ମିଳୁନି ଶବ ସଂସ୍କାର ଖର୍ଚ୍ଚ: ଶବ ପିଛା ୧୦ ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତିି ଜିଆରପି ଅଧିକାରୀ

ଦୁଇ ବର୍ଷ ହେଲା ବନ୍ଦ ଫାଇଲରେ ଡିଜିପିଙ୍କ ନିର୍ଦ୍ଦେଶ

କଟକ: ଅପରିଚିତ ଶବକୁ ନେଇ ଏବେ ଅଡୁଆରେ ପଡ଼ୁଛି ଜିଆର୍‌ପି ଥାନା ପୁଲିସ। ଶବ ବ୍ୟବଚ୍ଛେଦଠାରୁ ସଂସ୍କାର ପର୍ଯ୍ୟନ୍ତ ପ୍ରାୟ ୧୦ ହଜାର ଟଙ୍କା ନିଜ ପକେଟ୍‌ରୁ ଖର୍ଚ୍ଚ କରୁଛନ୍ତି ତଦନ୍ତକାରୀ ଅଧିକାରୀ। ପୁଲିସ ବିଭାଗ ପକ୍ଷରୁ ଟଙ୍କା ମିଳିବା ସଂକ୍ରାନ୍ତରେ ୨୦୧୬ରେ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଦୁଇ ବର୍ଷ ବିତି ଯାଇଥିଲେ ବି ସର୍ବାଧିକ ଅପମୃତ୍ୟୁ ମାମଲା ରୁଜୁ ହେଉଥିବା ଜିଆର୍‌ପି ଥାନାରେ ମୋଟ ୭୯ଟି ଘଟଣାରେ ଅଫିସର୍‌ଙ୍କ ଟଙ୍କା ବାକି ପଡ଼ିଛି । ରାଜ୍ୟରେ ଉଭୟ କଟକ ଓ ରାଉରକେଲା ରେଳବାଇ ଏସ୍‌ପିଙ୍କ ଅଧୀନରେ ୧୪ଟି ଥାନା କାର୍ଯ୍ୟ କରୁଛି। ଜିଆର୍‌ପି ଥାନାର ଭୌଗୋଳିକ ପରିସୀମା ସାଧାରଣ ପୁଲିସ ଥାନାଠୁ ଅଧିକ। ରେଳ ଧାରଣାରେ ଦୁର୍ଘଟଣା ଅଧିକ ଘଟୁଥିବାରୁ ବାର୍ଷିକ ହାରାହାରି ୧୦୦ରୁ ଅଧିକ ଶବ ଉଦ୍ଧାର ହେଉଛି । ସେଥିରୁ ଅଧା ଶବର କୌଣସି ପରିଚୟ ମିଳିପାରୁ ନାହିଁ । ଜିଆର୍‌ପି ଥାନାରେ ଅପମୃତ୍ୟୁ ମାମଲାରେ ଆଇଓଙ୍କ ପାଇଁ ଶବ ପରିବହନଠାରୁ ସଂସ୍କାର ପର୍ଯ୍ୟନ୍ତ ପୁଲିସ ବିଭାଗରେ ସ୍ୱତନ୍ତ୍ର ପାଣ୍ଠି ବ୍ୟବସ୍ଥା ନଥିବାରୁ ୨୦୧୫ ମସିହା ପର୍ଯ୍ୟନ୍ତ ରେଳ ମନ୍ତ୍ରଣାଳୟ ୭୦୦ ଟଙ୍କା ଲେଖାଏ ଶବ ପିଛା ପ୍ରଦାନ କରୁଥିଲା। ୨୦୧୫ ପରଠାରୁ ଏହାକୁ ୧ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିଲା। ୨୦୧୬ ଅଗଷ୍ଟରେ ସୋର ଜିଆର୍‌ପି ପୁଲିସ ଏକ ଶବକୁ ମୋଡ଼ି ଅଖାରେ ପୁରାଇବା ଘଟଣା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ଅଚିହ୍ନା ମୃତଦେହ ଗୁଡ଼ିକ ମର୍ଯ୍ୟାଦାର ସହିତ ପରିବହନ, ବ୍ୟବଚ୍ଛେଦ ଏବଂ ସଂସ୍କାର କରିବାକୁ ତତ୍‌କାଳୀନ ପୁଲିସ ଡିଜି କେ. ବି.ସିଂହ ୨୦୧୬ ଅଗଷ୍ଟ ୨୯ ତାରିଖରେ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ। ରେଳବାଇ ଏସ୍‌ପିଙ୍କ ସମେତ ଜିଲ୍ଲା ଏସ୍‌ପି ଏବଂ ଡିସିପିଙ୍କୁ ଶବ ଉଦ୍ଧାରଠାରୁ ସଂସ୍କାର ପର୍ଯ୍ୟନ୍ତ ସମସ୍ତ ଅର୍ଥକୁ ‘ଇମ୍ପ୍ରେଷ୍ଟ ଅର୍ଥ’ରୁ ଖର୍ଚ୍ଚ କରି ପରେ ଏହାକୁ ଉପଯୁକ୍ତ ପାଣ୍ଠିରୁ ଭରଣା କରିବାକୁ ଥାନା ଅଫିସରଙ୍କୁ ନିର୍ଦ୍ଦେଶ ଦେବାକୁ ଚିଠିରେ ଉଲ୍ଲେଖ କରିଥିଲେ। କିନ୍ତୁ ୨୦୧୬ ସେପ୍ଟେମ୍ବର ୧ ତାରିଖରୁ ୨୦୧୮ ଜୁଲାଇ ମଧ୍ୟରେ ତଦନ୍ତକାରୀ ଅଧିକାରୀଙ୍କୁ ଟଙ୍କାଟିଏ ବି ଅଚିହ୍ନା ଶବ ସଂସ୍କାର ବାବଦ ଅର୍ଥ ପୁଲିସ ବିଭାଗ ପକ୍ଷରୁ ମିଳିନାହିଁ।

କଟକ ଜିଆର୍‌ପି ଥାନା ଅଧିକାରୀ ବିଜୟକୃଷ୍ଣ ମହାପାତ୍ରଙ୍କ କହିବା ଅନୁଯାୟୀ, ସାଧାରଣତଃ ରେଳ ଧାରଣାରେ ଶବଗୁଡ଼ିକ ପଚି ଯାଇଥିବାରୁ ଶବ ଉଠାଇବାଠାରୁ ଗାଡ଼ିରେ ନେବା ବାବଦ ଖର୍ଚ୍ଚ ଅଧିକ ବଢ଼ି ଯାଇଥାଏ । ଶବ ଉଠାଇବାରେ ନିୟୋଜିତ ଦୁଇ ଜଣ ସୁଇପର ପାଖାପାଖି ୨ ହଜାର ଟଙ୍କା, ମେଡିକାଲ୍‌କୁ ଶବ ବ୍ୟବଚ୍ଛେଦ ପାଇଁ ନେଉଥିବା ଆମ୍ବୁଲାନ୍ସ ୪ ହଜାର ଟଙ୍କା, ବ୍ୟବଚ୍ଛେଦ ପରେ ଖାନନଗର ଶ୍ମଶାନକୁ ନେବାକୁ ଆମ୍ବୁଲାନ୍ସ ୧୫ଶହ ଟଙ୍କା ଏବଂ ସେଠି ସଂସ୍କାର ବାବଦ ୧୭୦୦ ଟଙ୍କା ଖର୍ଚ୍ଚ ହେଉଛି। ମୋଟାମୋଟି ଭାବେ ଗୋଟେ ଅପରିଚିତ ଶବ ପିଛା ଆଇଓଙ୍କୁ ୧୦ ହଜାର ଟଙ୍କା ନିଜ ପକେଟ୍‌ରୁ ଖର୍ଚ୍ଚ କରିବାକୁ ପ଼ଡ଼ୁଛି। ଏଥିପାଇଁ ବିଭାଗ ପକ୍ଷରୁ କୌଣସି ଅର୍ଥ ଆଇଓଙ୍କୁ ମିଳିଥିବା ସମ୍ପର୍କରେ ସେ ଅବଗତ ନଥିବା କହିଛନ୍ତି । ଜିଆର୍‌ପି ଥାନାରେ ବାର୍ଷିକ ହାରାହାରି ପ୍ରତ୍ୟେକ ଅଫିସର୍‌ଙ୍କ ପିଛା ୧୫ଟି ଅଜଣା ଶବ କେସ୍‌ ଭାଗ ପଡ଼ୁଥିବାରୁ ୧୦ ହଜାର ଟଙ୍କା ହିସାବରେ ଏକ ଲକ୍ଷ ଟଙ୍କା ପାଖାପାଖି ନିଜ ପକେଟ୍‌ରୁ ଖର୍ଚ୍ଚ କରିବାକୁ ପଡ଼ୁଛି। ଖର୍ଚ୍ଚ ବାବଦ ରସିଦ୍‌ ରେଳବାଇ ଏସ୍‌ପିଙ୍କ କାର୍ଯ୍ୟାଳୟରେ ଜମା କରୁଥିବା ବେଳେ ସେମାନଙ୍କ ଟଙ୍କା ପୁଲିସ ବିଭାଗ ପକ୍ଷରୁ ଆଦୌ ମିଳୁନଥିବା ନାମ ଗୋପନ ରଖି ପୁଲିସ ଅଫିସରମାନେ ଅଭିଯୋଗ କରିଛନ୍ତି। କଟକ ଜିଆର୍‌ପି ଥାନାର ରିପୋର୍ଟ ଅନୁଯାୟୀ ୨୦୧୬ ସେପ୍ଟେମ୍ବର ୧ ତାରିଖରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ରେଳଧାରଣାରୁ ମିଳିଥିବା ୮୭ଟି ଶବ ମଧ୍ୟରୁ ୧୨ଟି ସମ୍ପର୍କରେ କୌଣସି ତଥ୍ୟ ନାହିଁ। ସେହିପରି ୨୦୧୭ ଜାନୁଆରି ୧ ତାରିଖରୁ ଡିସେମ୍ବର ୩୧ ତାରିଖ ମଧ୍ୟରେ ୮୭ଟି ଶବ ମଧ୍ୟରୁ ୪୪ ଶବର ପରିଚୟ ଠାବ କରାଯାଇପାରିଲା ନାହିଁ। ୨୦୧୮ ଜାନୁଆରି ୧ ତାରିଖରୁ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ୩୯ଟି ଶବ ମଧ୍ୟରୁ ୨୩ଟି ଶବର ପରିଚୟ ମିଳିଲା ନାହିଁ । ଏହି ଦୁଇ ବର୍ଷ ମଧ୍ୟରେ ମୋଟ ୭୯ଟି ଅଚିହ୍ନା ଶବ ଉଦ୍ଧାର କରାଯାଇଛି। କିନ୍ତୁ ଅଫିସର୍‌ମାନେ ନିଜ ପକେଟ୍‌ରୁ ଟଙ୍କା ଖର୍ଚ୍ଚ କରିଥିବା ବେଳେ ସେମାନଙ୍କୁ ଏହି ଟଙ୍କା ପ୍ରଦାନ କରାଯାଉ ନାହିଁ। ରାଜ୍ୟରେ ମୋଟ ୧୪ଟି ଜିଆର୍‌ପି ଥାନାରେ ସମାନ ଅବସ୍ଥା ସୃଷ୍ଟି ହେଉଛି । ଶବ ସଂସ୍କାର ପାଇଁ ଆସୁଥିବା ଲକ୍ଷାଧିକ ଟଙ୍କାକୁ ନେଇ ବଡ଼ ଧରଣର ଦୁର୍ନୀତି ଚାଲିଥିବା ଅଭିଯୋଗ ହେଉଛି । ଅନ୍ୟପଟେ ରେଳ ମନ୍ତ୍ରାଳୟ ଶବ ସଂସ୍କାର ବାବଦ ଖର୍ଚ୍ଚ ଗଲା ୪ ଦିନ ତଳେ ୫ ହଜାର ଟଙ୍କାକୁ ବୃଦ୍ଧି କରିଛି। କିନ୍ତୁ ଶବ ପିଛା ଜିଆର୍‌ପି ଥାନା ୧୦ ହଜାର ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହା କିଭଳି ଭରଣା ହେବ, ତାହାକୁ ନେଇ ପ୍ରଶ୍ନ ଉଠୁଛି। କଟକ ରେଳବାଇ ଏସ୍‌ପି ବନବିହାରୀ ସାହୁ କହିଛନ୍ତି ଯେ ପୁଲିସ ବିଭାଗରୁ ଏ ପର୍ଯ୍ୟନ୍ତ କିଛି ଟଙ୍କା ମିଳି ନାହିଁ। ଅଚିହ୍ନା ଶବ ସଂସ୍କାର ଖର୍ଚ୍ଚ ପୁଲିସ ଅଫିସର ନିଜେ ବହନ କରୁଛନ୍ତି ।

ସମ୍ବନ୍ଧିତ ଖବର