ରାସ୍ତାରେ ପଡ଼ିଥିବା ୧୦ଟଙ୍କା ଉଠାଇବା ଯୁବକଙ୍କୁ ମହଙ୍ଗା ପଡ଼ିଲା, ମାତ୍ର କେଇ ଟଙ୍କାର ଲୋଭରେ ଲୁଟେରା ଲୁଟି ନେଲେ ୧୦ହଜାର ଟଙ୍କା

ଭୁବନେଶ୍ୱର: ରାସ୍ତାରେ କେତେଟି ୧୦ ଟଙ୍କିଆ ନୋଟ୍‌ ପକାଇ ପ୍ରଥମେ ଲୋକମାନଙ୍କୁ ଲୋଭାସକ୍ତ କରିବା, ପରେ ସେମାନଙ୍କୁ ଲୁଟ୍‌ କରିବା ଏଭଳି ଏକ ଲୁଟେରା ଗ୍ୟାଙ୍ଗ ରାଜଧାନୀରେ ସକ୍ରିୟ ହୋଇଉଠିଥିବା ଜଣାପଡ଼ିଛି। ଏଭଳି ଏକ ଘଟଣା ଖାରବେଳନଗର ଥାନା ଅଞ୍ଚଳରେ ଘଟିଛି । ଲୁଟେରାମାନେ ରାସ୍ତାରେ ୧୦ଟଙ୍କା ପକାଇ ଜଣଙ୍କଠାରୁ ୧୦ ହଜାର ଟଙ୍କା ଲୁଟି ନେଇଥିବା ଖାରବେଳନଗର ଥାନାରେ ଅଭିଯୋଗ ହୋଇଛି।

ପୁଲିସ ସୂଚନା ମୁତାବକ, ମଙ୍ଗଳବାର ଦିନ ପ୍ରାୟ ୧୧ଟାରେ ଈଶ୍ୱରୀ ପ୍ରସାଦ ଲେଙ୍କା ନାମକ ଜଣେ ବ୍ୟକ୍ତି ରାମ ମନ୍ଦିରରୁ ପୂଜା ସାରି କାର୍‌ରେ ଚନ୍ଦ୍ରଶେଖରପୁରସ୍ଥିତ ଘରକୁ ଫେରୁଥିଲେ । ସେ ଟ୍ରାଫିକରେ ଥିବା ସମୟରେ ୨ଜଣ ଯୁବକ ତାଙ୍କ କାର୍‌ ନିକଟକୁ ଆସି ତଳେ କିଛି ଟଙ୍କା ପଡ଼ିଛି ବୋଲି କହିଥିଲେ । ଈଶ୍ୱରୀ ଗାଡ଼ିରୁ ବାହରିବା ବେଳକୁ ତଳେ ୧୦ଟଙ୍କା ନୋଟ୍‌ ପଡ଼ିଥିବା ଦେଖିବାକୁ ପାଇଥିଲେ। ୧୦ଟଙ୍କା ଉଠାଇବା ବେଳକୁ ଦୁଇଜଣ ଦୁର୍ବୃିତ୍ତ ଈଶ୍ୱରୀଙ୍କ କାର୍‌ ପଛ ଡୋର୍‌ ଖୋଲି ଟଙ୍କା ବ୍ୟାଗ୍‌ ନେଇ ଆଖି ପିଛୁଳାକେ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ।

ତେବେ ଈଶ୍ୱରୀଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ଲୁଟେରାମାନଙ୍କୁ ଚିହ୍ନଟ ପାଇଁ ଆଖପାଖ ଅଞ୍ଚଳରେ ଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରୁଛି ପୁଲିସ।

ସମ୍ବନ୍ଧିତ ଖବର