୧୦ଟି ରାଜ୍ୟରେ ସରକାରୀ ଚାକିରି ପାଇଁ ସର୍ବୋଚ୍ଚ ବୟସ ସୀମା ବୃଦ୍ଧି, କେବେ ବଢ଼ାଇବେ ଓଡ଼ିଶା ସରକାର?

୩୨ ବଦଳରେ ୪୨ ବର୍ଷ କରିବାକୁ ଛାତ୍ରଛାତ୍ରୀଙ୍କ ଦାବି

ଭୁବନେଶ୍ୱର: ସରକାରୀ ଚାକିରି ପାଇଁ ଆଶାୟୀଙ୍କ ସର୍ବୋଚ୍ଚ ବୟସ ସୀମା ବୃଦ୍ଧି କରିଛନ୍ତି ୧୦ଟି ରାଜ୍ୟ। ଗୋଆ, ତେଲେଙ୍ଗାନା, ଉତ୍ତରାଖଣ୍ଡ, ଆନ୍ଧ୍ରପ୍ର୍ରଦେଶ, ରାଜସ୍ଥାନ, ଉତ୍ତର ପ୍ରଦେଶ, ହରିୟାଣା, ତ୍ରିପୁରା, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ ଇତିମଧ୍ୟରେ ବୟସ ସୀମାକୁ ୧୦ରୁ ୧୨ ପର୍ଯ୍ୟନ୍ତ ବୃଦ୍ଧି କରିଥିବା ବେଳେ ଓଡ଼ିଶା ଏକ୍ଷେତ୍ରରେ ପଛରେ ପଡ଼ିଛି। ଏଠାରେ ଏବେ ବି ସର୍ବୋଚ୍ଚ ବୟସସୀମା ୩୨ ବର୍ଷ ରଖାଯାଇଛି। ଯେଉଁଥିପାଇଁ ଅନେକ ମେଧାବୀ ଛାତ୍ରଛାତ୍ରୀ ସରକାରୀ ଚାକିରି ପାଇବାରୁ ବଞ୍ଚିତ ହେଉଛନ୍ତି। ଓଡ଼ିଶାର ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବାରୁ ଏଠାକାର ଅଧିକାଂଶ ଲୋକେ ଚାଷ ଉପରେ ନିର୍ଭର କରନ୍ତି, ଯେଉଁମାନେ କି ମୁଖ୍ୟତଃ ଗ୍ରାମାଞ୍ଚଳରେ ବସବାସ କରିଥାନ୍ତି। ଭାରତର ୭୦ ପ୍ରତିଶତ ଲୋକ ଗ୍ରାମାଞ୍ଚଳରେ ରହୁଥିବା ବେଳେ ଓଡ଼ିଶାର ୮୪ ପ୍ରତିଶତ ଲୋକେ ଗ୍ରାମାଞ୍ଚଳରେ ରହୁଛନ୍ତି। ସେମାନଙ୍କ ମଧ୍ୟରେ ଅନେକ ପରିବାରରୁ ମେଧାବୀ ଛାତ୍ରଛାତ୍ରୀ ବାହାରିଥାନ୍ତି। ଯେଉଁମାନେ କି ବିଭିନ୍ନ କାରଣରୁ ନିର୍ଧାରିତ ସମୟରେ ଉଚ୍ଚଶିକ୍ଷା ଶେଷ କରିପାରନ୍ତି ନାହିଁ। ଅର୍ଥ ଉପାର୍ଜନ କରି ଶିକ୍ଷା ଗ୍ରହଣ କରିବା ବେଳକୁ ୩୦ ବର୍ଷ ଅତିକ୍ରାନ୍ତ କରିସାରିଥାନ୍ତି। ଯେଉଁଥିପାଇଁ ଅନେକ ମେଧାବୀ ଛାତ୍ରଛାତ୍ରୀ ସରକାରୀ ଚାକିରିରୁ ବଞ୍ଚିତ ହୋଇଥାନ୍ତି। ତେଣୁ ଏଦିଗରେ ପଦକ୍ଷେପ ନେବାକୁ ଛାତ୍ରଛାତ୍ରୀ ଦାବି କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ କେତେକ ରାଜ୍ୟ ସରକାରୀ ଚାକିରି ଲାଗି ବୟସ ସୀମାକୁ ୧୦ରୁ ୧୨ ବର୍ଷ ପର୍ଯ୍ୟନ୍ତ ବଢ଼ାଇଛନ୍ତି। ଓଡ଼ିଶାର ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ସମେତ ରାଜସ୍ଥାନ, ଉତ୍ତର ପ୍ରଦେଶ, ହରିୟାଣା, ତ୍ରିପୁରା, ମଧ୍ୟପ୍ରଦେଶ ସରକାର ସର୍ବୋଚ୍ଚ ବୟସ ସୀମାକୁ ୪୦ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଗୋଆ ସରକାର ମଧ୍ୟ ଅନୁରୂପ ଭାବେ ବୟସ ସୀମାକୁ ୪୫ ବର୍ଷ କରିଥିବା ବେଳେ ତେଲେଙ୍ଗାନାରେ ୪୪, ଉତ୍ତରାଖଣ୍ଡ ଓ ଆନ୍ଧ୍ରପ୍ରଦେଶରେ ୪୨ ବର୍ଷ ହୋଇଛି। ତେଣୁ ଓଡ଼ିଶା ସରକାର ବୟସ ସୀମାକୁ ୪୨ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଛାତ୍ରଛାତ୍ରୀ ରାଜ୍ୟ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି। ସେମାନେ କହିଛନ୍ତି ଯେ ୨୦୦୦ରୁ ୨୦୧୦ ପର୍ଯ୍ୟନ୍ତ ଓଡ଼ିଶାରେ ନିଯୁକ୍ତି ପ୍ରକ୍ରିୟା ଅପେକ୍ଷାକୃତ ସ୍ୱଳ୍ପ ରହିଥିଲା। କେନ୍ଦ୍ର ସରକାରଙ୍କ ଦ୍ୱାରା ଜିଏସ୍‌ଟି ଲାଗୁ ଓ ବିମୁଦ୍ରାକରଣ ବେସରକାରୀ ନିଯୁକ୍ତି ସୁଯୋଗକୁ ଅନେକାଂଶରେ ପ୍ରଭାବିତ କରିଛି। ତାହାକୁ ଦୃଷ୍ଟିରେ ରଖି ଅନ୍ୟ ରାଜ୍ୟଗୁଡ଼ିକ ପରି ଓଡ଼ିଶାରେ ସରକାରୀ ଚାକିରି ପାଇଁ ସର୍ବୋଚ୍ଚ ବୟସ ସୀମା ୪୨ ବର୍ଷକୁ ବୃଦ୍ଧି କରାଗଲେ ବେକାରୀ ସମସ୍ୟାର ସମାଧାନ ହୋଇପାରିବ। ଓଡ଼ିଶାକୁ ଅନ୍ୟ ରାଜ୍ୟ ଭଳି ଅର୍ଥନୈତିକ ଉନ୍ନତି କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମକୁ ଅନ୍ତର୍ଜାତୀୟସ୍ତରରେ ପ୍ରଶଂସା କରାଯାଉଛି। ଏକ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେଇ ଅନ୍ୟ ରାଜ୍ୟଗୁଡ଼ିକ ଲାଗି ଆଦର୍ଶ ସୃଷ୍ଟି କରନ୍ତୁ ବୋଲି ବୁଦ୍ଧିଜୀବୀମାନେ ମତପ୍ର୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର