ଶହେ କୋଟିର ଗଞ୍ଜେଇ ଚାଷ ଉଜୁଡ଼ୁଛି, ଭଲ ଦିଗ ପ୍ରତି ଆଗ୍ରହ ନାହିଁ

ଚାଷକୁ ସ୍ବୀକୃତି ଦେବାରେ ଉତ୍ତରାଖଣ୍ତ ବାଟ ଦେଖାଇଲା, ଔଷଧ ସହିତ ବହୁମୁଖୀ ବ୍ୟବହାର ପାଇଁ ପେଟେଣ୍ଟ

ଭୁବନେଶ୍ବର(ଗୁଣଗ୍ରାହୀ ସାହୁ): ଓଡ଼ିଶା ସମେତ ଦେଶର ସବୁ ରାଜ୍ୟରେ ଗଞ୍ଜେଇ ଚାଷ, ବ୍ୟବହାର ଓ ବେପାର ଉପରେ ନିଷେଧାଜ୍ଞା ଜାରି ହୋଇଛି। ଏହି ଭୟରୁ ଓଡ଼ିଶାରେ ବର୍ଷକୁ ଶତାଧିକ କୋଟିର ଗଞ୍ଜେଇ ଗଛ ଜାଳିପୋଡ଼ି ନଷ୍ଟ କରାଯାଉଛି। ମାରିଜୁଆନା ଭାବେ ଜଣାଶୁଣା ଏହି ଗଞ୍ଜେଇ ଚାଷ ବିଶ୍ବର ପ୍ରାୟ ସବୁ ଦେଶରେ ବେଆଇନ। କିନ୍ତୁ ଔଷଧ ପ୍ରସ୍ତୁତି ସହିତ ବହୁମୁଖୀ ବ୍ୟବହାର ନିମନ୍ତେ ଗଞ୍ଜେଇ ଯେ ଏତେ ଦରକାରୀ ତଥା ଅର୍ଥକରୀ ଚାଷ, ସେ କଥା ଜାଣିଲେ ଆଖି ଖୋସି ହୋଇଯିବ। ୧୯୭୦ ଦଶକର ଶେ‌ଷ ବେଳକୁ ଗଞ୍ଜେଇର ବ୍ୟାବସାୟିକ କାରବାର, ପରିବହନ, ବ୍ୟବହାରକୁ ସଂପୂର୍ଣ୍ଣ ନିଷେଧ ହୋଇଛି। ତେବେ ଗଞ୍ଜେଇ ବିରୁଦ୍ଧରେ ଭାରତ ସରକାର ଯେଉଁ ନୀତି ଓ ନିୟମାବଳୀ ପ୍ରଣୟନ କରିଛନ୍ତି ସେଗୁଡ଼ିକ ଲୋକଙ୍କ ମନରେ ଘୃଣା ଓ ଭୟଭାବ ଉଦ୍ରେକ କରିବାକୁ ଯଥେଷ୍ଟ। ଏହା ଫଳରେ ଦେଶୀୟ ଗଞ୍ଜେଇର ଯେଉଁ ଔଷଧୀୟ ଗୁଣ, ଶିଳ୍ପ ପାଇଁ ଆବଶ୍ୟକତା ଏବ˚ ଅର୍ଥକରୀ ଫସଲର ଗୁରୁତ୍ବ ଆଦି ଭଲ ଦିଗ ହଜିଯାଇଛି। ଏ ନେଇ ସରକାରୀ ସ୍ତରରେ କି ସାଧାରଣରେ ବିତର୍କ ହେଉନାହିଁ। ଗବେଷଣା କରାଯିବା ତ ଦୂରର କଥା। ରାଜ୍ୟରେ ପ୍ରତିବର୍ଷ ଶହେ କୋଟିର ଚୋରାରେ ଚାଲିଥିବା ଗଞ୍ଜେଇ ଗଛ ଜାଳିପୋଡ଼ି ନଷ୍ଟ କରାଯାଉଛି। କଠୋର ପଦକ୍ଷେପ ‌େନବା କ୍ଷେତ୍ରରେ ହିମାଚଳ ପ୍ରଦେଶ ପରେ ଓଡ଼ିଶା ଦେଶରେ ଦ୍ବିତୀୟ ରାଜ୍ୟ। ଗଞ୍ଜେଇ ଚାଷ ନଷ୍ଟ, ଚାଲାଣ ବେଳେ ଜବତ ଭଳି ଖବର ସମ୍ବାଦପତ୍ର ପୃଷ୍ଠା ମଣ୍ତନ କରିଥାଏ। ମାଓବାଦୀ ଉପଦ୍ରୁତ ମାଲକାନଗିରି, ରାୟଗଡ଼ା, ବୌଦ୍ଧ, କନ୍ଧମାଳ, ଗଜପତି, ଦେବଗଡ଼ ଆଦି ଜିଲ୍ଲା ଏପରି କି ଅନୁଗୁଳର କିଛି ଅଞ୍ଚଳରେ ବିପୁଳ ପରିମାଣରେ ଚୋରାରେ ଗଞ୍ଜେଇ ଚାଷ କରାଯାଉଛି। ଇତି ମଧ୍ୟରେ ସମ୍ବଲପୁର ଓ ଅନୁଗୁଳ ଜିଲ୍ଲାରେ ଏହି ଚାଷକୁ ସମୂଳେ ନିପାତ କରାଯାଇଥିବା ଅବକାରୀ ବିଭାଗ ଦାବି କରୁଛି। ଅବକାରୀ ବିଭାଗ ସୂଚନାନୁସାରେ ୨୦୧୬-୧୭ରେ ବୌଦ୍ଧ ଜିଲ୍ଲାରେ ୨୪.୪୫ ଲକ୍ଷରୁ ଅଧିକ ଗଞ୍ଜେଇ ଗଛ ନଷ୍ଟ କରାଯାଇଥିବା ବେଳେ କନ୍ଧମାଳ ଜିଲ୍ଲାରେ ୨୩.୮୪ ଲକ୍ଷ, ଗଜପତିରେ ୯.୨୨ ଲକ୍ଷ ଗଛ ନଷ୍ଟ କରାଯାଇଛି। ମୋଟାମୋଟି ୧୪ଟି ଜିଲ୍ଲାରେ ଗଞ୍ଜେଇ ଚାଷ ଚାଲିଥିବା ବିଭାଗୀୟ ତଥ୍ୟ କହୁଛି। ରାଜ୍ୟରେ ବର୍ଷକୁ ପ୍ରାୟ ୧ ହଜାରରୁ ୧୫୦୦ କୋଟିର ଗଞ୍ଜେଇ ଚାଷ ବେଆଇନ ଭାବେ ଚାଲିଥିବା କୁହାଯାଉଛି।

ଗଞ୍ଜେଇ ଏକ ଅର୍ଥକରୀ ଫସଲ ହୋଇଥିବାରୁ ବୌଦ୍ଧ, କନ୍ଧମାଳ ପ୍ରଭୃତି ଜିଲ୍ଲାରେ ଅନେକ ଆଦିବାସୀ ଏହି ଚାଷକୁ ବିକଳ୍ପ ଜୀବିକା ଭାବେ ଗ୍ରହଣ କରିଥିବା ଭଳି ଚମକପ୍ରଦ ଖବର ମିଳିଛି। ପୁଲିସର ଗୁଇନ୍ଦା ବିଭାଗ ରିପୋର୍ଟ ଅନୁଯାୟୀ ଗଞ୍ଜେଇ ଚାଷକୁ ସୁରକ୍ଷିତ କରିବା ସହିତ ରାଜ୍ୟ ବାହାରକୁ ଏହାର ନିରାପଦ ଚାଲାଣ କରି ମାଓବାଦୀମାନେ ବିପୁଳ ଅର୍ଥ ଅର୍ଜନ କରୁଛନ୍ତି। ଅବଶ୍ୟ ଏହାକୁ ଅସ୍ବୀକାର କରିଛନ୍ତି ବିଭାଗୀୟ ପ୍ରମୁଖ ସଚିବ ନିକଞ୍ଜ ଧଳ। ଏ ନେଇ ଗଣମାଧ୍ୟମରେ ଅନେକ ଖବର ପ୍ରକାଶ ପାଉଥିଲେ ବି ପ୍ରମାଣିତ ହୋଇପାରିନଥିବା ସେ କହିଛନ୍ତି। କମ୍‌ ଜଳ ଏବ˚ ଅଧିକ ଜଳରେ ଗଞ୍ଜେଇ ଚାଷ ବର୍ଷକୁ ଦୁଇଥର ହୋଇପାରିବ। ଉତ୍ତରାଖଣ୍ତ ସରକାର ଶିଳ୍ପ ପାଇଁ ତନ୍ତୁପୂର୍ଣ୍ଣ ଖାଦ୍ୟ, ପୁଷ୍ଟିସାର, ‌ସ୍ବତନ୍ତ୍ର ତୈଳ ଆଦି ଉତ୍ପାଦନ ନିମନ୍ତେ ଏହି ଚାଷ ଲାଗି ଲାଇସେନ୍ସ ଦେଇଛନ୍ତି। ଏହା ଟେକ୍ସଟାଇଲ୍‌ସ ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ନିମନ୍ତେ ବ୍ୟବହାର କରାଯିବ। ଚଳିତ ବର୍ଷ ୧୦ ହଜାର ହେକ୍ଟର ଜମିରେ ଚାଷ କରାଯିବ। ଭବିଷ୍ୟତରେ ଏହାକୁ ୧ ଲକ୍ଷ ହେକ୍ଟରକୁ ବୃଦ୍ଧି କରାଯିବାର ଲକ୍ଷ୍ୟ ରଖିଛନ୍ତି ଉତ୍ତରାଖଣ୍ତ ସରକାର। ଏହି ଫସଲରୁ ହେକ୍ଟର ପିଛା ଅନ୍ୟୂନ ୪ ଲକ୍ଷ ଟଙ୍କା ରାଜସ୍ବ ମିଳିବ ବୋଲି ଆକଳନ ହୋଇଛି। ଆଗାମୀ ଦିନରେ ଔଷଧୀୟ ବ୍ୟବହାର ନିମନ୍ତେ ଗଞ୍ଜେଇ ଚାଷ ହେବ ବୋଲି ସୂଚନା ମିଳୁଛି। ତେବେ ଓଡ଼ିଶାରେ ଏଭଳି ଚାଷର ସମ୍ଭାବନା ସ˚ପର୍କରେ କୌଣସି ସ୍ତରରୁ ପ୍ରସ୍ତାବ ମିଳିନାହିଁ ବୋଲି କହିଛନ୍ତି ବିଭାଗୀୟ ପ୍ରମୁଖ ସଚିବ। କେନ୍ଦ୍ର ସରକାର ଏ ନେଇ ନୀତି ଓ ଆଇନ ପ୍ରଣୟନ କରିବା ଜରୁରୀ। ଫଳରେ ବିଭିନ୍ନ ରାଜ୍ୟ ସରକାର ଏହାକୁ କାର୍ଯ୍ୟକାରୀ କରିପାରିବେ।

ସମ୍ବନ୍ଧିତ ଖବର