ବଡ଼ ଅପରେସନ୍‌ : ୧୦ ନକ୍ସଲ ଟଳିଲେ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼‌ର ବିଜାପୁର ଜିଲ୍ଲାରେ ଚଳିତବର୍ଷର ସବୁଠାରୁ ବଡ଼ ଅପରେସନ୍‌ରେ ନିହତ ହୋଇଛନ୍ତି ୧୦ଜଣ ମାଓବାଦୀ। ଭେରମଗଡ଼ ଅଞ୍ଚଳରେ ହୋଇଥିବା ଏହି ଏନ୍‌କାଉଣ୍ଟରରେ ଘଣ୍ଟାଏରୁ ଊର୍ଧ୍ବ ସମୟ ଧରି ଉଭୟପଟୁ ଗୁଳି ବିନିମୟ ହୋଇଥିଲା। ସର୍ଚ୍ଚ ଅପରେସନ ଜାରି ରହିଥିବାରୁ ମୃତାହତଙ୍କ ସଂଖ୍ୟା ବଢ଼ିବ ବୋଲି ଅନୁମାନ କରୁଛି। ପ୍ରାଥମିକ ତଥ୍ୟ ଅନୁଯାୟୀ ଘଟଣା ସ୍ଥଳରୁ ୧୧ବନ୍ଧୁକ ଏବଂ ବିପୁଳ ପରିମାଣରେ ମାଓ ସାମଗ୍ରୀ ମିଳିଛି।

ନକ୍ସଲ ଗୋଟିଏ କ୍ୟାମ୍ପ କରି ବଡ଼ଧରଣର ହମ୍‌ଲା ପାଇଁ ଯୋଜନା କରୁଥିବା ବିଶ୍ବସ୍ତ ସୂତ୍ରରୁ ପୁଲିସ ଖବର ପାଇଥିଲା। ଯାହାକୁ ଗୁଇନ୍ଦା ବିଭାଗ ପକ୍କା କରିଥିଲା। ଏହାପରେ ବିଜାପୁର ପୁଲିସ, ସିଆରପିଏଫ, ଡିଆରଜି ଯବାନ କମ୍ବିଂ ଅପରେସନରେ ବାହାରିଥିଲେ। ମିଳିଥିବା ସୂଚନାକୁ ଆଧାର କରି ନକ୍ସଲଙ୍କ ଠିକଣା ସ୍ଥାନରେ ପହଞ୍ଚି ଚାରିପଟୁ ଘେରି ଯାଇଥିଲେ। ଯବାନଙ୍କ ଗତିବିଧି ଜଙ୍ଗଲରେ ଜାଣିବା ପରେ କ୍ୟାମ୍ପ ଛାଡ଼ି ନକ୍ସଲ ଅତର୍କିତ ଗୁଳି ଚଳାଇଥିଲେ। ଯବାନମାନେ ସୁରକ୍ଷିତ ସ୍ଥାନରେ ରହି ପାଲଟା ଗୁଳି ଚଳାଇଥିଲେ। ଘଣ୍ଟାଏରୁ ଊର୍ଧ୍ବ ସମୟ ଧରି ଉଭୟପଟୁ ଗୁଳି ବିନିମୟ ହୋଇଥିଲା। ବହୁ ସଂଖ୍ୟାରେ ଯବାନ ଦୀର୍ଘ ସମୟ ଧରି ଅପରେସନ ପାଇଁ ପ୍ରସ୍ତୁତ ହୋଇଯାଇଥିବାରୁ ନକ୍ସଲ ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇଥିଲେ। ସେତେବେଳକୁ କିନ୍ତୁ ନକ୍ସଲ କ୍ୟାମ୍ପ୍‌ର ବଡ଼ କ୍ଷତି ଘଟି ସାରିଥିଲା। ସର୍ଚ୍ଚ ଅପରେସନରେ ୧୦ ନକ୍ସଲଙ୍କ ଶବ ଠାବ କରାଯାଇଥିଲା। ବହୁ ସଂଖ୍ୟାରେ ନକ୍ସଲ ଆହତ ହୋଇଥିବା ଘଟଣା ସ୍ଥଳରେ ପଡ଼ିଥିବା ରକ୍ତ ଛିଟାରୁ ସ୍ପଷ୍ଟ ହେବାରୁ କିଛି ଯବାନ ପିଛା କରିଥିଲେ। ଏହି ଅଂଚଳକୁ ସିଲ କରିବା ସହ ଅଧିକ ସଂଖ୍ୟାରେ ଯବାନଙ୍କୁ ପଠାଯାଇଛି। ଡିଜିପି ଡି.ଏମ ଅବସ୍ଥି ପ୍ରେସ ବିଜ୍ଞପ୍ତିରେ ପ୍ରକାଶ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ତିନି ଦିନ ପୂର୍ବରୁ ଏହି ନକ୍ସଲ କ୍ୟାମ୍ପ ସଂପର୍କରେ ସୂଚନା ମିଳିଥିଲା।

ସମ୍ବନ୍ଧିତ ଖବର