାଁର ଘନଶ୍ୟାମ ମେହେର, ତାଙ୍କ ସ୍ତ୍ରୀ ଓ ଏକମାତ୍ର ପୁଅ ଉଦ୍ଧବ ରାତିରେ ଖାଇ ସାରି ଘର ଛାତ ଉପରେ ଶୋଇଥିଲେ। ଏହି ସମୟରେ ବଜ୍ରାଘାତ ହେବାରୁ ଉଦ୍ଧବଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର